ମମିତା ନିଖୋଜ ମାମଲା: ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆଜି କଳାହାଣ୍ଡି ବନ୍ଦ

Oct 20, 2021 - 06:59
 73
ଭବାନୀପାଟଣା : ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହର ନିଖୋଜ ମାମଲାରେ ଆଜି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ଡାକରା ଦେଇଛି ବିଜେପି । ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ ଏହି ବନ୍ଦ ଡାକରା ଦିଆଯାଇଛି। ମମିତା ନିଖୋଜ ମାମଲା ପଛରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କର ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହ ଘନିଷ୍ଠ ସମ୍ପର୍କ ଥିବା ଅଭିଯୋଗ ଆଣିଛି ବିଜେପି। ତେଣୁ ତାଙ୍କ ଇସ୍ତଫା ଦାବିକୁ ଜୋରଦାର୍ କରି ବନ୍ଦ ଡାକରା ଦେଇଛି ଜିଲ୍ଲା ବିଜେପି । ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ଶିକ୍ଷା ଅନୁଷ୍ଠାନ ଓ କାର୍ଯ୍ୟାଳୟ ସହିତ ଦୋକାନ ବଜାର ଏବଂ ଗାଡ଼ି ଚଳାଚଳ ବନ୍ଦ କରିବାକୁ ଦଳ ନିବେଦନ କରିଛି। ଏହି ଘଟଣାର ସିବିଆଇ ତଦନ୍ତ କରି ଦୋଷୀକୁ ଧରିବାକୁ ଦାବି ଜଣାଇଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ଏ ନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ସମ୍ପୃକ୍ତ ବିଦ୍ୟାଳୟରେ ସେକ୍ସ ରାକେଟ ଚାଲୁଥିବା ନେଇ ହୋଇଥିବା ଅଭିଯୋଗର ତଦନ୍ତ ଦାବି ସହ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ଉଚିତ୍‌ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ବିରୋଧୀ ଦଳ ନେତା। ଏହାସହ ମନ୍ତ୍ରୀ ଗୃହ ବିଭାଗ ଦାୟିତ୍ୱରେ ଥିବାରୁ ତଦନ୍ତ ଠିକ୍ ଚାଲିପାରିବନି ବୋଲି ଲେଖିଛନ୍ତି ପ୍ରଦୀପ୍ତ ।