ନ୍ୟାସନାଲ ହେରାଲଡ ଅଫିସ ସିଲ୍ ପରେ ପ୍ରଧାନମନ୍ତ୍ରୀଙ୍କ ଘର ଘେରିବ କଂଗ୍ରେସ

Aug 3, 2022 - 15:14
 47
ନ୍ୟାସନାଲ ହେରାଲଡ ଅଫିସ ସିଲ୍ ପରେ ପ୍ରଧାନମନ୍ତ୍ରୀଙ୍କ ଘର ଘେରିବ କଂଗ୍ରେସ
ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ବିଲଡିଂରେ ଅବସ୍ଥିତ ୟଙ୍ଗ ଇଣ୍ଡିଆ ଲିମିଟେଡ କାର୍ଯ୍ୟାଳୟକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସିଲ୍ କରିବା ପରେ ନୂଆଦିଲ୍ଲୀରେ ଥିବ‌ା କଂଗ୍ରେସ ମୁଖ୍ୟାଳୟ ବାହାରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏଭଳି ମୁଖ୍ୟାଳୟକୁ ରାସ୍ତା ବନ୍ଦ କରାଯିବାକୁ ନେଇ ତୀବ୍ର ବିରୋଧ କରିଛି କଂଗ୍ରେସ। କଂଗ୍ରେସ ନେତା ଅଜୟ ମାକନ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ବର୍ତ୍ତମାନ ସମୟରେ ଯାହା ପଦକ୍ଷେପ ନିଆଯାଉଛି, ତାହା କଂଗ୍ରେସକୁ ଭୟଭୀତ କରିବା ପାଇଁ କରାଯାଉଛି। ମୂଳ ପ୍ରସଙ୍ଗଗୁଡ଼ିକରୁ ଧ୍ୟାନକୁ ହଟାଇବାକୁ ଚେଷ୍ଟା କରୁଛି କେନ୍ଦ୍ର। ସେ କହିଛନ୍ତି, “ଆମେ ୫ତାରିଖ ଦିନ ମୁଦ୍ରାସ୍ଫୀତି ବିରୋଧରେ ଦେଶବ୍ୟାପୀ ବିରୋଧ ଘୋଷଣା କରିଛୁ। କିନ୍ତୁ ଦିଲ୍ଲୀ ପୁଲିସ ତରଫରୁ କୁହାଯାଇଛି ଯେ, ୫ତାରିଖ ଦିନ ଆମେ କୌଣସି ବିରୋଧ ପ୍ରଦର୍ଶନ କରିପାରିବୁ ନାହିଁ। ଦିନରେ ଆମେ ଏହି ଚିଠି ପାଇଥିଲୁ ଏବଂ ସନ୍ଧ୍ୟାରେ ନ୍ୟାସନାଲ ହେରାଲ୍ଡ ବିଲଡିଂରେ ଅବସ୍ଥିତ ୟଙ୍ଗ ଇଣ୍ଡିଆ ଲିମିଟେଡ କାର୍ଯ୍ୟାଳୟକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସିଲ୍ କରିଥିଲା। ଆଉ ଏବେ କଂଗ୍ରେସ ମୁଖ୍ୟାଳୟ ବାହାରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଆମେ ଏହାର ବିରୋଧ କରିବୁ। ଆମେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ ଏବଂ ରାଜ୍ୟପାଳଙ୍କ ବାସଭବନ ବାହାରେ ବିରୋଧ ପ୍ରଦର୍ଶନ କରିବୁ”।