ରାଜ୍ୟର ଇସ୍ପାତ ଶିଳ୍ପଗୁଡିକର ସ୍ୱାର୍ଥ ରକ୍ଷା ପାଇଁ ୟୁସିସିଆଇକୁ ଓଡିଶା ସରକାରଙ୍କ ଆଶ୍ଵାସନା
ଭୁବନେଶ୍ୱର:ପ୍ରି-ଏମ୍ପସନ୍ ସ୍କିମ୍ ଅଧୀନରେ ଲୁହାପଥର ଆବଣ୍ଟନ ନିଶ୍ଚିତ କରିବାକୁ ଇସ୍ପାତ ଶିଳ୍ପସଂସ୍ଥାମାନଙ୍କ ଦାବିରେ ପ୍ରତିକ୍ରିୟା ପ୍ରକାଶ କରି ରାଜ୍ଯରେ ଅବସ୍ଥିତ ଇସ୍ପାତ ଶିଳ୍ପଗୁଡିକର ସ୍ୱାର୍ଥ ରକ୍ଷା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନେବାକୁ ୟୁସିସିଆଇର ଏକ ପ୍ରତିନିଧି ଦଳକୁ ଓଡିଶା ସରକାର ଆଶ୍ଵାସନା ଦେଇଛନ୍ତି ।
ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ୟୁସିସିଆଇ) ଏବଂ ଓଡ଼ିଶା ସ୍ପଞ୍ଜ ଆଇରନ୍ ମନୁଫ୍ଯାକ୍ଚରର୍ସ ଆସୋସିଏସନ (ଓସିମା) ଦ୍ଵାରା ରାଜ୍ୟ ଭିତ୍ତିକ ଶିଳ୍ପ ପାଇଁ ଲୁହାପଥର ଶୀଘ୍ର ବଣ୍ଟନ ନିମନ୍ତେ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ଆବେଦନ ପରେ ରାଜ୍ୟ ଶିଳ୍ପ ବିଭାଗ ୟୁସିସିଆଇକୁ ଏକ ବୈଠକ ନିମନ୍ତେ ଆମନ୍ତ୍ରଣ କରିଥିଲେ ।
ୟୁସିସିଆଇର ସଭାପତି ବ୍ରହ୍ମା ମିଶ୍ରଙ୍କ ନେତୃତ୍ୱରେ ୟୁସିସିଆଇର ଏକ ପ୍ରତିନିଧି ଦଳ ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା, ଇସ୍ପାତ ଏବଂ ଖଣି ପ୍ରମୁଖ ସଚିବ ଦେଓରଂଜନ କୁମାର ସିଂ, ଓଡିଶା ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ ବଲୱନ୍ତ ସିଂ, ଇପିକଲର ପରିଚାଳନା ନିର୍ଦ୍ଦେଶକ ବିଏସ୍ ପୁନିଆ, ଇସ୍ପାତ ଏବଂ ଖଣି ବିଭାଗର ସ୍ଵତନ୍ତ୍ର ସଚିବ ଡି.କେ ମହାନ୍ତି ଏବଂ ଅନ୍ୟାନ୍ୟ ବରିଷ୍ଠ ସରକାରୀ ଅଧିକାରୀଙ୍କ ସହିତ ଏକ ବୈଠକରେ ଯୋଗ ଦେଇଥିଲେ ।
ଗତ ସେପ୍ଟେମ୍ବର ୩୦ ତାରିଖ ଦିନ ଅନୁଷ୍ଠିତ ଏହି ବୈଠକରେ ୟୁସିସିଆଇର ପ୍ରତିନିଧି ଦଳ ଓଡିଶାରେ ଲୁହାପଥର ତୀବ୍ର ଅଭାବ ସମ୍ପର୍କରେ ଆଲୋଚନା କରିବା ସହିତ ଆବେଦନକାରୀ ଶିଳ୍ପାନୁଷ୍ଠାନଙ୍କୁ ପ୍ରି-ଏମ୍ପିସନ୍ ଯୋଜନା ଅଧୀନରେ ତୁରନ୍ତ ଲୁହାପଥର ଆବଣ୍ଟନ କରିବାକୁ ସରକାରଙ୍କୁ ଅନୁରୋଧ କରିଥିଲେ । ସୂଚନାଯୋଗ୍ୟଯେ, ଲୁହାପଥର ସଙ୍କଟକୁ ଦୂର କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରି-ଏମ୍ପିସନ୍ ସ୍କିମ୍ ଅଧୀନରେ ଲୁହାପଥର ଆବଣ୍ଟନ ପାଇଁ ୧୮ରୁ ଅଧିକ ଆବେଦନ ଗତ ତିନି ମାସରୁ ଅଧିକ ସମୟ ଧରି ଓଡିଶା ସରକାରଙ୍କ ନିକଟରେ ବିଚାରାଧୀନ ଅଛି। ଅଧିକ ସାମୟ ନଷ୍ଟ ନକରି ପ୍ରି-ଏମ୍ପିସନ୍ ସ୍କିମ୍ ଅଧୀନରେ ଲୁହାପଥର ତୁରନ୍ତ ବଣ୍ଟନ କରି ରାଜ୍ୟର ନିୟମ ଲାଗୁ କରିବାକୁ ୟୁସିସିଆଇର ପ୍ରତିନିଧି ଦଳ ଏହି ବୈଠକରେ ସରକାରଙ୍କୁ ଅନୁରୋଧ କରିଥିଲେ ।
“ଲୁହାପଥର ପାଇଁ ପ୍ରି-ଏମ୍ପିସନ୍ ପଲିସି ହେଉଛି ରାଜ୍ୟର ବଳିଷ୍ଠ ଶିଳ୍ପ ଅନୁକୂଳ ନୀତି ଯାହାକୁ ରାଜ୍ଯରେ ଖଣିଜ ସମ୍ପଦର ସର୍ବାଧିକ ଭ୍ୟାଲୁ ଆଡିସନକୁ ପ୍ରୋତ୍ସାହିତ କରିବା ପାଇଁ ଆମର ଦୂରଦୃଷ୍ଟିସମ୍ପନ୍ନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପ୍ରଣୟନ କରାଯାଇଛି । ଆମେ ସରକାରଙ୍କୁ ମନେ ପକାଇ ଦେଇଥିଲୁ ଯେ ରାଜ୍ଯଭିତ୍ତିକ ଶିଳ୍ପର ଅଭିବୃଦ୍ଧି ନିମନ୍ତେ ପୂର୍ବରୁ ମାନ୍ୟବର ହାଇକୋର୍ଟ ଏବଂ ମାନ୍ୟବର ସୁପ୍ରିମକୋର୍ଟରେ ଓଡିଶା ସରକାର ଫିମି ବିରୋଧରେ ଏହି ପ୍ରି-ଏମ୍ପିସନ୍ ସ୍କିମ୍କୁ ଏକ ଯଥାର୍ଥ ଯୋଜନା ଭାବରେ ଯୁକ୍ତି ରଖିଥିଲେ । ଏହି ପରିପ୍ରେକ୍ଷୀରେ ଏହି ଯୋଜନା ଅଧୀନରେ ଲୁହାପଥର ଆବଣ୍ଟନ ପାଇଁ ଅନୁରୋଧ କରୁଥିବା ଇସ୍ପାତ ନିର୍ମାତାଙ୍କ 18 ଟି ଆବେଦନକୁ ସରକାରଙ୍କ ଦ୍ଵାରା ବିଚାର କରିବାରେ ବିଳମ୍ବ ହେବାର କୌଣସି କାରଣ ନହିଁ । ପ୍ରି-ଏମ୍ପସନ୍ ହେଉଛି ଆମ ରାଜ୍ଯର ନିୟମ, ଏହା ଓଡିଶା ଭିତ୍ତିକ ଇସ୍ପାତ ଶିଳ୍ପକୁ ବଞ୍ଚାଇବା ନିମନ୍ତେ ଆବଶ୍ୟକ,” ୟୁସିସିଆଇର ସଭାପତି ଶ୍ରୀ ବ୍ରହ୍ମା ମିଶ୍ର କହିଛନ୍ତି ।
ସେପ୍ଟେମ୍ବର ୩୦ ତାରିଖ ବୈଠକରେ ଏହି ପ୍ରତିନିଧି ଦଳର କଥାକୁ ଶୁଣିବା ପରେ ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା କହିଥିଲେ ଯେ, ରାଜ୍ୟରେ ଇସ୍ପାତ କ୍ଷେତ୍ରରେ ପୁଞ୍ଜିନିବେଶ କରିଥିବା ଶିଳ୍ପସଂସ୍ଥାକୁ ରାଜ୍ୟ ସରକାର ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବେ ।
“ପ୍ରି-ଏମ୍ପିସନ୍ ସ୍କିମ୍ ଅଧୀନରେ ୧୮ଟି ରାଜ୍ୟ ଭିତ୍ତିକ କାରଖାନା ରାଜ୍ୟ ସରକାରଙ୍କ ନିକଟରେ ଆବେଦନ କରି, ଲୁହାପଥର ଯୋଗାଣ ପାଇଁ ତିନିମାସରୁ ଅଧିକ ସମୟ ହେବ ଅପେକ୍ଷା କରିଛନ୍ତି । ଏହି ବୈଠକ ପରେ, ଆମେ ଆଶା କରୁଛୁ ଯେ ରାଜ୍ୟ ସରକାର ତାଙ୍କର ପ୍ରି-ଏମ୍ପସନ୍ ନିୟମକୁ କାର୍ଯ୍ୟକାରୀ କରିବେ ଏବଂ ଆସନ୍ତା ଦୁଇ ରୁ ତିନି ଦିନ ମଧ୍ୟରେ ଆବେଦନ କରିଥିବା ଶିଳ୍ପ ସଂସ୍ଥାକୁ ଏହି ପ୍ରି-ଏମ୍ପସନ୍ ସ୍କିମରେ ଲୁହାପଥର ଆବଣ୍ଟନ କରିବେ। ତଥାପି ଯଦି ଏକ ସପ୍ତାହ ମଧ୍ୟରେ କୌଣସି ଆବଣ୍ଟନ କରାଯିବ ନାହିଁ, ତା’ହେଲେ ଓଡିଶା ଭିତ୍ତିକ ଇସ୍ପାତ ଶିଳ୍ପଗୁଡିକର ସ୍ଵାର୍ଥର ସୁରକ୍ଷା ପାଇଁ ଆମେ ଆମର ଉଦ୍ୟମକୁ ଆହୁରି ଅଧିକ କରିବା ପାଇଁ ବାଧ୍ୟ ହେବୁ । ଏହା ଓଡିଶାର ଇସ୍ପାତ ଶିଳ୍ପ, ଓଡିଶାର ଅର୍ଥନୀତି ଏବଂ ରାଜ୍ୟରେ ଥିବା ଇସ୍ପାତ ଶିଳ୍ପ ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ବଞ୍ଚିବାର ବିଷୟ” ବୋଲି ମିଶ୍ର ସୂଚନା ଦେଇଛନ୍ତି।
ପ୍ରି ଏମ୍ପିସନ୍ ନୀତି ଅନୁଯାୟୀ, ଓଡିଶାରେ ଉତ୍ପାଦିତ ଲୁହାପଥରର ଅତିକମରେ ୫୦ ପ୍ରତିଶତ ରାଜ୍ୟ ଭିତ୍ତିକ ଶିଳ୍ପକୁ ଆବଣ୍ଟନ ପାଇଁ ସଂରକ୍ଷିତ ହେବା ସହିତ ଏବଂ ପ୍ରଚଳିତ ଆଇବିଏମ୍ ମୂଲ୍ୟରେ ଯୋଗାଇ ଦିଆଯିବା ଆବଶ୍ୟକ।