ମହାବାହୁଙ୍କୁ ଲାଗି ହେଲା ରାହୁରେଖା

Aug 22, 2019 - 06:40
 241
ପୁରୀ, ୨୧/୮(ସକାଳଖବର): ଶ୍ରୀମନ୍ଦିରରେ ଆଜି ରେଖା ପଂଚମୀ ଅବସରରେ ମହାବାହୁଙ୍କୁ ରାହୁରେଖା ଲାଗି କରାଯାଇଛି । ସ୍ନାନପୂର୍ଣ୍ଣମୀ ଦିନ ପହଣ୍ଡି ହେବା ପୂର୍ବରୁ ରାହୁରେଖା ଓଲାଗି କରାଯାଇଥିଲା । ଶ୍ରୀଜିଉମାନଙ୍କ ମସ୍ତକରେ ସୁବର୍ଣ୍ଣର ରାହୁରେଖା ପଟି ବନ୍ଧା ଯାଇଥିଲା । ଏହାକୁ ଦଇତାପତି ସେବକମାନେ ଲାଗି କରିଥିଲେ । ଭାଦ୍ରବ କୃଷ୍ଣପକ୍ଷ ପଂଚମୀ ବୁଧବାର ବିଭିନ୍ନ ନୀତି ଅନୁଷ୍ଠିତ ହେବା ପରେ ଦିନ ୧ଟାରେ ଭୋଗମଣ୍ଡପ ଶେଷ ହୋଇଥିଲା । ଭୋଗମଣ୍ଡପ ପରେ ରାହୁରେଖା ନୀତି ଆରମ୍ଭ ହୋଇଥିଲା । ଭଣ୍ଡାର ମେକାପ ରାହୁରେଖା ଆଣି ପତି ମହାପାତ୍ରଙ୍କୁ ଦେଇଥିଲେ । ପତି ମହାପାତ୍ର ରାହୁରେଖାକୁ ସଂସ୍କାର କରିବା ପରେ ଦଇତାପତିଙ୍କୁ ଦେଇଥିଲେ । ଦଇତାପତି ସେବକମାନେ ଓଷୁଅ ଲଗାଇ ରାହୁରେଖାକୁ ଶ୍ରୀଜିଉଙ୍କ ମସ୍ତକରେ ଲାଗି କରିଥିଲେ । ଏହା ଏକ ଗୁପ୍ତ ସେବା ହୋଇଥିବାରୁ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ହୋଇଥିଲା । ଅପରାହ୍ନ ୨ଟାରୁ ୫ଟା୨୫ ପର୍ଯ୍ୟନ୍ତ ଏହି ଗୁପ୍ତ ନୀତି ଅନୁଷ୍ଠିତ ହୋଇଥିଲା । ନୀତି ସଂପନ୍ନ ପରେ ମହାପ୍ରଭୁଙ୍କୁ ମହାସ୍ନାନ କରାଯାଇଥିଲା । ସନ୍ଧ୍ୟା ୬ଟା ୫ରେ ଭକ୍ତମାନେ ଚତୁର୍ଦ୍ଧାମୂର୍ତିଙ୍କୁ ଦର୍ଶନ କରିଥିଲେ ।