ସମନ୍ୱୟ ରକ୍ଷା ହୋଇପାରିଲେ ସମବାୟ ଅଭିଯାନ ସଫଳ ହୋଇପାରିବ- ସାନନ୍ଦ

Jun 20, 2018 - 21:38
 197
ସମନ୍ୱୟ ରକ୍ଷା ହୋଇପାରିଲେ ସମବାୟ ଅଭିଯାନ ସଫଳ ହୋଇପାରିବ- ସାନନ୍ଦ
ବାରିପଦା:୨୦/୬(ସକାଳଖବର): ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ସହିତ କୃଷି, ଉଦ୍ୟାନକୃଷି, ଆଗ୍ରୋ, ଆତ୍ମା, ମୃଲୟଲିକା ସଂରକ୍ଷଣ ଆଦି ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟକରି ପାରିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଦୂରପ୍ରସାରୀ ଯୋଜନା ସମବାୟ ଆପଣଙ୍କ ଦ୍ୱାରରେ ଅଭିଯାନ ସଫଳ ହୋଇପାରିବ । ତେଣୁ ଉକ୍ତ ଅଭିଯାନର ଉଦେ୍ଧଶ୍ୟ ଓ ଲକ୍ଷକୁ ସଫଳ କରାଇବାକୁ ହେଲେ ସମସ୍ତଙ୍କୁ ମିଳିମିଶି କାର୍ଯ୍ୟ କରିବାକୁ ହେବ । ଏଥି ସହିତ ଆମ ରାଜ୍ୟର କୃଷି ଓ କୃଷକମାନଙ୍କ ଉନ୍ନତି ନିମନ୍ତେ ଓଡ଼ିଶା ସରକାର ଯୋଗାଇ ଦେଉଥିବା ବିଭିନ୍ନ ସୁବିଧା ସୁଯୋଗର ବାର୍ଲାକୁ ସମବାୟ ବିଭାଗ ଦ୍ୱାରା ସମସ୍ତ ଚାଷୀମାନଙ୍କ ନିକଟରେ ପହଁଞ୍ଚାଇ ଜନସଚେତନତା ସୃଷ୍ଟି କରାଇବା ନିମନ୍ତେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଅଛି । ରାଜ୍ୟ ସରକାର ଭୂମିହୀନ, କ୍ଷୁଦ୍ରଚାଷୀ, ପ୍ରକୃତ ଚାଷୀ, ନାମମାତ୍ର ଚାଷୀ ଆଦିଙ୍କ ମୁହଁରେ ହସ ଫୁଟାଇବା ସଂଗେସଂଗେ ସେମାନଙ୍କର ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରାଇ ବିକାଶର ମୁଖ୍ୟସ୍ରୋତରେ ସାମିଲ କରାଇବା ନିମନ୍ତେ ଏହି ଅଭିଯାନ ଆରମ୍ଭ କରିଛନ୍ତି ବୋଲି ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମର ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶା ବିଧାନସଭା ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି ମତ ପୋଷଣ କରିବା ସଂଗେସଂଗେ ଯୋଜନା ମାଧ୍ୟମରେ ପ୍ରଦାନ କରାଯାଉଥିବା ଋଣ ଓ ସହାୟତା ଆଦିର ସତବିନିଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ ।