ବାରିପଦା ପୌରପରିଷଦ, ଜନତାଙ୍କ ସ୍ୱାର୍ଥକୁ ଅଣଦେଖା

Sep 21, 2018 - 17:07
 245
ବାରିପଦା ପୌରପରିଷଦ,  ଜନତାଙ୍କ ସ୍ୱାର୍ଥକୁ ଅଣଦେଖା
ବାରିପଦା, ୨୧/୯ (ସକାଳଖବର): ଓଡ଼ିଶାର ଦ୍ୱିତୀୟ ସର୍ବପୁରାତନ ପୌରପରିଷଦ ଭାବେ ବାରିପଦା ପୌରପରିଷଦର ଖ୍ୟାତି ଲାଭ କରିଛି । ଏହି ପୌରପରିଷଦର ଐତିହ୍ୟ ଓ ଗାରିମା ଆଜି ବନ୍ଧାପଡ଼ିଛି । ପୌରପ୍ରଶାସନ ଜନସାଧାରଣଙ୍କ ସ୍ୱାର୍ଥକୁ ଅଣଦେଖା କରି ଜବରଦଖଲକାରୀମାନଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇଆସୁଥିବାର ଅଭିଯୋଗ ହେଉଛି । ବାରିପଦା ପୌରପରିଷଦର ୱାଡର଼୍ ନଂ ୧୦, ଗୋଲାପବାଗ, ସତ୍ୟସାଇଛକ ନାୟକ ଫ୍ରିଜ ମରାମତି ଦୋକାନଠାରୁ ଅସିମ ବାବୁଙ୍କ ଘର ପର୍ଯ୍ୟନ୍ତ ପୌରପରିଷଦ ପକ୍ଷରୁ ଏକ ରାସ୍ତା ଓ ରାସ୍ତାର ପାଶ୍ୱର୍ରେ ଡ୍ରେନ ନିର୍ମାଣ କାରାଯାଇଛି । କିନ୍ତୁ ଉକ୍ତ ରାସ୍ତାର ଡ୍ରେନ ନିର୍ମାଣ ସମୟରେ ବୈଷୟିକ ଦିଗକୁ ଅଣଦେଖା କରାଯାଇଛି । ରାସ୍ତାଠାରୁ ଡ୍ରେନର ଉଚ୍ଚତା ଅଧିକ ଓ ଡ୍ରେନକୁ ପାଣି ଯିବା ନିମନ୍ତେ ବୈଷୟିକ ଦିଗ ଉପରେ ଗୁରୁତ୍ୱ ନ ଦେଇ ଡ୍ରେନ ନିର୍ମାଣ କରାଯାଇଥିବା କାରଣରୁ ରାସ୍ତାର ପାଣି ଡ୍ରେନରେ ନିଷ୍କାସିତ ହେବା ପରିବର୍ତ୍ତେ ଏହା ରାସ୍ତା ଉପରେ ଯାଉଛି । ଏହାଦ୍ୱାରା ଜନସାଧାରଣଙ୍କ ଅର୍ଥ ସିଧାସଳଖ ଭାବେ ପାଣିରେ ପଡ଼ିଯାଇଛି । ଜବରଦଖଲକାରୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦିଆ ଯାଇଥିବା କାରଣରୁ ସାଧାରଣ ଜନତାଙ୍କ ଅର୍ଥକୁ ସିଧାସଳଖ ଭାବେ ପୌରପରିଷଦ ପାଣିରେ ପକାଇ ଦେଇଥିବାର ଅଭିଯୋଗ ବାଢ଼ିଛନ୍ତି ସ୍ଥାନୀୟ ଜନତା । ସ୍ଥାନୀୟ ଜନତାଙ୍କ ଅଭିଯୋଗକୁ ପୌରପ୍ରଶାସନ କର୍ଣ୍ଣପାତ ନ କରିବାରୁ ଏବିଷୟରେ ପୂର୍ବତନ କାଉନସିଲର ଅସିତ କୁମାର ମହାପାତ୍ର ଓ ସେକ. ଅବଦ୍ଧୁଲ ରାଖିମ, ଗୁରୁ ଚରଣ ବେହେରା, ଯୁଧିଷ୍ଠିର ମହାନ୍ତ, ଜ୍ଞାନ ରଞ୍ଜନ ଦାସ, ଗୋଲକ ଶଙ୍କର ଭୂୟାଁ, ସ୍ୱରୂପ ମହାପାତ୍ର ପ୍ରମୁଖ ଗତ ଅଗଷ୍ଟ ୨୭ରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗ ଫର୍ଦ୍ଧରେ ହରିଶ୍ଚନ୍ଦ୍ର ମିଶ୍ର ରାସ୍ତାର କିଛି ଅଂଶକୁ ନିଜ ଦଖଲରେ ରଖିଆସିଛନ୍ତି ଏବଂ ତାଙ୍କର ନିଦେ୍ର୍ଧଶରେ ପୌରପରିଷଦର ଠିକାଦାର ରାସ୍ତା ଓ ଡ୍ରେନ ନିର୍ମାଣ ସମୟରେ ପୌରପରିଷଦର ଜାଗା ଉପରେ ଡ୍ରେନ ନିର୍ମାଣ ନ କରି ଅର୍ଦ୍ଧଚନ୍ଦ୍ର ଆକୃତିରେ ନିର୍ମାଣ କାର୍ଯ୍ୟ କରିଛନ୍ତି । ଜବରଦଖଲକାରୀ ହରିଶ୍ଚନ୍ଦ୍ର ମିଶ୍ର ପୌରପରିଷଦର ଜାଗା ଉପରେ ନିଜର ବ୍ୟବସାୟ ମଧ୍ୟ ଚଳାଇ ଆସୁଛନ୍ତି । ଫଳରେ ରାସ୍ତା ଅଣଓସାରିଆ ହେବାରୁ ଟ୍ରାଫିକ, ପାର୍କିଂ ଆଦି ସମସ୍ୟା ସୃଷ୍ଟି କରାଉଛି ବୋଲି ଅଭିଯୋଗରେ ଦର୍ଶାଯାଇଛି । ଏହା ମଧ୍ୟରେ ଏକ ମାସ ଅତିକ୍ରାନ୍ତ ହେବାକୁ ବସିଥିଲେ ମଧ୍ୟ ଜିଲ୍ଲାପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।