ଭଙ୍ଗାଗଲା ଏମାର ମଠ

Sep 2, 2019 - 07:17
 119
ଭଙ୍ଗାଗଲା ଏମାର ମଠ
ପୁରୀ, ୨୯/୮(ସକାଳଖବର): ଏମାର ମଠରୁ ଭଙ୍ଗାଯିବା ସମୟରେ ମିଳିଛି ଗୁପ୍ତ ସୁଡଙ୍ଗ । ୬ ଶହ ବର୍ଷ ପୂର୍ବେ ଏହି ସୁଡଙ୍ଗ ନିର୍ମିତ ହୋଇଥିବା ଅନୁମାନ କରାଯାଉଛି । ଗତ ୮ବର୍ଷ ତଳେ ଏମାର ମଠର ମରାମତି ସମୟରେ ୫୨୨ ଖଣ୍ଡ ରୂପାଇଟା ଯାହାର ଓଜନ ୧୮ଟନରୁ ଅଧିକ ମିଳିବା ପରେ ସେଗୁଡିକ ପୁଲିସ ଲାଇନ ଷ୍ଟ୍ରଙ୍ଗରୁମରେ ରଖାଯାଇଛି । ମଠର ପଛପଟେ ଥିବା କିଛି କର୍ମଚାରୀଙ୍କ ଘର ଓ ଗୁହାଳ ଘର ଗତକାଲିଠାରୁ ଭଙ୍ଗାଯାଇଛି । ପୁରୁଣା ଘରେ ଥିବା ମଠ ମହନ୍ତ ରାଜଗୋପାଳ ରାମାନୂଜ ଦାସ ଧ୍ୟାନରେ ବସିଛନ୍ତି । ଗୁରୁବାର ସକାଳୁ ୨ଟି ବୋଲଡୋଜର ସାହାଯ୍ୟରେ ମଠ ଭଙ୍ଗାକାର୍ଯ୍ୟ ଆରମ୍ଭ ହୋଇଥିଲା । ମଠର ପଛପାଶ୍ୱର୍ରେ ଥିବା ରହସ୍ୟମୟ କୋଠିଘର ଭଙ୍ଗାଯାଇଥିଲା । ଏହି କୋଠିଘର ଭାଙ୍ଗିବା ପରେ କୋଠିଘର ତଳେ ଏକ ଗୁପ୍ତ ସୁଡଙ୍ଗ ଦେଖିବାକୁ ମିଳିଥିଲା । କାଳେ ତା ଭିତରେ ବିଷଧର ସର୍ପ ଥିବେ ସେଥିପାଇଁ ସ୍ନେକ ହେଲ୍ପ ଲାଇନର ୩ଜଣ ସଦସ୍ୟ ବାଡି ଓ ଟର୍ଚ୍ଚ ଧରି ଭିତରେ ପଶି ଥିଲେ । କିଛି ବାଟ ଯିବାପରେ ସୁଡଙ୍ଗର ବାଟକୁ ବଡ ପଥରରେ ବନ୍ଦ କରି ଦିଆଯାଇଛି । ସେହି ବନ୍ଦ ସୁଡଙ୍ଗ ଭିତରେ ମୂଲ୍ୟବାନ ଧନ ସମ୍ପତି ରଖାଯାଇଥିବା ଅନୁମାନ କରାଯାଏ । ସେହିପରି ରଘୁନନ୍ଦନ ପାଠାଗାର ପଛପଟ ଅଳ୍ପ ଅଳ୍ପ ଭଙ୍ଗାଯାଇଛି । ୪ ମହଲା ବିଶିଷ୍ଟ ପାଠାଗାର ଉପରେ ଛୋଟ ଛୋଟ ୨ଟି ସିଡି ଘର ନିର୍ମାଣ କରାଯାଇଥିଲା । ଉପର ଘର ଛାତ ଉପରେ ବିଦେଶୀମାନେ ଶ୍ରୀମନ୍ଦିରର ଦୃଶ୍ୟକୁ ଦେଖିବା ସହ ଫଟୋ ଉତୋଳନ କରୁଥିଲେ । ପାଠାଗାରର ଉପର ଅଂଶକୁ ଶ୍ରମିକ ମାନଙ୍କ ଦ୍ୱାରା ନିଅଣ ଓ ହାତୁଡିରେ ଛାତଗୁଡିକ ଭଙ୍ଗାଯାଇଛି । ଦୁଇମହଲା ଛାତ ଭାଙ୍ଗିବା ପରେ ବୋଲଡୋଜର ସାହାଯ୍ୟରେ ଅନ୍ୟ ଦୁଇ ମହଲା ଭାଙ୍ଗିବା ପାଇଁ ପ୍ରୟାସ ଜାରି ରହିଛି । ମଠ ଭିତରେ ଏବେ ଟ୍ରକ୍ ଟ୍ରକ୍ ଭଙ୍ଗାଇଟା ଗଦା ହୋଇ ରହିଛି । ଜେସିପି ଓ ହାଇୱା ସାହାଯ୍ୟରେ ଭଙ୍ଗା ଇଟାଗୁଡିକ ବୁହାଯାଉଛି । ଗତକାଲିଠାରୁ ରଘୁନନ୍ଦନ ପାଠାଗାରର ସମସ୍ତ ବହିପତ୍ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରେ ଥିବା ଭୂମି ଅଧିଗ୍ରହଣ ଗୃହରେ ରଖାଯାଇଥିଲା । ମଠରେ ଥିବା ପୁରୁଣାକାଳିଆ କବାଟ, କାଠର ସିଡିଘର ଓ ବିଭିନ୍ନ ଆକୃତିର ନିର୍ମିତ ଡିଜାଇନ ଭଙ୍ଗାଯିବା ପରେ ଧ୍ୱସଂ ପାଇଛି ।