ରାଜ୍ୟରେ ପ୍ରତିଷ୍ଠା ହେବ ୧୪ଟି ବନ୍ଦର
ଭୁବନେଶ୍ୱର, ୭/୯(ସକାଳଖବର): ଓଡିଶାରେ ୧୪ଟି ବନ୍ଦର ପ୍ରତିଷ୍ଠା ପାଇଁ ଓଡିଶା ସରକାର ସ୍ଥାନ ନିରୂପଣ କରିଛନ୍ତି । ସେଥିମଧ୍ୟରୁ ଭଦ୍ରକ ଜିଲ୍ଲାର ଧାମରା , ଗଂଜାମ ଜିଲ୍ଲାର ଗୋପାଳପୁର, ବାଲେଶ୍ୱର ଜିଲ୍ଲାର ସୁବର୍ଣ୍ଣରେଖା ମୁହାଁଣ ଓ ପୁରୀ ଜିଲ୍ଲାର ଅସ୍ତରଙ୍ଗ ଠାରେ ବନ୍ଦର ପ୍ରତିଷ୍ଠା ହେବ । ଏଥିପାଇଁ ସରକାର ଇଂଟରନ୍ୟାସନାଲ ସି ପୋର୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ , ଗୋପାଳପୁର ପୋର୍ଟସ୍ ଲିମିଟେଡ୍ , କି୍ରଏଟିଭ୍ ପୋର୍ଟ ଡେଭଲେପମେଂଟ ପ୍ରାଇଭେଟ୍ ଲିମିଟେଡ୍ ଓ ନବଯୁଗ ଇଂଜିନିୟରିଂ କମ୍ପାନୀ ଲିମିଟେଡ୍ ସହିତ ବିଲ୍ଡ, ଓନ୍ , ଅପରେଟ୍ , ସେୟାର ଆଣ୍ଡ ଟ୍ରାନ୍ସଫର (ବୁଷ୍ଟ) ଆଧାରରେ ରିହାତି ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି । ସେଥିମଧ୍ୟରୁ ୨ ଗୋଟି ବନ୍ଦର ଧାମରା ଓ ଗୋପାଳପୁର କାର୍ଯ୍ୟକ୍ଷମ ହୋଇ ପଣ୍ୟ କାରବାର ଚାଲୁ ରହିଛି ବୋଲି କଂଗ୍ରେସ ସଭ୍ୟ ନବ କିଶୋର ଦାସଙ୍କ ପ୍ରଶ୍ନର ଉତରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଡା. ନୃସିଂହ ଚରଣ ସାହୁ ଉଲ୍ଲେଖ କରିଛନ୍ତି ।
ସେ ସୂଚନା ଦେଇ କହିଛନ୍ତି ଯେ ଅନ୍ୟ ଦୁଇଗୋଟି ବନ୍ଦର ସୁବର୍ଣ୍ଣରେଖା ମୁହାଁ ଓ ଅସରଙ୍ଗର ବିକାଶ ନିମିତ ରାଜ୍ୟ ସରକାର ପ୍ରାରମ୍ଭିକ ପର୍ଯ୍ୟାୟରେ ୩୪ ବର୍ଷର ଅବଧି ନିମିତ ଚୁକ୍ତି କରିଛନ୍ତି । ଯାହା ମଧ୍ୟରେ ସର୍ବାଧିକ ୪ ବର୍ଷ ନିର୍ମାଣ କାର୍ଯ୍ୟ ଅନ୍ତର୍ଭୁକ୍ତ । ଯାହା ପରେ ୨ ଥର ପାଇଁ ବର୍ଦ୍ଧିତ କରାଯାଇପାରିବ । ସେହିପରି ଗୋପାଳପୁର ବନ୍ଦରର ବିକାଶ ନିମିତ ରାଜ୍ୟ ସରକାର ପ୍ରାରମ୍ଭିକ ପର୍ଯ୍ୟାୟରେ ୩୦ ବର୍ଷର ଅବଧି ନିମିତ ଚୁକ୍ତି କରିଛନ୍ତି । ଯାହା ପରେ ୨ ଥର ପାଇଁ ବର୍ଦ୍ଧିତ କରାଯାଇପାରିବ । କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ୍ ଅନ୍ତର୍ଗତ ଆଖଡାଶାଳି ଠାରେମହାନଦୀ ଉପରେ ଏକ ନଦୀ ଭିତିକ ବନ୍ଦର ପ୍ରତିଷ୍ଠା କରିବାକୁ ନୀତିଗତ ନିଷ୍ପତି ନିଆଯାଇଛି । ଏଥିପାଇଁ ସହଯୋଗୀ (ପିପିପି) ପାର୍ଟନର ଚୟନ ପ୍ରକ୍ରିୟା ଜାରୀ ରହିଛି ।