ରଙ୍ଗବତୀ କାର୍ଯ୍ୟକ୍ରମ ଉଦ୍ୟାପିତ

May 11, 2018 - 14:16
 169
ରଙ୍ଗବତୀ କାର୍ଯ୍ୟକ୍ରମ ଉଦ୍ୟାପିତ
କଟକ,୧୧ା୫ (ସକାଳଖବର): ପଶ୍ଚିମ ଓଡ଼ିଶା ନୃତ୍ୟ ସଂଗୀତ ଉତ୍ସବ ରଙ୍ଗବତୀ କାର୍ଯ୍ୟକ୍ରମର ଶେଷ ସଂଧ୍ୟାରେ ମା ସମଲେଇଙ୍କ ବନ୍ଦନାରେ କଳାବିକାଶ କେନ୍ଦ୍ରର ପ୍ରେକ୍ଷାଳୟ ଝୁମି ଉଠିଥିଲା । ଏହି ଅବସରରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ରମେଶ ସୁନା ଓ ସାଥୀ ମଧ୍ୟ ସଂଗୀତ ପରିବେଷଣ କରି ପ୍ରେକ୍ଷାଳୟରେ ଜନସାଧାରଣଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ସଂଗୀତର ସୁମଧୁର ଧ୍ୱନି ସାଙ୍ଗକୁ ସୁବର୍ଣ୍ଣପୁର ପଏଁରୀ ଅନୁଷ୍ଠାନ ସମେତ ଝାରସୁଗୁଡ଼ା ଅଞ୍ଚଳର ମାଧବ ପଲାଇ ଓ ସାଥୀଙ୍କ ଦ୍ୱାରା ସମ୍ବଲପୁରୀ ନୃତ୍ୟରେ ଦର୍ଶକ ହଜିଯାଇଥିବାବେଳେ କଳାହାଣ୍ଡି ଭବାନୀପାଟଣା ପ୍ରତିଭା ଅନୁଷ୍ଠାନର କଳାକାରଙ୍କ ଦ୍ୱାରା ଆୟୋଜିତ ସିଘାଂରୀ ନୃତ୍ୟ ଦର୍ଶକଙ୍କୁ ଉଲ୍ଲସିତ କରି ପାରିଥିଲା । ରାଜ୍ୟସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅନୁକୂଲ୍ୟରେ କଟକ ଜିଲ୍ଲା ସଂସ୍କୃତି ପରିଷଦ ସହଯୋଗରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଆୟୋଜିତ ରଙ୍ଗବତୀ କାର୍ଯ୍ୟକ୍ରମର ଅନ୍ତିମ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ସିଏମସି ମେୟର ମିନାକ୍ଷୀ ବେହେରା ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥିଭାବେ ବିଶିଷ୍ଟ ହିନ୍ଦୁସ୍ଥାନୀ କଣ୍ଠଶିଳ୍ପୀ ଏ. ମହେଶ୍ୱର ରାଓ, ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ମୀରା ଦାସ, ଓଡ଼ିଶୀ ଗବେଷଣା କେନ୍ଦ୍ର ମୁଖ୍ୟକାର୍ଯ୍ୟନିର୍ବାହୀ ଡକ୍ଟର ସଂଗୀତା ଗୋସାଇଁ ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମର ଉଦେ୍ଧଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସଚିବ ଡକ୍ଟର ବିଜୟ କୁମାର ଜେନା ଉତ୍ସବର ଆଭିମୁଖ୍ୟ ସମ୍ପର୍କରେ ପ୍ରକାଶ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ । ମନୋଜ କୁମାର ପ୍ରଧାନ ରଙ୍ଗବତୀ କାର୍ଯ୍ୟକ୍ରମର ମଞ୍ଚପରିଚାଳନା କରିଥିବାବେଳେ ଅନୁଷ୍ଠାନର ଭବାନୀ ଚରଣ ପଣ୍ଡା, ମମତା ପାତ୍ର ପ୍ରମୁଖ ସହଯୋଗ କରିଥିଲେ । କଳାବିକାଶ କେନ୍ଦ୍ର ସମ୍ପାଦକ ପ୍ରଫୁଲ୍ଲ କୁମାର ସାହୁ ଧନ୍ୟବାଦ ଦେଇଥିଲେ ।