ବାରିପଦା ପୌରପରିଷଦ କାଉନସିଲ କାର୍ଯ୍ୟକାଳ ପୂରିଲା

Feb 13, 2019 - 05:18
 149
ବାରିପଦା, ୧୨/୨(ସକାଳଖବର): ବାରିପଦା ପୌରପରିଷଦର ପ୍ରଥମ ମହିଳା ଅଧ୍ୟକ୍ଷା ଭାବେ ବବିତା ଦାସ ୨୦୧୪ ଫେବୃଆରୀ ୧୩ରେ ଦାୟିତ୍ୱ ଭାର ଗ୍ରହଣ କରିଥିଲେ ଓ ଆଜି ଶ୍ରୀମତୀ ଦାସଙ୍କ ଅଧ୍ୟକ୍ଷତାରେ ଗଠିତ ପୌରପରିଷଦର କାଉନସିଲ କାର୍ଯ୍ୟକାଳ ୫ ବର୍ଷ ପୂରଣ ହୋଇଯାଇଛି । ଆଜିର ଏହି ଶେଷ ଦିବସରେ ୪ ଲକ୍ଷ ୯୪ ହଜାର ଟଙ୍କା ବ୍ୟୟ ବରାଦରେ ମା’ ଅମ୍ବିକା ମନ୍ଦିର ନିକଟରେ ଏବଂ ସାଢେ଼ ୪ଲକ୍ଷ ଟଙ୍କା ବ୍ୟୟ ବରାଦରେ ଏମସିସି ବ୍ୟାଙ୍କ ନିକଟରେ ନିର୍ମିତ ୨ଟି ଯାତ୍ରୀ ବିଶ୍ରାମାଗାର ସହିତ ୨ କୋଟି ୬୦ ଲକ୍ଷରୁ ଅଧିକ ବ୍ୟୟ ବରାଦରେ କୃଷ୍ଣଚନ୍ଦ୍ର ଗୋଲେଇ ନିକଟରେ ନିର୍ମିତ ବ୍ଲକ-ଏ ଓ ବ୍ଲକ-ବି ମାର୍କେଟ କମ୍ପ୍ଲେକ୍ସକୁ ଉଦଘାଟନ କରାଯାଇଛି । ସେହିପରି ୧ କୋଟି ୭୭ ଲକ୍ଷ ୬୧ ହଜାର ଟଙ୍କା ବ୍ୟୟ ଅଟକଳରେ ବଡ଼ପୋଖରୀ, ୧ କୋଟି ୪୮ ଲକ୍ଷ ୩୪ ହଜାର ଟଙ୍କା ବ୍ୟୟ ଅଟକଳରେ ଚାପଲ ପୋଖରୀ, ୧ କୋଟି ୩୯ ଲକ୍ଷ ୭୩ ହଜାର ଟଙ୍କା ବ୍ୟୟ ଅଟକଳରେ ହେମସାଗର ପୋଖରୀ, ୮୫ ଲକ୍ଷ ୮୬ ହଜାର ଟଙ୍କା ବ୍ୟୟ ଅଟକଳରେ ୧୫ ନମ୍ବର ୱାଡର଼୍ ସ୍ଥିତ ପାଇଲଟ ସାହି ବନ୍ଧ, ୧ କୋଟି ୮୦ ଲକ୍ଷ ୮୧ ହଜାର ଟଙ୍କା ବ୍ୟୟ ଅଟକଳରେ ଷ୍ଟେସନ ବନ୍ଧ, ୯୪ ଲକ୍ଷ ୪୩ ହଜାର ବ୍ୟୟ ଅଟକଳରେ ଜୁବୁଲୀ ପାର୍କ ବନ୍ଧ ଏବଂ ୩ କୋଟି ୯୯ ଲକ୍ଷ ୭୬ ହଜାର ଟଙ୍କା ବ୍ୟୟ ଅଟକଳରେ ଝିଞ୍ଜିରି ବନ୍ଧ ଜଳାଶୟର ପୁର୍ନଉଦ୍ଧାର ପ୍ରକଳ୍ପ କାର୍ଯ୍ୟର ଶିଳାନ୍ୟାସ କରାଯାଇଛି । ଏହି ପରିପ୍ରେକ୍ଷୀରେ ବାରିପଦା ପୌରପାଳିକା ବବିତା ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରକଳ୍ପଗୁଡ଼ିକର ଉଦଘାଟନ ଓ ଶିଳାନ୍ୟାସ କରିଥିବା ବେଳେ ଉପନଗରପାଳ ଜିତେନ୍ଦ୍ର ମହାନ୍ତି, ପୂର୍ବତନ ନଗରପାଳ ତଥା ବର୍ତମାନର କାଉନସିଲର କୃଷ୍ଣାନନ୍ଦ ମହାନ୍ତି ପ୍ରମୁଖଙ୍କ ସମେତ ପୂର୍ବତନ ଉପନଗରପାଳ ତଥା ବର୍ତମାନର କାଉନସିଲର ଦୁର୍ଗାମଣି ଆଚାର୍ଯ୍ୟ, ବରିଷ୍ଠ କାଉନସିଲର ପ୍ରଶାନ୍ତ ପଟ୍ଟନାୟକ, ସରୋଜ ମହାପାତ୍ର, ପ୍ରଭାତ ମହାନ୍ତି, ନିରୋଜ ସାହୁ, ଦେବାଶିଷ ପାତ୍ର, ସୀମା ଦାସ, ଶୋଭାକର ପଟ୍ଟାୟତ, ଶ୍ରାବଣୀ ଦାସ, ଗୀତାରାଣୀ ବେହେରା, ବୀଣାପାଣି ସାହୁ, ଅନୁରାଧା ସୋରେନ ପ୍ରମୁଖଙ୍କ ସମେତ ନିର୍ବାହୀ ଅଧିକାରୀ ସରୋଜ କୁମାର ଦାଶ, ପୌରଯନ୍ତ୍ରୀ ଗୌରହରୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି, ୨୦୧୪ରେ ଅନୁଷ୍ଠିତ ବାରିପଦା ପୌରପରିଷଦ ନିର୍ବାଚନରେ ପୌରପରିଷଦର ୨୮ଟି ୱାଡର଼୍ ମଧ୍ୟରୁ ୧, ୩, ୫, ୬, ୭, ୮, ୧୦, ୧୧, ୧୨, ୧୩, ୧୪, ୧୬, ୧୮, ୧୯, ୨୧, ୨୨, ୨୩, ୨୪, ୨୫, ୨୭ ଓ ୨୮ ନମ୍ବର ୱାଡର଼୍ ଏହିପରି ମୋଟ ୨୧ ୱାଡର଼୍ ବିଜେଡ଼ି ଦଖଲକୁ ଯାଇଥିବା ବେଳେ ୨୬ନଂ ୱାଡର଼୍ ଭାଜପା, ୪ ଓ ୧୭ ଜେଏମଏମ ଏବଂ ୨, ୯, ୧୫ ଓ ୨୦ ୱାଡର଼୍ରେ ସ୍ୱାଧୀନ କାଉନସିଲରଙ୍କ ହାତକୁ ଯାଇଥିଲା । ଏଥି ସହିତ ୨୦୧୪ ସାଧାରଣ ନିର୍ବାଚନ ସମୟରେ ଜେଏମଏମ ରାଜ୍ୟ ସଭାପତି ସୁଦାମ ମାର୍ଣ୍ଡି, ଜିଲ୍ଲା ସଭାପତି ଭାଦବ ହାଁସଦାଃ ଓ ଜିଲ୍ଲା ପ୍ରବକ୍ତା କୃଷ୍ଣାନନ୍ଦ ମହାନ୍ତି ପ୍ରମୁଖଙ୍କ ସମେତ ତାଙ୍କର କେତେକ ସମର୍ଥକ ଜେଏମଏମ ତ୍ୟାଗ କରି ବିଜେଡ଼ିରେ ମିଶିବା ପରେ ଜେଏମଏମର ଏହି ଦୁଇ କାଉନସିଲର ବିଜେଡ଼ିରେ ସାମିଲ ହେଲେ ।