ମହାନଦୀ ଲଢେ଼ଇ ବିଜେଡିର ନୁହେଁ, ସାରା ଓଡ଼ିଶାର: ନବୀନ

May 19, 2018 - 14:09
 129
ମହାନଦୀ ଲଢେ଼ଇ ବିଜେଡିର ନୁହେଁ, ସାରା ଓଡ଼ିଶାର: ନବୀନ
ଭୁବନେଶ୍ୱର,୧୯/୫/( ସକାଳଖବର): ବିଜୁ ଜନତା ଦଳର ମହାନଦୀ ମହାସଂଗ୍ରାମ ଦ୍ୱିତୀୟ ପର୍ଯ୍ୟାୟରେ ମହାନଦୀ ସୁରକ୍ଷା ଅଭିଯାନ ମଇ ୧୬ରୁ ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ବ୍ରଜରାଜନଗର ନିର୍ବାଚନମଣ୍ଡଳୀର ସୁଖାଶୋଡ଼ା ଏବଂ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକସ୍ଥିତ ଚିଖଲି ଠାରୁ ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବା ସହି ଅତି ସ୍ପଷ୍ଟ ଭାବେ ଘୋଷଣା କରିଛନ୍ତି, ମହାନଦୀ ପାଇଁ ଲଢେ଼ଇ କେବଳ ବିଜେଡିର ନୁହେଁ, ଏ ଲଢେ଼ଇ ସାରା ଓଡ଼ିଶାବାସୀଙ୍କର । ଏହି ଲଢେ଼ଇ ଭବିଷ୍ୟତ ପୀଢ଼ିଙ୍କୁ ସୁରକ୍ଷିତ ରଖିବାକୁ ଉଦ୍ଧିଷ୍ଟ । ଶ୍ରୀ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ମହାନଦୀ ଓଡ଼ିଶାର ଜୀବନରେଖା । ଆମର ମା’ । ମହାନଦୀକୁ ଛାଡ଼ି ଓଡ଼ିଆ ଜାତିର କଳ୍ପନା କରାଯାଇପାରିବ ନାହିଁ । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟରେ କେନ୍ଦ୍ରର ବିଜେପି ସରକାର ଓ ଛତିଶଗଡ଼ର ବିଜେପି ସରକାରଙ୍କ ମନୋବୃତ୍ତି ଓଡ଼ିଶା ବିରୋଧୀ । ଓଡ଼ିଶାର ବିଜେପି ନେତାମାନେ ଛତିଶଗଡ଼ର କାମକୁ ସମର୍ଥନ କରୁଛନ୍ତି । ଆଉ ଓଡ଼ିଶା ଆସି ଏଠାରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଯଦି ବିଜେପି ନେତାଙ୍କର ଓଡ଼ିଆଙ୍କ ପ୍ରତି, ଓଡ଼ିଶା ପ୍ରତି ଦରଦ ଅଛି, ତେବେ ଛତିଶଗଡ଼ ସରକାରର କାମକୁ ବିରୋଧ କରନ୍ତୁ । ସେମାନେ ଛତିଶଗଡ଼ର ବିଜେପି ସରକାରଙ୍କୁ ବିରୋଧ କରିପାରିବେ କି? ବିଜୁ ଜନତା ଦଳ ସରକାର ମହାନଦୀ ପାଇଁ ସୁପ୍ରିମକୋର୍ଟ ଯାଇଥିଲା ଏବଂ ଆମ ଦାବି ‘ଳରେ ଆଜି ଟ୍ରିବୁ୍ୟନାଲ ଗଠନ କରାଯାଇଛି । ଆପଣମାନେ ଜାଣନ୍ତି, ବର୍ଷା ଦିନେ ମହାନଦୀରେ ପାଣି ସମସ୍ୟା ନାହିଁ । କିନ୍ତୁ ଛତିଶଗଡ଼ରେ ଅନେକ ବ୍ୟାରେଜ ନିର୍ମାଣ ଯୋଗୁ ଅନ୍ୟ ଋତୁରେ ମହାନଦୀ ଶୁଖିଲା ରହୁଛି । ହୀରାକୁଦର ପାଣି କମି ଯାଉଛି । କିଛି ଜାଗାରେ ବ୍ୟାରେଜ ନିର୍ମାଣ ହେଲେ ସମସ୍ୟାର ସମାଧାନ ହେବ ନାହିଁ । ବ୍ୟାରେଜ ପାଖରେ ପାଣି ରହିବ । କିନ୍ତୁ ମହାନଦୀର ସମୁଦାୟ ୫୦୦ କିଲୋମିଟର ଅଂଶରେ ପାଣି ମିଳିବ ନାହିଁ । ରବି ଚାଷ ପାଇଁ ପାଣି ମିଳିବ ନାହିଁ । ମତ୍ସ୍ୟଜୀବୀଙ୍କ ଜୀବିକା କ୍ଷତିଗ୍ରସ୍ତ ହେବ । ଚାଷୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ମହାନଦୀରେ ଅନେକ ମେଗା ଲିଫ୍ଟ କରିଛନ୍ତି । ଆଗକୁ ମଧ୍ୟ ଆହୁରି କରାଯିବ । ସେହିପରି କିଛି ସ୍ଥାନରେ ବ୍ୟାରେଜ୍‍ ମ୍ମ କରାଯିବ । କିନ୍ତୁ ଲୋକ ଯେପରି ବିସ୍ଥାପିତ ନହେବେ, ସେଥିପ୍ରତି ଧ୍ୟାନ ଦେଇ କାମ କରାଯିବ । ମହାନଦୀ ଓଡ଼ିଆ ଜାତିର ଗୌରବ ଓ ଗରିମାର ସାକ୍ଷୀ । ମହାନଦୀକୁ ଆମେ ଶୁଖିଲା ହେବାକୁ ଦେବୁ ନାହିଁ । ମହାନଦୀ ପାଇଁ ଲଢେ଼ଇ କେବଳ ବିଜୁ ଜନତା ଦଳର ନୁହେଁ । ଏହା ସାରା ଓଡ଼ିଶାବାସୀଙ୍କର ଲଢେ଼ଇ । ଆମର ଭବିଷ୍ୟତ ପୀଢ଼ି ପାଇଁ ଏହି ଲଢେ଼ଇ । ତେଣୁ ଦଳ ମତ ଉପରକୁ ଉଠି ଏ ଅଭିଯାନରେ ସାମିଲ ହେବା ପାଇଁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ ।