ପଞ୍ଜାବରେ ଭଗବନ୍ତ ମାନ ହେବେ ଆପ୍‌ର ମୁଖ୍ୟମନ୍ତ୍ରୀ ଚେହେରା ! ବ୍ୟାକଫୁଟରେ ରହିବେ କଂଗ୍ରେସ-ବିଜେପି

Jan 5, 2022 - 06:23
 79
ପଞ୍ଜାବରେ ଭଗବନ୍ତ ମାନ ହେବେ ଆପ୍‌ର ମୁଖ୍ୟମନ୍ତ୍ରୀ ଚେହେରା ! ବ୍ୟାକଫୁଟରେ ରହିବେ କଂଗ୍ରେସ-ବିଜେପି
ଚଣ୍ଡିଗଡ ୦୪।୦୧: ପଞ୍ଜାବ ବିଧାନସଭା ନିର୍ବାଚନକୁ ନେଇ ତାତି ଜୋର ଧରିଲାଣି। କେଉଁ ଦଳରୁ କିଏ ହେବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତାକୁ ନେଇ ଅଙ୍କ କଷା ଜାରି ରହିଛି। ତେବେ ଏହି ମାମଲାରେ ଆପ୍ ଅନ୍ୟ ପାର୍ଟିଠୁ ଦୁଇ ପାଦ ଆଗରେ ଥିବା ପରି ଲାଗୁଛି। ଲଗାତାର ବାହାରର ଲୋକ ଅଭିଯୋଗର ସାମ୍ନା କରୁଥିବା ଆମ୍ ଆଦମୀ ପାର୍ଟି ଖୁବ୍ ଶୀଘ୍ର ବଡ କାର୍ଡ ଖେଳିପାରେ। ସୂତ୍ର ମୁତାବକ ଆମ୍ ଆଦମୀ ପାର୍ଟି ପକ୍ଷରୁ ଭଗବନ୍ତ ମାନଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା କରାଯାଇପାରେ। ଯଦି ଆପ୍ ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରି ଦିଏ ତେବେ ଦଳକୁ କଂଗ୍ରେସ ଏବଂ ବିଜେପିକୁ ଘେରିବା ସ୍ଥିତିରେ ରହିବ। କାରଣ ଦୁଇ ଜାତୀୟ ରାଜନୈତିକ ଦଳ ପକ୍ଷରୁ ଅଦ୍ୟାବଧି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ। ଭଗବନ୍ତ ମାନଙ୍କୁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯିବା ନେଇ ଦଳରେ ସହମତି ମଧ୍ୟ ପ୍ରକାଶ ପାଇଥିବା ଜଣା ପଡିଛି। ମାନ ସଙ୍ଗରୁର ଆସନରୁ ସାଂସଦ ଏବଂ ପାର୍ଟିର ପ୍ରଦେଶ ଅଧ୍ୟକ୍ଷ ମଧ୍ୟ ଅଛନ୍ତି। କଂଗ୍ରେସ ପାର୍ଟି ଗତ ବର୍ଷ ଶେଷ ଆଡକୁ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ଇସ୍ତଫା ପରେ ଚରଣଜିତ ସିଂହଙ୍କୁ ମୁଖ୍ୟମନ୍ତ୍ରୀ କରିଛି। ମାତ୍ର କଂଗ୍ରେସ ଏ ପର୍ଯ୍ୟନ୍ତ ଏହି ଘୋଷଣା କରିପାରୁ ନାହିଁ ଯେ, ନିର୍ବାଚନ ଜିତିଲେ ଚନ୍ନି ମୁଖ୍ୟମନ୍ତ୍ରୀ ପଦରେ ରହିବେ କି ନାହିଁ। କାରଣ କଂଗ୍ରେସ ଦଳୀୟ କନ୍ଦଳରେ ଉବୁଟୁବୁ ହେଉଛି। ଅମରିନ୍ଦରଙ୍କ ପରେ ଚନ୍ନି ଏବଂ ସିଦ୍ଧୁଙ୍କ ମଧ୍ୟରେ ଅନେକ ପ୍ରସଙ୍ଗରେ ଟଣାଓଟରା ଲାଗି ରହିଛି। ଏପରିକି ସିଦ୍ଧୁ ବିଗତ ଦିନରେ ପାର୍ଟି ହାଇକମାଣ୍ଡଙ୍କୁ ପରାମର୍ଶ ଦେଇ ସାରିଛନ୍ତି ଯେ, କଂଗ୍ରେସକୁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିଦେବା ଉଚିତ୍। ଯଦି କଂଗ୍ରେସ ଏମିତି ନକରେ ତେବେ ଦଳକୁ କ୍ଷତି ସହିବାକୁ ପଡିପାରେ। ଏଥିରୁ ସ୍ପଷ୍ଟ ଯେ, ଆମ୍ ଆଦମୀ ପାର୍ଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣାରେ ଦଳକୁ ଫାଇଦା ମିଳିବ। ଏହା ବ୍ୟତୀତ କଂଗ୍ରେସକୁ ଘେରିବାକୁ ସୁଯୋଗ ମିଳିବ। ସୂତ୍ର ଅନୁଯାୟୀ, ମାନଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଘୋଷଣା ମଙ୍ଗଳବାର ହୋଇପାରେ। ମାତ୍ର ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲ କରୋନା ସଂକ୍ରମିତ ହେବାରୁ ଏହାକୁ ଘୁଞ୍ଚାଇ ଦିଆଯାଇଛି। କେଜ୍ରିଓ୍ଵାଲ ସୁସ୍ଥ ହେବା ପରେ ଶୀଘ୍ର ଏହାର ଘୋଷଣା ହୋଇପାରେ ବୋଲି ପାର୍ଟି ସୂତ୍ରରୁ ପ୍ରକାଶ।