ଭୂମି ଅଧିକାର ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି

Nov 15, 2018 - 16:36
 189
ଭୂମି ଅଧିକାର ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି
ଭୁବନେଶ୍ୱର, ୧୫/୧୧ (ସକାଳଖବର): ପୁରୀରେ ଯାଗା ମିଶନରେ ଭୂମିହୀନ ବସ୍ତିବାସିନ୍ଦାଙ୍କ ପାଇଁ ଭୂମି ଅଧିକାର ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀ ମିଥ୍ୟା ତଥ୍ୟର ସୌଦାଗର, ଜଣେ ରାଧୁଆ ମିଛୁଆ ଓ ଦିନରେ ଲଣ୍ଠନ ଦେଖାଇବାର ଅପଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିଜେପି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର । ମୁଖ୍ୟମନ୍ତ୍ରୀ ୭ ମେ, ୨୦୧୮ରେ ଛତ୍ରପୁରଠାରେ ପ୍ରଥମେ ବସ୍ତିବାସିନ୍ଦାଙ୍କୁ ପଟ୍ଟା ଯୋଗାଇବାର କାର୍ଯ୍ୟକ୍ରମ ଆୟୋଜନ କରି ୨୦୦୦ ବସ୍ତିବାସିନ୍ଦାଙ୍କୁ ଜମିପଟ୍ଟା ଯୋଗାଇବାର ଘୋଷଣା କରିଥିଲେ । ଏହି ଅବସରରେ ପ୍ରକାଶିତ ବିଜ୍ଞାପନରେ ୧ ବର୍ଷ ମଧ୍ୟରେ ୨୫୦୦ ସହରାଂଚଳ ବସ୍ତିରେ ରହୁଥିବା ୧୦ ଲକ୍ଷ ପରିବାରଙ୍କୁ ଜମିପଟ୍ଟା ଯୋଗାଇ ଦେବା ପାଇଁ ଘୋଷଣା କରିଥିଲେ । ଯେଉଁ ୨୦୦୦ ପରିବାରକୁ ଜମିପଟ୍ଟା ଯୋଗାଇ ଥିଲେ ସେମାନେ ସେମାନଙ୍କ ଜମିର ଦଖଲ ପାଇବା ଉପରେ ଏବେ ବି ସନେ୍ଦହ ରହିଛି । ଯଦି ସରକାର ଥି୍ର-ଟିରେ ବିଶ୍ୱାସ କରୁଛନ୍ତି ଟେକ୍ନୋଲୋଜି ବ୍ୟବହାର କରି ଏହି ୨୦୦୦ ଲୋକଙ୍କ ନାଁ ତାଲିକା ୱେବସାଇଟ୍ ମାଧ୍ୟମରେ ସାର୍ବଜନୀନ କରିବା ସହ କେବେ ଜମିର ଦଖଲ ଦିଆଗଲା ଏହାର ତାରିଖ ଓ ପ୍ରମାଣର ଫଟୋଚିତ୍ର ତୁରନ୍ତ ପ୍ରକାଶ କାହିଁକି କରୁନାହାଁନ୍ତି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମ ପରେ ଦୀର୍ଘ ବ୍ୟବଧାନ ପରେ ପୁରୀଠାରେ ଆଜି ମୁଖ୍ୟମନ୍ତ୍ରୀ ଜମିପଟ୍ଟା ଯୋଗାଇ ଦେବାର କାର୍ଯ୍ୟକ୍ରମ କରୁଛନ୍ତି । ଛତ୍ରପୁର ପରେ ରାଜ୍ୟରେ ଗଣମାଧ୍ୟମରେ ୧୪ ଅଗଷ୍ଟ,୯ ସେପ୍ଟେମ୍ବରରେ ପ୍ରକାଶ ପାଇଥିବା ବିଜ୍ଞାପନକୁ ଗଣମାଧ୍ୟମ ସାମ୍ନାରେ ଉପସ୍ଥାପିତ କରିଛନ୍ତି ଶ୍ରୀ ମହାପାତ୍ର । ଛତ୍ରପୁର ସମେତ ଏହି ୨ ବିଜ୍ଞାପନରେ ରାଜ୍ୟସରକାର ୨୫୦୦ ବସ୍ତିର ୧୦ ଲକ୍ଷ ପରିବାରକୁ ଏହି ଲାଭ ମିଳିବ ବୋଲି ପ୍ରକାଶିତ ହୋଇଥିଲା । ମାତ୍ର ଆଜି ପୁରୀ କାର୍ଯ୍ୟକ୍ରମ ପାଇଁ ପ୍ରକାଶିତ ବିଜ୍ଞାପନରେ ୧୮ ଲକ୍ଷ ବସ୍ତିବାସିନ୍ଦା ଏହି ଯୋଜନାରେ ଜମିପଟ୍ଟା ପାଇବେ ବୋଲି ଘୋଷଣା କରାଯାଇଛି । ରାଜ୍ୟସରକାର ଗୋଟିଏ ପଟେ ପଟ୍ଟା ସଂଖ୍ୟାକୁ ନେଇ ମିଛ କହି ଦିନରେ ଲଣ୍ଠନ ଦେଖାଉଛନ୍ତି ଓ ଅପର ପକ୍ଷରେ ହିତାଧିକାରୀ ଚୟନ ସମ୍ପୂର୍ଣ୍ଣ ବିବାଦାସ୍ପଦ । କଟକ ମେୟର ଟଙ୍କିକିଆ ଚାଉଳ ପାଇବା ପାଇଁ ଯୋଗ୍ୟ ହିତାଧିକାରୀ ହେବା ଭଳି ବସ୍ତିରେ ଜମିପଟ୍ଟା ଯୋଗାଇ ଦେବା ପାଇଁ ଶାସକ ଦଳର ମନ୍ତ୍ରୀ, ବିଧାୟକ ଓ ନେତାମାନେ ଦଳୀୟ ଆଧାରରେ ହିତାଧିକାରୀ ଚୟନ କରିବାରେ ଲାଗିଛନ୍ତି ବୋଲି ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି । କାର୍ଯ୍ୟକ୍ରମର ଉଦ୍ଘାଟନ ୭ ମେ ରେ ୨୦୦୦ ତଥାକଥିତ ହିତାଧିକାରୀ ଚୟନ ପରେ ୧୫ ନଭେମ୍ବର ୨୦୧୮ ଆଜି ଦିନ ପର୍ଯ୍ୟନ୍ତ ଏହି ଯୋଜନାର କାହିଁକି କୌଣସି ପ୍ରଗତି ହୋଇପାରିଲା ନାହିଁ ବୋଲି ମୁଖ୍ୟମନ୍ତ୍ରୀ ପୁରୀ କାର୍ଯ୍ୟକ୍ରମଠାରେ ଉତର ଦେବା ପାଇଁ ଶ୍ରୀ ମହାପାତ୍ର ଆହ୍ୱାନ ଜଣାଇଛନ୍ତି ।୧୦ ଲକ୍ଷରୁ ୧୮ ଲକ୍ଷ ପର୍ଯ୍ୟନ୍ତ ଲକ୍ଷ୍ୟ କେବେ ବଢିଲା ମୁଖ୍ୟମନ୍ତ୍ରୀ ତାହା ସ୍ପଷ୍ଟ କରନ୍ତୁ । ଆଜି ଦିନରେ ଏହାର ପ୍ରଗତି ଓ ଏଥିରେ ଯୋଡ଼ା ହୋଇଥିବା ଆଉ ୮ ଲକ୍ଷ କେବେ ପୂରଣ ହେବ ପୁରୀ ମାଟିରୁ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ।