ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ ମହାଅଧିବେଶନ ଉଦଘାଟିତ

Feb 2, 2019 - 18:18
 149
ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ ମହାଅଧିବେଶନ ଉଦଘାଟିତ
ପୁରୀ,୨/୨(ସକାଳଖବର): ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜନଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ ମହାଅଧିବେଶନ ଶନିବାର ପୂର୍ବାହ୍ନରେ ତାଳବଣିଆସ୍ଥିତ ଇନଡେ଼ାର୍ ଷ୍ଟାଡ଼ିୟମ୍ ଠାରେ ପତାକା ଉତୋଳନ ସହିତ ଉଦଘାଟିତ ହୋଇଯାଇଛି । ଦୁଇ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ମହାଅଧିବେଶନର ପ୍ରଥମ ଦିନରେ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାମବିଚାର ନେତମ୍ ଅଧ୍ୟକ୍ଷତା କରିଥିଲେ । କାର୍ଯ୍ୟକ୍ରମରେ ସାରା ଭାରତରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ, ବିଧାୟକ, ସାଂସଦଙ୍କ ସହିତ ୫ ହଜାରରୁ ଉଦ୍ଧ୍ୱର୍ ପ୍ରତିନିଧି ଯୋଗ ଦେଇଥିଲେ । ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୁୱାଲ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ, ମୋଦୀ ସରକାର ଦେଶର ଏକତା ଅଖଣ୍ଡତା ପାଇଁ କାର୍ଯ୍ୟରତ । ଆଦିବାସୀମାନଙ୍କ ଉନ୍ନତି ପାଇଁ ଆଜି ଆସାମ ଭଳି ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ମୋତେ ମିଳିଛି । ପବିତ୍ର ଜଗନ୍ନାଥ ଧାମରେ ଏହି ଜନଜାତି ମହା ଅଧିବେଶନ ମୋଦୀଙ୍କ କାର୍ଯ୍ୟଧାରାକୁ ବଳିଷ୍ଠ କରିବା ସହ ପୁଣି ମୋଦିଜୀ ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କରିବେ । ଗାଁର ବିକାଶ ଓ ଆଦିବାସୀଙ୍କ ଉନ୍ନତି ପାଇଁ ମୋଦୀ ଅହରହ କାର୍ଯ୍ୟରତ । ଚାଷୀର ସମସ୍ୟାକୁ ସମାଧାନ କରିବାରେ ମୋଦୀ ସରକାର ସର୍ବଦା ଚେଷ୍ଟିତ । ସବୁ ବର୍ଗର ବିକାଶ ପାଇଁ ବିଜେପି ସରକାର ଉଦ୍ୟମ ଜାରୀ ରଖିଛି । ଆଦିବାସୀଙ୍କ ଶିକ୍ଷା ପାଇଁ ମୋଦୀ ସରକାର ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାମବିଚାର ନେତମ୍ ନିଜ ଅଭିଭାଷଣରେ କହିଥିଲେ ଯେ, ଭାରତର ୧୦ କୋଟି ଜନଜାତିଙ୍କ ଉନ୍ନତି ପାଇଁ ମୋଦୀ ସରକାର ବିଗତ ଦିନରେ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ୩୩ କୋଟି ଗରିବ ଲୋକଙ୍କ ବ୍ୟାଙ୍କ ଏକାଉଂଟ ଖୋଲିଛି । ଗୃହିଣୀମାନଙ୍କ ପାଇଁ ଉଜ୍ଜଳା ଯୋଜନାରେ ଗ୍ୟାସ୍ ମିଳିଛି । ସୌଭାଗ୍ୟ ଯୋଜନାରେ ଗରିବ ଆଦିବାସୀ ପରିବାର ଏଲଇଡି ବଲବ ସହ ବିଦୁ୍ୟତ ସଂଯୋଗ ପାଇଛନ୍ତି । ୧୦ କୋଟି ପରିବାର ସ୍ୱାସ୍ଥ୍ୟ ବୀମାରେ ସାମିଲ୍ ହୋଇଛନ୍ତି । ଜନଜାତି ନେତୃବୃନ୍ଦ ତନ-ମନ-ଧନ ଲଗାଇ କାମ କଲେ ପୁଣି କେନ୍ଦ୍ରରେ ବିଜେପି ସରକାର ଗଠନ ହେବ । ରାଜ୍ୟ ସରକାର କେବଳ ପଟ୍ଟା କାଗଜ ଦେଇ ହିତାଧିକାରୀଙ୍କୁ ଭୂତାଉଛି । ଜମି ନାହିଁ କି ଘର ନାହିଁ । କାଗଜରେ ମନ ବୁଝିବା ଭେଳିକି ଓ ଭେଳିକି ଦେଖାଇ ଶାସନ ଗାଦି ମାଡି ବସିଛି । ତ୍ରିପୁରାରେ ୨୫ ବର୍ଷର ସରକାରକୁ ତଡ଼ି ବିଜେପି ଶାସନର ମଙ୍ଗ ଧରିଛି । ସେହିପରି ଓଡ଼ିଶାରେ ୧୯ ବର୍ଷର ସରକାରକୁ ବିତାଡ଼ିତ କରି ବିଜେପି ହାତରେ ଶାସନ ଦେବା ପାଇଁ ତ୍ରିପୁରାର ଉପମୁଖ୍ୟମନ୍ତ୍ରୀ ଜିଷ୍ଣୁଦେବ ବର୍ମା କହିଥିଲେ । ଏହି ମହାଅଧିବେଶନର ପ୍ରଥମ ଦିନରେ ଆଜି ଓଡ଼ିଶା ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡା, କେନ୍ଦ୍ର ମନ୍ତ୍ରୀ ଜୁଏଲ୍ ଓରାମ, ପୂର୍ବତନ ମୋର୍ଚ୍ଚା ଅଧ୍ୟକ୍ଷ ଫଗେନସିଂ ପୁଲସ୍ଥ, ରାମସିଂ ଭାଇ, ସୁବାଷ ପଟେଲ, ରାଜସ୍ଥାନର ଅର୍ଜୁନ ମୀନାଜୀ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ କାଳିରାମ ମାଝି, ଝାଡ଼ଖଣ୍ଡର ଲକ୍ଷ୍ମଣ ଟୁଡ଼ୁ, ସାଂସଦ ଅରୁଣ ସିଂ, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ, ମୋର୍ଚ୍ଚାର ରାଜ୍ୟ ସଭାପତି ରବି ନାୟକ, ପ୍ରଭୁ ଭାଇ ବସୱା, ପ୍ରହ୍ଲାଦ ଦୋରାଙ୍କ ସମେତ ଅନେକ ଆଦିବାସୀ ନେତା ଯୋଗଦେଇଥିଲେ ।