‘ମନ୍ତ୍ରୀଙ୍କଠାରେ ଯଦି ଫର୍ଜିର ନୁହେଁ, ଫୌଜିର ରକ୍ତ ଅଛି, ଇସ୍ତଫା ଦିଅନ୍ତୁ’

Nov 2, 2021 - 09:52
 110
‘ମନ୍ତ୍ରୀଙ୍କଠାରେ ଯଦି ଫର୍ଜିର ନୁହେଁ, ଫୌଜିର ରକ୍ତ ଅଛି, ଇସ୍ତଫା ଦିଅନ୍ତୁ’
ଭୁବନେଶ୍ୱର: “ହତ୍ୟାକାଣ୍ଡ ସହ ମୋର କୌଣସି ସମ୍ପୃକ୍ତି ନାହିଁ। ରାୟପୁରସ୍ଥିତ ବାସଭବନରେ ଭେଟଘାଟ ସମ୍ପୂର୍ଣ୍ଣ କପୋଳକଳ୍ପିତ। ଏହାକୁ ଆଧାର କରି ଜଣଙ୍କ ଇସ୍ତଫା ଦାବି କରିବା ଅତ୍ୟନ୍ତ ହାସ୍ୟାସ୍ପଦ।” ମମିତା ହତ୍ୟା ଘଟଣା ପରଠୁ ଏକ ପ୍ରକାର ଅନ୍ତର୍ଦ୍ଧାନ ହୋଇ ଯାଇଯାଇଥିବା ମନ୍ତ୍ରୀ ଦିବ୍ୟଶଙ୍କର ଗତକାଲି ଗଣମାଧ୍ୟମ ଆଗରେ ମୁହଁ ଖୋଲି ଏପରି କହିଛନ୍ତି। ମମିତା ହତ୍ୟା ଘଟଣାରେ ତାଙ୍କର କୌଣସି ସମ୍ପୃକ୍ତି ନାହିଁ ବୋଲି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଦୋହରାଉଥିବା ବେଳେ ଏହା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି କହିଛନ୍ତି କଂଗ୍ରେସ ପ୍ରବକ୍ତା ସତ୍ୟ ପ୍ରକାଶ ନାୟକ। ଏଥିସହ କହିଛନ୍ତି, ମନ୍ତ୍ରୀ ଗଣମାଧ୍ୟମରେ ହାଲୁକା ବିବୃତି ଦେଇ ଖସି ପାରିବେ ନାହିଁ। ଏହି ଘଟଣାରେ ସଂପୃକ୍ତି ଅଛି କି ନାହିଁ ହଁ, ନାଁରେ ଉତ୍ତର ଦିଅନ୍ତୁ ଦିବ୍ୟଶଙ୍କର। ରାୟପୁରସ୍ଥିତ ବାସଭବନରେ ମନ୍ତ୍ରୀଙ୍କ ସହ ମମିତା ମେହେର ଓ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ମଧ୍ୟରେ ଭେଟଘାଟ ହୋଇଥିବା ଅଭିଯୋଗ ଉଠୁଛି। କଂଗ୍ରେସ ନେତା ନରସିଂହ ମିଶ୍ର, ସାଲୁଜା ସିଂ, ବିଜେପିର ବିଜୟ ମହାପାତ୍ର ମଧ୍ୟ ଏହି ଅଭିଯୋଗ ଉଠାଇଛନ୍ତି। ଏହି ଅଭିଯୋଗ ଯଦି ଭିତ୍ତିହୀନ, କପୋଳକଳ୍ପିତ ତାହା ହେଲେ ଉକ୍ତ ୩ ଜଣଙ୍କ ଫୋନ୍‌ର ସିଡିଆର୍ କାହିଁକି ଯାଞ୍ଚ ହେଉନି। ଏଥିସହ ସେ କହିଛନ୍ତି, ବିଗତ ୨୦ ଦିନ ହେଲା ଗଣମାଧ୍ୟମ ଶିରୋନାମାରୁ ହଟୁ ନାହିଁ ମମିତା ମେହର ହତ୍ୟା ଘଟଣା। ମମିତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ବେଳେ ଏଥିରେ ଗୃହ ରାଜ୍ୟ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ନେଇ ରାସ୍ତାକୁ ଓହ୍ଲାଇଛନ୍ତି ବିରୋଧୀ। ବିଜେଡି ପକ୍ଷରୁ କୁହାଗଲା, ପ୍ରମାଣ ଦିଅନ୍ତୁ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅପରପକ୍ଷେ, ମନ୍ତ୍ରୀ ଗଣମାଧ୍ୟମକୁ ମାମଲାର ଡର ଦେଖାଉଛନ୍ତି। ଯଦି ମନ୍ତ୍ରୀଙ୍କଠାରେ ଫର୍ଜିର ନୁହେଁ, ଫୌଜିର ରକ୍ତ ଅଛି, ଇସ୍ତଫା ଦିଅନ୍ତୁ। ମନ୍ତ୍ରୀ ସେଠାକୁ ଯାଇନାହାନ୍ତି ବୋଲି ପୁଲିସ୍‌ ମଧ୍ୟ ସ୍ପଷ୍ଟ କରୁନି। ଅପରପକ୍ଷେ, ମୁଖ୍ୟମନ୍ତ୍ରୀ କହିଲେ, ଆଇନ ତା’ ବାଟରେ ଯିବ। ଅଦାଲତକୁ ଯାଆନ୍ତୁ। ଅଦାଲତ ଯଦି ତଦନ୍ତ କରିବ ପୁଲିସ୍‌ କ’ଣ ମନ୍ତ୍ରୀଙ୍କୁ ସୁରକ୍ଷା ଦେବ। ପ୍ରମାଣ ଯେଉଁ ପୁଲିସ୍‌ ଆଣିବ, ଇଏ ତାଙ୍କ ମନ୍ତ୍ରୀ। ତେଣୁ ତଦନ୍ତ କିପରି ସମ୍ଭବ ବୋଲି ପ୍ରଶ୍ନ ପଚାରିଛନ୍ତି ସତ୍ୟ ନାୟକ।