ସତ୍ୟବାଦୀ ବକୁଳ ବନ ନିକଟରେ ହେବ ଓଡ଼ିଆ ବିଶ୍ୱ ବିଦ୍ୟାଳୟ

Sep 17, 2018 - 19:42
 159
ଭୁବନେଶ୍ୱର,୧୭/୯ (ସକାଳଖବର) ପଂଚସଖାଙ୍କ କର୍ମଭୂମି ସତ୍ୟବାଦୀର ବକୁଳ ବନ ନିକଟରେ ପ୍ରତିଷ୍ଠା ହେବ ଓଡ଼ିଆ ବିଶ୍ୱ ବିଦ୍ୟାଳୟ । ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି । ଓଡ଼ିଆ ନବଜାଗରଣର ପୀଠ ସତ୍ୟବାଦୀର ବକୁଳ ବନ ଶିକ୍ଷା କ୍ଷେତ୍ରରେ ଏକ ଆଦର୍ଶ ପୀଠ ଭାବରେ ପ୍ରସିଦ୍ଧି ଲାଭ କରିଥିଲା । ଉକ୍ରଳମଣି ପଣ୍ଡିତ ଗୋପବନଧୁ, ଆଚାର୍ଯ୍ୟ ହରିହର, ପଣ୍ଡିତ ନୀଳକଣ୍ଠ, ପଣ୍ଡିତ ଗୋଦାବରୀଶ ଓ ପଣ୍ଡିତ କୃପାସିନ୍ଧୁଙ୍କ ମଣିଷ ତିଆରି କାରଖାନା ଥିଲା ବକୁଳ ବନ । ବକୁଳ ବନ ନିକଟରେ ଓଡ଼ିଆ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ଏକ ଐତିହାସିକ ନିଷ୍ପତି । ପଂଚସଖାଙ୍କ ଆଦର୍ଶର ପ୍ରଚାର ଓ ପ୍ରସାର ଦିଗରେ ଏହା ମଧ୍ୟ ବିଶେଷ ସହାୟକ ହେବ । ବକୁଳ ବନ ନିକଟରେ ଓଡ଼ିଆ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସେହି ପରିସରରେ ଥିବା ଗୋଟିଏ ବି ଗଛ କଟାଯିବ ନାହିଁ । ପରିବେଶ ଓ ଐତିହ୍ୟ ଉଭୟକୁ ଦୃଷ୍ଟିରେ ରଖି ନର୍ମାଣ କାର୍ଯ୍ୟ କରାଯିବ । ବାଲିପଥରରେଏକ ମହଲା ବିଶିଷ୍ଟ କୋଠାରେ ହିଁ ଓଡ଼ିଆ ବିଶ୍ୱ ବିଦ୍ୟାଳୟ ନିର୍ମାଣ ହେବ । ଉପାଧୁ୍ୟତର ଶିକ୍ଷାଠାରୁ ଆରମ୍ଭ କରି ଏମ.ଫିଲ ଓ ପି.ଏଚ.ଡି ପର୍ଯ୍ୟନ୍ତ ଓଡ଼ିଆ ଭାଷାରେ ଉଚ୍ଚତର ଶିକ୍ଷା ଓ ଗବେଷଣା ଦିଗରେ ଏହି ବିଶ୍ୱ ବିଦ୍ୟାଳୟ କାର୍ଯ୍ୟ କରିବ । ଓଡ଼ିଆ ବିଶ୍ୱ ବିଦ୍ୟାଳୟ ପାଇଁ ଖୁବ୍ ଶୀଘ୍ର ଜଣେ ଓ.ଏସ.ଡି ନିଯୁକ୍ତି ଦିଆଯିବ ଏବଂ ଏହାର ଅସ୍ଥାୟୀ କାର୍ଯ୍ୟାଳୟ ସତ୍ୟବାଦୀ ପାନ୍ଥ ନିବାସରେ ରହିବ । ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ବଜେଟରେ ଏଥିପାଇଁ ଦଶ କୋଟି ଟଙ୍କାର ବ୍ୟୟ ବରାଦ ରଖାଯାଇଥିବା ବେଳେ କୁଳପତି, ରେଜିଷ୍ଟ୍ରାର ଆଦି ପଦବୀ ଗୁଡ଼ିକ ମଧ୍ୟ ସୃଷ୍ଟି କରାଯାଇଛି । ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ଦିଗରେ ଆବଶ୍ୟକ ପ୍ରାରମ୍ଭିକ କାର୍ଯ୍ୟ ତ୍ୱରାନ୍ୱିତ କରିବାପାଇଁ ମୁଖ୍ୟମନ୍ତ୍ରୀ, ପୁରୀ ଜିଲ୍ଲାପାଳଙ୍କୁ ନିଦେ୍ର୍ଧଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଆଇନ ସଚିବ, ଉଚ୍ଚଶିକ୍ଷା ସଚିବ, ପୁରୀ ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।