ବଡ଼ ଭାଇର କୋକେଇ ନ ଉଠୁଣୁ ବିଷ ପିଇଦେଲା ସାନ ଭାଇ

Jul 28, 2022 - 06:05
 41
ବଡ଼ ଭାଇର କୋକେଇ ନ ଉଠୁଣୁ ବିଷ ପିଇଦେଲା ସାନ ଭାଇ
ବଲାଙ୍ଗିର: ବଡ଼ ଭାଇର କୋକେଇ ନ ଉଠୁଣୁ ନିଜେ ବି ବିଷ ପିଇଦେଲା ୧୪ ବର୍ଷୀୟ ସାନ ଭାଇ । ଗୋଟିଏ ପଟେ ବଡ଼ ପୁଅର ମୃତଦେହ ଘରେ ପହଞ୍ଚି ନ ଥିବା ବେଳେ ସାନ ପୁଅ ହସ୍ପିଟାଲରେ ମୃତ୍ୟୁ ସହ ସଂଘର୍ଷ କରୁଛି। ଏପରି ଅଭାବନୀୟ ଓ ହୃଦୟ ବିଦାୟକ ଘଟଣା ବଲାଙ୍ଗିର ଜିଲ୍ଲା ବେଲପଡା ଥାନା କୁମ୍ଭାରଖାନ ଗାଁରେ ଘଟିଛି। ମୃତକ ହେଲେ କୁମ୍ଭାରଖାନ ଗାଁର ଅଶ୍ୱିନୀ ପୁଟେଙ୍କ ବଡ଼ ପୁଅ ୨୫ ବର୍ଷୀୟ ଦୀପକ ପୁଟେଲ । ବିଷ ପିଇ ଗୁରୁତର ହୋଇଛନ୍ତି ତାଙ୍କ ସାନ ପୁଅ ବିଶ୍ୱଜିତ ଟୁପେ । ଦୁଇ ପୁଅଙ୍କୁ ନେଇ ସୁଖର ସଂସାର କରିଥିବା ଅଶ୍ୱିନୀଙ୍କ ମୁଣ୍ଡରେ ହଠାତ୍‌ ଚଡ଼କ ପଡ଼ିଥିବା ବେଳେ ଛାରଖାର ହୋଇଗଲା ତାଙ୍କ ସୁନାର ସଂସାର। ଗତକାଲି ସନ୍ଧ୍ୟାରେ ଦୀପକ ପୁଟେଲ ଝାଙ୍କ୍ରିପାଲି ଗାଁ ନିକଟରେ ଥିବା ଛେଲିଆମାଲ ଡ୍ୟାମକୁ ମାଛ ମାରିବାକୁ ଯାଇଥିଲେ । ପାଣି ଭିତରେ ପଶି ମାଛ ମାରୁଥିବା ସମୟରେ ଆଉ ବାହାରକୁ ବାହାରିପାରିନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ ବି ତାଙ୍କ ସନ୍ଧାନ ପାଇ ନ ଥିଲେ। ଆଜି ଭୋରରୁ ତାଙ୍କ ମୃତଦେହ ପାଣିରେ ଭାସୁଥିଲା । ସ୍ଥାନୀୟ ଲୋକେ ଶବକୁ ଉଦ୍ଧାର କରି ବେଲପଡା ପୁଲିସକୁ ଖବର ଦେଇଥିଲେ । ପୁଲିସ୍‌ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ବଡଭାଇ ଦୀପକଙ୍କ ମୃତ୍ୟୁ ଖବର ଶୁଣି ଦୁଃଖରେ ଭାଙ୍ଗି ପଡ଼ିଲେ ବିଶ୍ୱଜିତ । ବଡ଼ ଭାଇ ଆଉ ନ ଥିବାରୁ ବଞ୍ଚିବା ଅପେକ୍ଷା ଜୀବନ ହାରିବାକୁ ନିଷ୍ପତ୍ତି ନେଲେ। ଏହାପରେ ସେ ଘରେ ଥିବା ବିଷ ପିଇ ଦେଇଥିଲେ । ବିଷର ଜ୍ୱାଳା ସହି ନ ପାରି ଯନ୍ତ୍ରଣାରେ ଛଟପଟ ହେବାରୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ପାଟଣାଗଡ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।