ଲଘୁଚାପ ପ୍ରଭାବରେ ବର୍ଷା ଜାରି

Sep 6, 2023 - 02:59
 49
ଲଘୁଚାପ ପ୍ରଭାବରେ ବର୍ଷା ଜାରି
ଭୁବନେଶ୍ବର: ଗତ ୨ ତାରିଖ ଦିନ ବିଜୁଳିର ପ୍ରଚଣ୍ଡତା ସାରା ଓଡ଼ିଶାକୁ ଥରହର କରିଥିଲା। ବିଜୁଳିର ଭୟାବହତା ଏତେ ଥିଲା ଯେ ସେଦିନ ବଜ୍ରପାତ ‌ଯୋଗୁଁ ରାଜ୍ୟରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଆହତ ହୋଇଥିଲେ। ଏଥିସହ ବଜ୍ରପାତରେ ୮ଟି ଗୋରୁଙ୍କ ମୃତ୍ୟୁ ହୋଇଥିଲା। ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ରିଲିଫ କମିସନ (ଏସ୍‌ଆରସି)ଙ୍କ ପକ୍ଷରୁ ଏହି ସୂଚନା ଏହାପର ଦିନ ଅର୍ଥାତ ୩ ତାରିଖ ଦିନ ଦିଆଯାଇଛି। ସେ ଦିନ ଓଏସ୍‌ଡିଏମ୍‌ଏ ଓଡ଼ିଶା ଦେଇଥିବା ତଥ୍ୟ ଅନୁସାରେ ସାରା ଓଡ଼ିଶାରେ ୨ ତାରିଖ ଦିନ ସମୁଦାୟ ୩୯,୩୯୨ଟି ବିଜୁଳି ମାରିଛି। ଆଜି ଆଇଆଇଟିଏମ୍‌ ପୁନେ ପକ୍ଷରୁ ମଧ୍ୟ ଏହି ତଥ୍ୟରେ ମୋହର ମରାଯାଇଛି। ଆଇଆଇଟିଏମ୍‌ ପୁନେର ତଥ୍ୟାନୁସାରେ, ୨ ତାରିଖ ଦିନ ଓଡ଼ିଶାର ଖୋର୍ଧା ଜିଲ୍ଲାରେ ସର୍ବାଧିକ ୪୮୫୨ ଥର ବିଜୁଳି ମାରିଥିଲା। ପଛକୁ ରହିଥିଲା କଟକ ଜିଲ୍ଲା। ଏଠାରେ ସେ ଦିନ ୩୦୭୦ଟି ବିଜୁଳି ମାରିଥିଲା। ସେହିଭଳି ବୌଦ୍ଧରେ ୨୫୬୦, ନୟାଗଡ଼ ଜିଲ୍ଲାରେ ୨୪୫୪ ଓ ବଲାଙ୍ଗୀରରେ ୨୩୭୮ ଥର ବିଜୁଳି ମାରିଥିଲା। ଏହି ବଜ୍ରପାତ ମଧ୍ୟ ବେଶ୍‌ ଭୟଙ୍କର ଥିଲା। ଫଳରେ ଏତେ ସଂଖ୍ୟାକ ଲୋକ ଓ ଗୋରୁଗାଈଙ୍କ ମୃତ୍ୟୁ ଘଟିଛି।