ସହପାଠୀଙ୍କୁ ରାଜଭବନକୁ ନିମନ୍ତ୍ରଣ କଲେ ମହାମହିମ

Nov 11, 2022 - 08:00
 40
ସହପାଠୀଙ୍କୁ ରାଜଭବନକୁ ନିମନ୍ତ୍ରଣ କଲେ ମହାମହିମ
ଭୁବନେଶ୍ୱର: ମହାମହିମ ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତର ଆଜି ଶେଷ ଦିନ। ଆଜି ସକାଳୁ ପ୍ରଥମେ ଖଣ୍ଡଗିରି ସ୍ଥିତ ତପୋବନ ହାଇସ୍କୁଲ ପରିଦର୍ଶନ କରିଥିଲେ ମହାମହିମ । ପିଲାଙ୍କ ସହ କଥା ହେବା ସହ ସ୍କୁଲ ଜୀବନର ଅନୁଭୂତି ବାଣ୍ଟିଥିଲେ । ପିଲାଙ୍କୁ ଭଲ ପାଠ ପଢ଼ିବାକୁ ଦେଇଥିଲେ ପରାମର୍ଶ । ପରେ ୟୁନିଟ୍‌ ୨ରେ ଥିବା ସରକାରୀ ଗାର୍ଲ୍ସ ହାଇସ୍କୁଲ ପରିଦର୍ଶନ କରିଥିଲେ ରାଷ୍ଟ୍ରପତି । ଏହି ହାଇସ୍କୁଲରେ ନିଜେ ପଢିଛନ୍ତି ଦ୍ରୌପଦୀ । ତେଣୁ ସେଠାରେ ଥିବା ସମସ୍ତ ସ୍ମୃତି ଯେମିତି ମାନସ ପଟରେ ଉଙ୍କି ମାରିଥିଲା । ସବୁ ଛାତ୍ରୀଙ୍କୁ ଭେଟିବା ସହ ପୁରୁଣା ସ୍ମୃତି ସାଉଣ୍ଟିଥିଲେ ମହାମହିମ। ପିଲାବେଳର ସାଙ୍ଗମାନଙ୍କୁ ସାକ୍ଷାତ କରିଥିଲେ । ବିଦ୍ୟାଳୟ ପରିସରରେ ସହପାଠୀଙ୍କ ସହ ଏକ ଭାବବିହ୍ବଳ ପରିବେଶ ସୃଷ୍ଟି ହୋଇଥିଲା । ସେହି ସମୟରେ ସହପାଠୀଙ୍କୁ ରାଜଭବନକୁ ନିମନ୍ତ୍ରଣ କରିଥିଲେ ମହାମହିମ । ହାଇସ୍କୁଲ ପରିସରରେ ଗଛ ଲଗାଇବା ସହ ପିଲାଙ୍କ ସହ କଥା ହେବା ସାଙ୍ଗକୁ ନାଚ ଗୀତରେ ନିଜେ ସାମିଲ ହୋଇଥିଲେ । ଛାତ୍ରଛାତ୍ରୀଙ୍କ ସହ ଫଟୋ ଉଠାଇଥିଲେ ମହାମହିମ । କୁନ୍ତଳା କୁମାରୀ ସାବତ ଆଦିବାସୀ ଗାର୍ଲସ ହଷ୍ଟେଲ ପରିଦର୍ଶନ କରିବା ପରେ ରାଜଭବନ ଫେରିଯାଇଥିଲେ ରାଷ୍ଟ୍ରପତି । ପୁରୁଣ ସ୍ମୃତିକୁ ଫଟୋ ଫ୍ରେମରେ ସଜ୍ଜିତ କରାଯାଇ ରାଷ୍ଟ୍ରପତିକୁ ପ୍ରଦାନ କରାଯାଇଥିଲା । ୧୧ଟା ୪୦ରେ ଜୟଦେବ ଭବନରେ ଆୟୋଜିତ କାର୍ୟ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି । ସମସ୍ତ କାର୍ୟ୍ୟକ୍ରମ ସାରି ଅପରାହ୍ଣ ୧ଟା ୧୫ରେ ଦିଲ୍ଲୀ ରାଇସିନା ହିଲ୍ସ ଫେରିଯିବେ ରାଷ୍ଟପତି ଦୌପଦି ମୁର୍ମୁ ।