ରେଳବାଇର ଓଡ଼ିଶା ଅତିଥି ଭବନ କାର୍ଯ୍ୟାଦେଶ ବାତିଲ ମାମଲାରେ ପ୍ରତିପକ୍ଷଙ୍କୁ ନୋଟିସ

May 23, 2018 - 15:10
 196
କଟକ,୨୩ା୫(ସକାଲଖବର): ପୂର୍ବତଟ ରେଳବାଇରୁ ଟେଣ୍ଡର ହାସଲ କରି ନୂଆଦିଲ୍ଲୀରେ ଓଡ଼ିଶା ଅତିଥି ଭବନ ନିର୍ମାଣ କରୁଥିବା ଠିକାଦାରୀ ସଂସ୍ଥା ମହିମା ଇଂଜିନିୟରିଂ ସିଷ୍ଟମ୍ସ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଦାୟର ମାମଲାରେ ହାଇକୋର୍ଟ ଡକ୍ଟର ଜଷ୍ଟିସ ବି ଆର ଷଡ଼ଙ୍ଗୀ ଓ ଡକ୍ଟର ଜଷ୍ଟିସ ଡି ପି ଚୌଧୁରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି । ଏହି ମାମଲାରେ ପରବର୍ତ୍ତର୍ୀ ଶୁଣାଣି ଆସନ୍ତା ଜୁନ ମାସ ୨୦ତାରିଖରେ ହେବା ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପ୍ରବୋଧ ଚନ୍ଦ୍ର ନାୟକ ମାମଲା ପରିଚାଳନା କରୁଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ନୂଆଦିଲ୍ଲୀରେ ଓଡ଼ିଶା ଅତିଥି ଭବନ ନିର୍ମାଣ କରିବା ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ଏକ ଟେଣ୍ଡର ଆହ୍ୱାନ କରାଯାଇଥିଲା । ଏଥିକ୍ରମେ ମହିମା ଇଂଜିନିୟରିଂ ସିଷ୍ଟମ୍ସ ପ୍ରାଇଭେଟ ଲିମିଟେଡ ନାମକ ଏକ ଠିକାଦାରୀ ସଂସ୍ଥା ଟେଣ୍ଡର ହାତେଇଥିଲା । ତେବେ ଉକ୍ତ ସଂସ୍ଥା ଏହି ଟେଣ୍ଡର ପାଇବା ପରେ କାମ ଆରମ୍ଭ କରିଥିଲା । କାମ ମଧ୍ୟ ଭାଗରେ ଦିଲ୍ଲୀ ମହାନଗର ନିଗମ(ଏମସିଡି) କାମ ବନ୍ଦ କରିଥିଲା । ଏମସିଡି ଦର୍ଶାଇଥିଲା ଯେ କାମ ଚାଲିଥିବା ଅଞ୍ଚଳ ମହାନଗର ନିଗମ ଅଧିନରେ ଯାଉଛି; ତେଣୁ ଏନଓସି ପ୍ରଦାନ କରାଗଲେ, କାମ ପାଇଁ ଅନୁମତି ପ୍ରଦାନ କରାଯିବ । ଏହାପରେ ଆବେଦନକାରୀ ପୂର୍ବତଟ ରେଳବାଇ ଅଧିକାରୀଙ୍କୁ ଏ ସଂପର୍କରେ ଜଣାଇଥିବାବେଳେ କେବଳ ଅଗ୍ନି ସୁରକ୍ଷା ଉପରେ ଏନଓସି ହାସଲ ହୋଇଥିଲା । ତେବେ ଅନ୍ୟ ଏନଓସି ମିଳିବାରେ ବିଳମ୍ବ ହେବାରୁ ଆବେଦନକାରୀ ଉକ୍ତ କାର୍ଯ୍ୟ ଶେଷ କରିବା ପାଇଁ ୨୦୧୯, ମାର୍ଚ୍ଚ ମାସ ୩୧ତାରିଖ ପର୍ଯ୍ୟନ୍ତ ଅବଧି ଦିଆଯାଉ ବୋଲି ନିବେଦନ କରିଥିଲା । ମାତ୍ର ରେଳବାଇ କର୍ତ୍ତୃପକ୍ଷ ଆବେଦନକାରୀଙ୍କ ଆବେଦନକୁ ଗ୍ରହଣ ନକରି କାର୍ଯ୍ୟାଦେଶକୁ ବାତିଲ କରିଦେଇଥିଲା । ଫଳରେ ଆବେଦନକାରୀ ଏହାକୁ ଚାଲେଞ୍ଜ କରି ହାଇକୋର୍ଟରେ ଏକ ମାମଲା ରୁଜୁ କରିବା ସହ ପୂର୍ବତଟ ରେଳବାଇ ସିନିୟର ଡିଭିଜନାଲ ମ୍ୟାନେଜର, ଜେନରାଲ ମ୍ୟାନେଜର, ଡିଭିଜନାଲ କୋ ଅର୍ଡିନେଟରଙ୍କୁ ପକ୍ଷଭୁକ୍ତ କରିଥିଲେ ।