ସମସ୍ୟାରେ ବୁଡି ରହିଛି ଆଦର୍ଶ ଡିଗ୍ରୀ ମହାବିଦ୍ୟାଳୟ

Mar 18, 2019 - 06:06
 158
ବୌଦ୍ଧ, ୧୬/୩(ସକାଳଖବର): ବୌଦ୍ଧ ଜିଲାରେ ଥିବା ଏକମାତ୍ର ସରକାରୀ ମହାବିଦ୍ୟାଳୟ ଆଦର୍ଶ ଡିଗ୍ରୀ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଶନିବାର ଦିନ ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇବା ସହ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ବୌଦ୍ଧ ସହରର ନିକଟସ୍ଥ ବାମଣ୍ଡା ଠାରେ ନୂତନ ଭାବେ ଆଦର୍ଶ ଡିଗ୍ରୀ ମହାବିଦ୍ୟାଳୟ ଖୋଲାଯାଇଛି । କିନ୍ତୁ ଏଠାରେ ଆନୁସଙ୍ଗିକ ବ୍ୟବସ୍ଥା ନଥିବାରୁ ଛାତ୍ର ଛାତ୍ରୀ ମାନେ ଶନିବାର ଦିନ ଉତକ୍ଷିପ୍ତ ହୋଇ ପ୍ରଥମେ ମହାବିଦ୍ୟାଳୟରେ ତାଲା ପକାଇବା ସହ ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥକୁ ମହାବିଦ୍ୟାଳୟ ସମ୍ମୁଖରେ ଅବରୋଧ କରିଥିଲେ । ଛାତ୍ର ଛାତ୍ରୀଙ୍କ ଅଭିଯୋଗ ମୁତାବକ, ମହାବିଦ୍ୟାଳୟରେ ଅଧ୍ୟାପକ ପଦବୀ ଖାଲି ପଡିଥିବା ବେଳେ ବହୁ ଅଧ୍ୟାପକ ଓ ଅଧ୍ୟାପିକା ଅନେକ ସମୟରେ ମହାବିଦ୍ୟାଳୟକୁ ଆସୁନାହାଁନ୍ତି । ଖୋଦ ମହାବିଦ୍ୟାଳୟର ଅଧ୍ୟକ୍ଷ ନିଜେ ମନଇଛା ଆସୁଥିବା ସହ ପରୀକ୍ଷାରେ ଅନିୟମିତତା, ପାଶ ଛାତ୍ର ଛାତ୍ରୀଙ୍କୁ ଫେଲ ଓ ଫେଲ ଛାତ୍ର ଛାତ୍ରୀଙ୍କୁ ପାଶ କରିବାର ପ୍ରତିବାଦ ଏଭଳି ୧୦ ଦଫା ଦାବୀ ନେଇ ବିକ୍ଷୋଭ କରିବା ସହ ରାଜପଥ ଅବରୋଧ କରିଥିଲେ । ପ୍ରଥମେ ବୌଦ୍ଧ ପୋଲିସ ପହଂଚି ଉତ୍ୟକ୍ତ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଶୁଝା କରିବା ପରେ ମଧ୍ୟ ଉତେଜନା ଥମିନଥିଲା । କିଛି ସମୟ ପରେ ବୌଦ୍ଧ ତହସିଲଦାର ଲଲାଟେନ୍ଦୁ ସି ଘଟଣା ସ୍ଥଳରେ ପହଂଚି ଛାତ୍ର ଛାତ୍ରୀଙ୍କୁ ବୁଝାଶୁଝା କରିବା ପରେ ଦୀର୍ଘ ୨ ଘଂଟା ପରେ ରାସ୍ତା ରୋକ ହଟିଥିଲା । ରାସ୍ତା ରୋକ ଯୋଗୁଁ ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ବହୁ ସଂଖ୍ୟାରେ ଯାନବାହନ ଅଟକି ରହିଥିଲା । ଯଦି ତୁରନ୍ତ ସମସ୍ୟାର ସମାଧାନ କରାନଯାଏ ଆଗାମୀ ଦିନରେ ୟୁନିଭରସିଟି ଆଗରେ ଆନେ୍ଦାଳନକୁ ତୀବ୍ରତର କରାଯିବ ବୋଲି ଛାତ୍ର ଛାତ୍ରୀ ମାନେ ଚେତାବନୀ ଦେଇଥିଲେ । ଏନେଇ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଫୋନ ଯୋଗେ ଯୋଗଯୋଗ କରିବାରୁ ମୁଁ ଛୁଟିରେ ବାହାରେ ଅଛି ବୋଲି କହି ଏଡାଇ ଯାଇଥିଲେ ।