ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୫୩୯୯ କୋଟିର ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ
ବାରିପଦା,୫/୧(ସକାଳଖବର):ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିନିକିଆ ଓଡିଶା ଗସ୍ତରେ ଆସି ଶନିବାର ବାରିପଦାଠାରେ ପ୍ରାୟ ୫୩୯୯ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି ।
ଉଦ୍ଘାଟିତ ହୋଇଥିବା ପ୍ରମୂଖ ପ୍ରକଳ୍ପ ମଧ୍ୟରେ ରହିଛି ପାରାଦୀପ-ହଳଦିଆ-ଦୁର୍ଗାପୁର ଏଲପିଜି ପାଇପଲାଇନ ପ୍ରକଳ୍ପର ବାଲେଶ୍ୱର-ହଳଦିଆ-ଦୁର୍ଗାପୁର ସେକ୍ସନ । ଏହି ପ୍ରକଳ୍ପକୁ ଭାରତୀୟ ତୈଳ ନିଗମ ନିର୍ମାଣ କରୁଛି । ଏହାଛଡା ବାଲେଶ୍ୱରଠାରେ ଏକ ବହୁଢ଼ାଂଚୀୟ ଲଜିଷ୍ଟିକ ପାର୍କକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିଛନ୍ତି । ଗସ୍ତବେଳେ ଶ୍ରୀ ମୋଦୀ ଆସ୍କା, ଭଦ୍ରକ, କଟକ, ଢେ଼ଙ୍କାନାଳ, ଯାଜପୁର ଓ କେନ୍ଦୁଝରଗଡଠାରେ ଥିବା ପ୍ରଧାନ ଡାକଘରଗୁଡିକରେ ପାସପୋର୍ଟ ସେବା କେନ୍ଦ୍ରମାନଙ୍କୁ ଆନୁଷ୍ଠାନିକ ଭାବେ ଲୋକାର୍ପଣ କରିଛନ୍ତି । ଏହାଦ୍ୱାରା ସ୍ଥାନୀୟ ଅଂଚଳର ଜନସାଧାରଣ ସହଜରେ ପାସପୋର୍ଟ ପ୍ରସ୍ତୁତି ସଂକ୍ରାନ୍ତ ସେବା ପାଇପାରିବେ ।
ବାରିପଦାଠାରେ ଏକ ସମାରୋହରେ ପ୍ରଧାନମନ୍ତ୍ରୀ ଫଳକ ଉନ୍ମୋଚନ ପୂର୍ବକ ମୟୁରଭଞ୍ଜ ଜିଲ୍ଲାର ପ୍ରାଚୀନ ହରିପୁରଗଡ ଦୁର୍ଗ ଏବଂ ରସିକରାୟ ମନ୍ଦିରର ରକ୍ଷଣାବେକ୍ଷଣ ତଥା ସୌନ୍ଦର୍ଯ୍ୟବର୍ଦ୍ଧନ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ସେହିପରି ଟାଟାନଗର ବାଦାମପାହାଡ ମଧ୍ୟରେ ଦ୍ୱିତୀୟ ପାସେଞ୍ଜର ଟ୍ରେନର ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।
ସେହିଭଳି ପ୍ରଧାନମନ୍ତ୍ରୀ ରିମୁଳି-କୋଇଡା ସେକ୍ସନ (ଏନଏଚ-୨୧୫), ସିଙ୍ଗଡା-ବିଞ୍ଜବାହାଲ ସେକ୍ସନ (ଏନଏଚ-୬) ଏବଂ କୋଇଡା-ରାଜାମୁଣ୍ଡା ସେକ୍ସନ (ଏନଏଚ-୨୧୫)ର ପ୍ରଶସ୍ତିକରଣ (୪ ଲେନ) କାର୍ଯ୍ୟର ଆଧାରଶିଳା ରଖିଥିଲେ । ଏହିସବୁ ପ୍ରକଳ୍ପରେ ୩ ହଜାର କୋଟି ଟଙ୍କାରୁ ଅଧିକ ପୁଞ୍ଜି ବିନିଯୋଗ ହେବ ।
ଏହି ଗସ୍ତ ଅବସରରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବାଲେଶ୍ୱର-ହଳଦିଆ-ଦୁର୍ଗାପୁର ଗ୍ୟାସ ପାଇପଲାଇନ ଦ୍ୱାରା ଓଡିଶା ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଏଲପିଜି ଯୋଗାଣ ସୁଗମ ହେବ ଏବଂ ୮ଟି ଜିଲ୍ଲା ବେଶ ଉପକୃତ ହେବେ ।
୧୫୭ କିମି ବିଶିଷ୍ଟ ପାରାଦୀପ-ବାଲେଶ୍ୱର ଅଂଶ ୨୦୧୮ ଏପ୍ରିଲ ମାସରେ ରାଷ୍ଟ୍ର ଉଦେ୍ଧଶ୍ୟରେ ଲୋକାର୍ପଣ ହୋଇସାରିଥିବା ବେଳେ ୫୧୩ କିମି ବିଶିଷ୍ଟ ବାଲେଶ୍ୱର-ହଳଦିଆ-ଦୁର୍ଗାପୁର ସ୍ପର ପାଇପଲାଇନ, ହଳଦିଆଠାରେ ସଂରକ୍ଷଣ ସୁବିଧା କେନ୍ଦ୍ର ମଧ୍ୟ ଏହି ନିକଟରେ ସମ୍ପୂର୍ଣ୍ଣ ହୋଇଛି । ୧୩୩୦ କୋଟି ଟଙ୍କା ବ୍ୟୟ ଅଟକଳରେ ୬୭୦ କିମି ବିଶିଷ୍ଟ ଏହି ପାଇପଲାଇନ ଓଡ଼ିଶା ଏବଂ ପଶ୍ଚିମବଙ୍ଗର ପ୍ରତ୍ୟେକ ୪ଟି ଲେଖାଏଁ ଜିଲାର ଲକ୍ଷ ଲକ୍ଷ ଲୋକଙ୍କୁ ନିରବଚ୍ଛିନ୍ନ ରନ୍ଧନ ଗ୍ୟାସ ଯୋଗାଇବ । ଏହି ପାଇପଲାଇନ ପାରାଦ୍ୱୀପ ରିଫାଇନାରୀରୁ ଆରମ୍ଭ ହୋଇ ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଜିଲା ମଧ୍ୟ ଦେଇ ୨୪୦ କିମି ଅତିକ୍ରମ କରିଛି । ସେହିପରି ପଶ୍ଚିମବଙ୍ଗରେ ଏହା ୪୩୦ କିମି ଅତିକ୍ରମ କରି ପୂର୍ବ ମେଦିନାପୁର, ବର୍ଦ୍ଧମାନ, ହୁଗ୍ଲି ଏବଂ ହାୱାଡ଼ା ମଧ୍ୟ ଦେଇ ଗତି କରୁଛି । ଏଥିସହିତ ଏହି ମାର୍ଗରେ ଥିବା ବଟ୍ଲିଂ ପ୍ଲାଣ୍ଟ ପାଇଁ ଏଲ୍ପିଜି ଯୋଗାଣରେ ସହାୟକ ହେବ । ପାରାଦୀପ-ହଳଦିଆ ପାଇପଲାଇନର କ୍ଷମତା ୧.୧ ଏମ୍ଏମ୍ଟିପିଏ ରହିଥିବା ବେଳେ ହଳଦିଆ-ଦୁର୍ଗାପୁର ପାଇପଲାଇନର କ୍ଷମତା ୧.୩ ଏମ୍ଏମ୍ଟିପିଏ ରହିଛି । ଏତଦ୍ବ୍ୟତୀତ, ପାରାଦ୍ୱୀପ ରିଫାଇନରୀରୁ ମୂଳ ଉସô ଭାବେ ପ୍ରଥମ ଷ୍ଟେସନକୁ ଏଲପିଜି ଯୋଗାଣ ହେବା ସହ ହଳଦିଆଠାରେ ଇଣ୍ଡିଆନଅଏଲ-ପେଟ୍ରୋନସ ପ୍ରାଇଭେଟ ଲିମିଟେଡର ଆମଦାନୀ ବା ଇଂପୋର୍ଟ ଟର୍ମିନାଲରୁ ଏହି ଏଲପିଜି ଯୋଗାଣ ହେବ ।
ଏବେ କେନ୍ଦ୍ର ସରକାର ଗ୍ୟାସ ଆଧାରିତ ଉଦ୍ୟୋଗ ଓ ଅର୍ଥ ବ୍ୟବସ୍ଥା ଉପରେ ପ୍ରାଧାନ୍ୟ ଦେଇ ଆଗକୁ ବଢ଼ୁଛନ୍ତି । ଏକବିଂଶ ଶତାବ୍ଦି ହେଉଛି ସଂଯୋଗୀକରଣର । ପୂର୍ବ ଭାରତ ଏବଂ ଉତର-ପୂର୍ବାଂଚଳ ରାଜ୍ୟଗୁଡିକର ବିକାଶକୁ ତାଙ୍କ ସରକାର ଅଗ୍ରାଧିକାର ଦେଉଛନ୍ତି । ଅନେକ ଦିନରୁ ରହିଆସିଥିବା ଆଂଚଳିକ ବୈଷମ୍ୟ ଦୂର କରି ଉନ୍ନୟନ ସାମଞ୍ଜସ୍ୟ ଆଣିବା ଲାଗି ପ୍ରୟାସ ହେଉଛି ।