କଳା ରାତିର କାହାଣୀ ବଖାଣିଲା ନୃଶଂସ ସ୍ୱାମୀ

Jan 31, 2023 - 07:13
 49
କଳା ରାତିର କାହାଣୀ ବଖାଣିଲା ନୃଶଂସ ସ୍ୱାମୀ
ପୁରୀ: ପରକୀୟା ପ୍ରୀତି ସନ୍ଦେହରେ ପତ୍ନୀର ଗଳାକାଟି ହତ୍ୟା କଲା ସ୍ୱାମୀ । ୮ ବର୍ଷର ଶିଶୁକନ୍ୟା ସାମ୍ନାରେ ଅତି ବୀଭତ୍ସ ଭାବେ ବ୍ଲେଡ଼ରେ ଗଳାକାଟି ଜୀବନ ନେଇଗଲା । ନିମାପଡ଼ା ଥାନା ଅଧୀନ ତେରୁଣ୍ଡିଆ ପଞ୍ଚାୟତ ଦିଘାଳୋ ମୁସଲିମ ବସ୍ତିରେ ଘଟିଛି ଏହି ଅଭାବନୀୟ କାଣ୍ଡ । ମୃତ ମହିଳା ଜଣକ ହେଲେ କଟକ ଜିଲ୍ଲା ନିଆଳି ଥାନା ମଝିଖଣ୍ଡ ଗ୍ରାମର ତେରହୁନ ବିବି । ହତ୍ୟା ଅଭିଯୁକ୍ତ ସ୍ୱାମୀ ଇରଫାନ ଖାନ୍ କୁ ନିମାପଡ଼ା ପୋଲିସ ଗିରଫ କରିଛି । ସୋମବାର ସକାଳେ ଶିଶୁକନ୍ୟା ମା’ର ରକ୍ତ ଜୁଡ଼ୁବୁଡ଼ୁ ମୃତଦେହକୁ ଧରି କାନ୍ଦୁଥିବା ଦେଖିବାକୁ ମିଳିଥିଲା । ଖବର ପ୍ରଚାରିତ ହେବାପରେ ପୁଲିସ ଟିମ୍ ଓ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚିଥିଲେ । ତଦନ୍ତ ସମୟରେ ଇରଫାନକୁ ଧରିଥିଲା ପୋଲିସ । ଏହାପରେ ଇରଫାନ ବଖାଣିଥିଲା ସେଇ କଳା ରାତିର କାହାଣୀ । ରବିବାର ମଧ୍ୟରାତିରେ ଇରଫାନ ନିଶା ଖାଇ ଘରକୁ ଆସି ତେରହୁନକୁ ଗାଳିଗୁଲଜ କରିବା ସହ ମାରଧର କରିଥିଲା । ପରେ ଉତକ୍ଷିପ୍ତ ହୋଇ ଇରଫାନ ଏକ ବ୍ଲେଡ଼ରେ ତେରହୁନର ଗଳା କାଟି ଦେଇଥିଲା । ହତ୍ୟାପରେ ଇରଫାନ ଘରୁ ପଳାଇଥିଲା । ଛୋଟ କୋମଳମତୀ ଶିଶୁଟି ମା’ର ରକ୍ତ ଜୁଡ଼ୁବୁଡ଼ୁ ମୃତ ଦେହକୁ ଧରି କାନ୍ଦୁଥିଲା । ପୋଲିସ ଇରଫନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ ପଠାଇ ଦିଆଯାଇଛି ।