ବଡ଼ମ୍ବା ସମବାୟ ଚିନି କଳ ପୁନରୁଦ୍ଧାର ଆଶା! ୨୦୦୬ରୁ ବନ୍ଦ ପଡ଼ିଛି; ୨୦ରେ ସମବାୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ

Apr 19, 2023 - 06:15
 24
ବଡ଼ମ୍ବା ସମବାୟ ଚିନି କଳ ପୁନରୁଦ୍ଧାର ଆଶା! ୨୦୦୬ରୁ ବନ୍ଦ ପଡ଼ିଛି; ୨୦ରେ ସମବାୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ
କଟକ: ବରଗଡ଼ ଚିନି କଳ ପରେ ଏବେ ବଡ଼ମ୍ବା ସମବାୟ ଚିନିକଳ ପୁନରୁଦ୍ଧାର ପାଇଁ ଯୋଜନା ଆରମ୍ଭ ହୋଇଛି। ଚିନିକଳ ପୁନରୁଦ୍ଧାର ପାଇଁ ରହିଥିବା ଆବଶ୍ୟକତା ଓ ସମସ୍ୟା ସଂପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଆସନ୍ତା ୨୦ତାରିଖ ଦିନ ସମବାୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ସମବାୟ ବିଭାଗ ଅଧୀନରେ ୧୯୮୪ରେ ବଡମ୍ବାରେ ପ୍ରତିଷ୍ଠା ହୋଇଥିଲା ଏହି ଚିନିକଳ। ଏହାକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀବଲ୍ଲଭ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ହଜାରେ ଟନ୍‌ ଉତ୍ପାଦନ କ୍ଷମତା ବିଶିଷ୍ଟ ଉକ୍ତ ଚିନିକଳରୁ ୧୯୮୯ରୁ ଚିନି ଉତ୍ପାଦନ ଆରମ୍ଭ ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଅର୍ଥାତ୍‌ ୧୯୯୧ରେ ଏହି ଚିନିକଳକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ସମୟରେ ଶକ୍ତି ସୁଗାରକୁ ଦିଆଯାଇଥିଲା। ଶକ୍ତି ସୁଗାର ୧୯୯୧ରୁ ୨୦୦୩ ପର୍ଯ୍ୟନ୍ତ ଏହାକୁ ଚଳାଇଥିଲା। ବଡମ୍ବା, ତିଗିରିଆ, ଆଠଗଡ଼, ନରସିଂହପୁରରେ ଆଖୁଚାଷର ଅଭିବୃଦ୍ଧି ଓ ଜଳସେଚନ ପାଇଁ ବି ବିଭିନ୍ନ ପ୍ରକଳ୍ପ କରିଥିଲା ଏହି ସଂସ୍ଥା। ଯାହାଫଳରେ ଅଂଚଳରେ ଆଖୁ ଚାଷ ପ୍ରତି ଚାଷୀ ଆଗ୍ରହୀ ହେବା ସହ ହେକ୍ଟର ହେକ୍ଟର ଆଖୁଚାଷ କରି ଚାଷୀ ଲାଭବାନ ହେଉଥିଲେ। ହେଲେ ଲାଭଦାୟକ ନହେବା ଫଳରେ ୨୦୦୩ରେ ଶକ୍ତି ସୁଗର ଚିନିକଳ ପରିଚାଳନା ଭାର ଛାଡିଦେଇ ନିଜସ୍ବ ଚିନିକଳ ଢେଙ୍କାନାଳରେ କରିଥିଲା। ଫଳରେ ୨ବର୍ଷ ସମବାୟ ବିଭାଗ ପୁଣି ନିଜ ଅଧୀନରେ ରଖି ଚିକିକଳ ପରିଚାଳନା କରିଥିଲା।