ରୋମାଞ୍ଚକର ମ୍ୟାଚ୍‌ରେ ଶେଷ ବଲ୍‌ରେ ଜିତିଲା ମୁମ୍ବାଇ

Apr 12, 2023 - 07:18
 90
ରୋମାଞ୍ଚକର ମ୍ୟାଚ୍‌ରେ ଶେଷ ବଲ୍‌ରେ ଜିତିଲା ମୁମ୍ବାଇ
ନୂଆଦିଲ୍ଲୀ: ସୋମବାର ପରି ମଙ୍ଗଳବାର ମଧ୍ୟ ଆଇପିଏଲରେ ଆଉ ଏକ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଛି। ଅନ୍ତିମ ବଲ୍‌ରେ ହିଁ ମ୍ୟାଚ୍‌ର ଫଇସଲା ହୋଇଛି। ଆଉ ଶେଷରେ ବାଜି ମାରି ନେଇଛି ମୁମ୍ବାଇ ଇଣ୍ଡିଆନ୍ସ। କ୍ରମାଗତ ଦୁଇଟି ପରାଜୟ ପରେ ଚଳିତ ଆଇପିଏଲରେ ପ୍ରଥମ ବିଜୟ ହାସଲ କରିଛି ରୋହି ଶର୍ମାଙ୍କ ଟିମ୍। ଅନ୍ୟପଟେ ପୁଣି ଥରେ ନିରାଶ ହୋଇଛି ଦିଲ୍ଲୀ କ୍ୟାପିଟାଲ୍ସ। ସଂଘର୍ଷପୂର୍ଣ୍ଣ ମୁକାବିଲାରେ ମୁମ୍ବାଇ ୬ ଓ୍ଵିକେଟ୍‌ରେ ଦିଲ୍ଲୀକୁ ପରାସ୍ତ କରିଛି। ଏଥିସହ ଦିଲ୍ଲୀ କ୍ରମାଗତ ଚତୁର୍ଥ ପରାଜୟ ଭୋଗିଛି। ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ଅକ୍ଷର ପଟେଲ୍‌ଙ୍କ ୫୪ ରନ ଏବଂ ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ୫୧ ରନ ବଳରେ ୧୯.୪ ଓଭରରେ ୧୭୨ ରନରେ ଅଲଆଉଟ୍ ହୋଇଥିଲା। ଜବାବରେ ମୁମ୍ବାଇ ରୋହିତ ଶର୍ମାଙ୍କ ୬୫ ରନ ଏବଂ ତିଳକ ବର୍ମାଙ୍କ ୪୧ ରନ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଇଶାନ କିଷନ ୩୧ ରନର ଉପଯୋଗୀ ଇନିଂସ ଖେଳିଛନ୍ତି। ବୋଲିଂରେ ମୁମ୍ବାଇ ପକ୍ଷରୁ ପୀୟୂଷ ଚାଓ୍ଵଲା ଏବଂ ବେହରନଡର୍ଫ ତିନୋଟି ଲେଖାଏଁ ଓ୍ଵିକେଟ୍ ନେଇ ଦଳ ବିଜୟରେ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି। ୧୭୩ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ମୁମ୍ବାଇ ଇଣ୍ଡିଆନ୍ସକୁ ଦୁଇ ଓପନର ଅଧିନାୟକ ରୋହିତ ଶର୍ମା ଏବଂ ଇଶାନ କିଷନ ଦମଦାର ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟର ପ୍ରଥମ ଓ୍ଵିକେଟ୍‌ରେ ୭୧ ରନ ଯୋଡି ଦଳ ବିଜୟରେ ମୂଳଦୁଆ ପକାଇଥିଲେ। ଇଶାନ କିଷନ ୩୧ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ରୋହିତ ତିଳକ ବର୍ମାଙ୍କୁ ସାଥୀ କରି ଦ୍ବିତୀୟରେ ୬୮ର ଯୋଡ଼ିଥିଲେ। ତେବେ ୧୩୯ ରନ ସ୍କୋରରେ ଡବଲ ଝଟକା ମୁମ୍ବାଇ ଶିବିରକୁ ଚିନ୍ତିତ କରିଥିଲା। ଭଲ ଫର୍ମରେ ଥିବା ତିଳକ ବର୍ମା ୨୯ ବଲ୍‌ରୁ ୧ ଚୌକା ଏବଂ ୪ ଛକା ଜରିଆରେ ୪୧ ରନ କରି ପାଭିଲିୟନ ଫେରିଥିଲେ। ଅର୍ଦ୍ଧଶତକ ହାସଲ କରି ଇନିଂସ ସମ୍ଭାଳିଥିବା ରୋହିତ ଶର୍ମା ଆଉଟ୍ ହେବା ମୁମ୍ବାଇକୁ ବଡ଼ ଝଟକା ଦେଇଥିଲା। ରୋହିତ ୪୫ ବଲରୁ ୬ ଚୌକ ଏବଂ ୪ ଛକା ସହାୟତାରେ ୬୫ ରନ କରିଥିଲେ। ମୁମ୍ବାଇ ଲାଗ ଲାଗ ତିନୋଟି ଓ୍ଵିକେଟ୍ ହରାଇବାରୁ ମ୍ୟାଚ୍‌ରେ ରୋମାଞ୍ଚ ଭରିଥିଲା। ତେବେ ଟିମ୍ ଡେଭିଡ୍ ଏବଂ କ୍ୟାମେରୁନ ଗ୍ରୀନ ଔପଚାରିକତା ପୂରଣ କରିଥିଲେ।ଦୁଇ ବ୍ୟାଟର ଅବିଭାଜିତ ପଞ୍ଚମ ଓ୍ଵିକେଟରେ ୩୦ ରନ ଯୋଡି ଦଳକୁ ୪ ଓ୍ଵିକେଟ୍‌ରେ ରୋମାଞ୍ଚକର ବିଜୟ ଦେଇଥିଲେ। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ ପାଇଁ ପୁଣି ଥରେ ସଙ୍କଟମୋଚକ ସାଜିଥିଲେ ଅଧିନାୟକ ଡେଭିଡ ଓ୍ବାର୍ଣ୍ଣର। ଅକ୍ଷର ପଟେଲଙ୍କୁ ସାଥୀ କରି ଦିଲ୍ଲୀ ଡେୟାର ଡେଭିଲ୍ସକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଥିଲେ। ତେବେ ଶେଷ ଭାଗରେ ବ୍ୟାଟିଂ ବିପର୍ଯ୍ୟୟ କାରଣରୁ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୧୯.୪ ଓଭରରେ ୧୭୨ ରନରେ ଅଲଆଉଟ୍ ହୋଇଥିଲା। ଓ୍ବାର୍ଣ୍ଣର ୫୧ ରନର ଇନିଂସ ଖେଳିଥିବା ବେଳେ ଅକ୍ଷର ପଟେଲ୍ ବିସ୍ପୋରକ ୫୪ ରନର ଇନିଂସ ଖେଳିଛନ୍ତି। ୧୯ତମ ଓଭରରେ ଦିଲ୍ଲୀ ୪ ଓ୍ଵିକେଟ୍ ହରାଇବାରୁ ଦଳର ସ୍କୋର ୧୭୨ ରନରେ ସୀମିତ ରହିଥିଲା। ବେହରନଡର୍ଫ ଏବଂ ପୀୟୂଷ ଚାଓ୍ଵଲା ୩ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।