ପଞ୍ଚକ ଆରମ୍ଭ: ଲକ୍ଷ୍ମୀନାରାୟଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ଜଗନ୍ନାଥ

Nov 19, 2018 - 18:12
 194
ପଞ୍ଚକ ଆରମ୍ଭ: ଲକ୍ଷ୍ମୀନାରାୟଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ଜଗନ୍ନାଥ
ପୁରୀ,୧୯/୧୧ (ସକାଳଖବର): ଆଜି ପବିତ୍ର କାର୍ତିକ ମାସ ବଡ ଏକାଦଶୀ ତିଥିରେ ମହାପ୍ରଭୁ ରତ୍ନସିଂହାସନ ଉପରୁ ଲକ୍ଷ୍ମୀନାରାୟଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଆଷାଢ଼ ମାସ ଶୁକ୍ଲ ଏକାଦଶୀ ତିଥିରୁ ମହାପ୍ରଭୁ ନିଦ୍ରା ଯାଇଥାନ୍ତି । କାର୍ତିକ ଶୁକ୍ଲ ପକ୍ଷ ଏକାଦଶୀ ତିଥି ତଥା ପଂଚୁକର ପ୍ରଥମ ଦିନରେ ମହାପ୍ରଭୁ ନିଦ୍ରା ଭଙ୍ଗ କରିଥାନ୍ତି । ଯାହାକୁ ହରି ଉତଥାପନ ଏକାଦଶୀ କୁହାଯାଇଥାଏ । ଅବକାଶ ନୀତି ପରେ ମହାପ୍ରଭୁଙ୍କୁ ସୁନାର କିଆ ଦ୍ୱାରା ବିଭୂଷିତ କରାଯାଇଥାଏ । ଏହି ସୁନା କିଆକୁ ଠିଆ କରିବା ଭଳି ବିଭୂଷିତ କରାଯାଇଥିବାରୁ ଏହାକୁ ଠିଆକିଆ ବେଶ କୁହାଯାଇଥାଏ । ଏହି ବେଶରେ କାଳିଆ ଠାକୁର ହାତରେ ସ୍ୱର୍ଣ୍ଣ ଶ୍ରୀଭୂଜ, ପାଦରେ ଶ୍ରୀ ପୟର, ହାତରେ ଶଙ୍ଖ, ଚକ୍ର ଆୟୁଧ ଧାରଣ କରିଥାନ୍ତି । ସେହିପରି ବଡ ଠାକୁର ବଳଭଦ୍ର ହଳ ମୂଷଳ ଆୟୁଧ ଧାରଣ କରିଥିବା ବେଳେ ଦେବୀ ସୁଭଦ୍ରା ବିଭିନ୍ନ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାରର କଦମ୍ବ ମାଳି, ବାହାଡ଼ା ମାଳି, ସେବତୀ ମାଳି ଆଦି ପରିଧାନ କରିଥାନ୍ତି । ପଂଚୁକର ପ୍ରଥମ ଦିନରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଲକ୍ଷ୍ମୀନାରାୟଣ ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା । ହବିଷ୍ୟାଳୀ ମାନେ ତୀର୍ଥ ପୁଷ୍କରିଣୀରେ ସ୍ନାନ କରି ମହାବାହୁଙ୍କ ଦର୍ଶନ ସାଙ୍ଗକୁ ମହାପ୍ରସାଦ ଓ ନିର୍ମାଲ୍ୟ ପାଇଥିଲେ । ଲକ୍ଷାଧିକ ଭକ୍ତ ବ୍ୟାରିକେଡ୍ ରେ ଯାଇ ସିଂହଦ୍ୱାରରେ ପ୍ରବେଶ ପୂର୍ବକ ବାଇଶି ପାହାଚ ଦେଇ ଯାଇ ଶ୍ରୀଜୀଉଙ୍କ ଏହି ମନୋରମ ବେଶ ଦର୍ଶନ କରିଥିଲେ ।