ମାହାଙ୍ଗା ଡବଲ୍‌ ମର୍ଡର ମାମଲାରେ ପୁଲିସକୁ ଧକ୍କା, ଆଇଆଇସିଙ୍କ ପିଟିସନ ଖାରଜ

Dec 8, 2021 - 10:55
 106
ମାହାଙ୍ଗା ଡବଲ୍‌ ମର୍ଡର ମାମଲାରେ ପୁଲିସକୁ ଧକ୍କା, ଆଇଆଇସିଙ୍କ ପିଟିସନ ଖାରଜ
ଭୁବନେଶ୍ୱର: ହରଡ଼ଘଣାରେ ପୁଲିସ ବାବୁ। ଏଥର ପୁଣି କୋର୍ଟରୁ ଲାଗିଛି ବଡ଼ ଝଟକା। ବହୁ ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ଏବେ ଅଡୁଆରେ ପଡ଼ିଛନ୍ତି ମାହାଙ୍ଗା ଥାନା ଆଇଆଇସି ନିହାର ମହାନ୍ତି। ସାଲେପୁର ଜେଏମଏଫସି କୋର୍ଟର ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ମାହାଙ୍ଗା ଆଇଆଇସଙ୍କ ଜେଏମଏପକ୍ଷରୁ ଦାୟର ରିଭିଜନ ପିଟିସନ ଖାରଜ କରି ଦେଇଛନ୍ତି ସାଲେପୁର ଏଡିଜେ। ତଳକୋର୍ଟଙ୍କ ନିର୍ଦ୍ଦେଶକୁ ବିରୋଧ କରି ପୁନଃ ତଦନ୍ତ ଓ ସିଡିଆର ଦାଖଲ ନିର୍ଦ୍ଦେଶର ରିଭିଜନ ଚାହିଁଥିଲା ମାହାଙ୍ଗା ପୁଲିସ। ତେବେ ଏହି ଆବେଦନ ଗ୍ରହଣୀୟ ନୁହେଁ କହି ପିଟିସନ ଖାରଜ କରି ଦେଇଛନ୍ତି ସାଲେପୁର ଏଡିଜେ। ମାହାଙ୍ଗା ଡବଲ ମର୍ଡର ଘଟଣାରେ ପ୍ରୋଟେଷ୍ଟ ପିଟିସନ ବଳରେ ପୁନଃ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ସାଲେପୁର JMFC। ଏହି ହତ୍ୟାକାଣ୍ଡରେ ୧୩ ନମ୍ବର ମୁଦାଲା ଥିବା ସ୍ଥାନୀୟ ବିଧାୟକ ତଥା ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ତଦନ୍ତ ପରିସରକୁ ଆଣି ସାନି ଚାର୍ଜସିଟ ଦାଖଲ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ ସାଲେପୁର ତଳ କୋର୍ଟ। ଏହା ସହ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ତଥା ପିଏ ବାପି ବିଶ୍ୱାଳ, ମୃତ ପ୍ରଫୁଲ୍ଲ ବିଶ୍ୱାଳ ଓ ସ୍ଥାନୀୟ ବ୍ଲକ ଚେୟାରମ୍ୟାନ ଶରତ ନାୟକଙ୍କ ୩ ମାସର ସିଡିଆର ରିପୋର୍ଟ ମାଗିଥିଲେ କୋର୍ଟ। କୋର୍ଟଙ୍କ ଏହି ନିର୍ଦ୍ଦେଶନାମା ବିରୋଧରେ ମାହାଙ୍ଗା ଥାନା ଆଇଆଇସି ସାଲେପୁର ଏଡିଜେଙ୍କ ଦ୍ୱାରସ୍ଥ ହୋଇ ରିଭିଜନ ପିଟିସନ ଫାଇଲ କରିଥିଲେ। ହେଲେ ଏହି ପିଟିସନକୁ ଖାରଜ କରି ଦେଇଛନ୍ତି ଏଡିଜେ। ଫଳରେ ମାହାଙ୍ଗା ପୁଲିସ୍‌ ଉପରେ କୋର୍ଟର ବଡ ପ୍ରହାର ବସିଥିବା ସୂଚନା ଦେଇଛନ୍ତି ପ୍ରତିପକ୍ଷ ରମାକାନ୍ତ ବରାଳଙ୍କ ଓକିଲ ପ୍ରବୀଣ କାନୁନଗୋ।