କାହର ଏ ଲୀଲା ? ମହାବାହୁଙ୍କର ନା ସୁପ୍ରିକୋର୍ଟଙ୍କ

Jul 23, 2018 - 14:38
 183
କାହର ଏ ଲୀଲା ? ମହାବାହୁଙ୍କର ନା ସୁପ୍ରିକୋର୍ଟଙ୍କ
ଭୁବନେଶ୍ୱର, ୨୨/୭ (ସକାଳଖବର): ନୀଳାଚଳ ନିବାସୀ ଜଗତର ନାଥ ଶ୍ରୀଜଗନ୍ନାଥ ମହାପ୍ରଭୂଙ୍କ ଘୋଷଯାତ୍ରା ଦୀର୍ଘ ବର୍ଷ ପରେ ଶୃଙ୍ଖଳିତ ଭାବେ ଶେଷ ହୋଇଛି । ଅନ୍ତର୍ବେଦୀକୁ ଯାତ୍ରା ଦିବସରେ ଚତୁର୍ଦ୍ଧା ମୂରତିଙ୍କ ନୀତିକାନ୍ତି ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ଶେଷ ହୋଇ ପ୍ରାୟ ଦେଢ଼ ଘଣ୍ଟା ଆଗୁଆ ରଥାଟଣା କାର୍ଯ୍ୟ ଆରମ୍ଭ ହୋଇଯାଇଥିଲା । ଫଳରେ ଗୁଣ୍ଡିଚା ମନ୍ଦିରରେ ୨ ରଥ ସେହିଦିନ ସଂଧ୍ୟା ପୂର୍ବରୁ ଲାଗିଯାଇଥିବାବେଳେ କାଳିଆ ଠାକୁରଙ୍କ ରଥ ଗୁଣ୍ଡିଚା ମନ୍ଦିରଠାରୁ ସାମାନ୍ୟ ଦୂରରେ ଅଟକି ରହିଥିଲା । ସେହିପରି ପୂର୍ବ ଦିନ ପ୍ରବଳ ବର୍ଷା ସତ୍ତ୍ୱେ ବାହୁଡ଼ା କାର୍ଯ୍ୟ ମଧ୍ୟ ଯଥାବିଧି ଶେଷ ହୋଇ ଦିନ ଥାଉଥାଉ ତିନି ରଥ ସିଂହଦ୍ୱାରରେ ପହଞ୍ଚିଥିଲା । ଆଜି ସଂଧ୍ୟା ଆଗମନର ଯଥେଷ୍ଟ ପୂର୍ବରୁ ସୁନାବେଶ ମଧ୍ୟ ଶେଷ ହୋଇଥିଲା । ଶ୍ରଦ୍ଧାଳୁଗଣ ସୂର୍ଯ୍ୟାଲୋକରେ ଚତୁର୍ଦ୍ଧାଙ୍କୁ ସୁଶୋଭିତ ସୁନାବେଶରେ ଦର୍ଶନ କରି ପରମ ସନ୍ତୋଷରେ ନିଜ ଘର ଅଭିମୁଖେ ବାହୁଡ଼ିଥିଲେ । ଏହା କିପରି ସମ୍ଭବ ହେଲା ? ଦୀର୍ଘ ବର୍ଷ ହେଲା ଯାହା ହୋଇପାରୁନଥିଲା ତାହା ଏ ବର୍ଷ କିପରି ହୋଇପାରିଲା ? ଏହା କଣ ସେଇ ଦାରୁ ଦେବତାଙ୍କ ଲୀଳା ? ଟିକିଏ ପଛକୁ ଗଲେ ଅମେ ଜାଣିପାରିବା ଯେ, ଶ୍ରୀଜଗନ୍ନାଥ ମନ୍ଦିରରେ ବିଶୃଙ୍ଖଳାକୁ ନେଇ ସୁପ୍ରିମକୋର୍ଟ କିଛିଦିନ ତଳେ ଗଭୀର କ୍ଷୋଭ ପ୍ରକାଶ କରିବା ସହ ବଂଶାନୁକ୍ରମିକ ସେବା ପ୍ରଥା ଉଚ୍ଛେଦ ଓ ସର୍ବଧର୍ମ ପ୍ରବେଶକୁ ଅନୁମତି ସପକ୍ଷରେ ମତାମତ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ମତାମତ ବିରୋଧରେ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ସଂଶୋଧିତ ପିଟିସନ ଦାଖଲ ପାଇଁ ପ୍ରସ୍ତୁତ ହେଉଛନ୍ତି । କାରଣ ସୁପ୍ରିମକୋର୍ଟଙ୍କ ସଙ୍କେତ ଦ୍ୱାରା ଯେଉଁମାନେ ସର୍ବାଧିକ କ୍ଷତିଗ୍ରସ୍ତ ହେବେ ସେମାନେ ହେଲେ ସେବାୟତ । ଏହି ସେବାୟତଙ୍କ ମଧ୍ୟରେ ଗଜପତି ମହାରାଜ ମଧ୍ୟ ଅନ୍ତର୍ଭୂକ୍ତ । ଏହି ଭୟ ହିଁ ଚଳିତ ବର୍ଷର ନୀତିକାନ୍ତି ଶୃଙ୍କଳିତ କରିବାରେ ସହାୟକ ହୋଇଛି । ଏହାଦ୍ୱାରା ସୁପ୍ରିମକୋର୍ଟଙ୍କୁ ଦର୍ଶାଯାଇପାରିବ ଯେ, ବଂଶାନୁକ୍ରମିକ ସେବା ଯୋଗୁଁ ସେବକ ଅଭିଜ୍ଞ ହୋଇପାରିଛନ୍ତି । ଏହାଫଳରେ ରଥଯାତ୍ରା ଶୃଙ୍ଖଳିତ ହୋଇପାରିଛି । ଚଳିତ ବର୍ଷର ଶୃଙ୍ଖଳିତ ରଥଟଣାର ଉଦାହରଣକୁ ଏହି ପିଟିସନରେ ଉଲ୍ଲେଖ କରାଯିବ । ଏଥିସହ ନିକଟରେ ଶ୍ରୀମନ୍ଦିରର ପୁରୁଣା ପ୍ରଶାସକଙ୍କୁ ହଟାଇ ନୂଆ ପ୍ରଶାସକ ନିଯୁକ୍ତି କରାଯିବା ଦ୍ୱାରା ଚଳିତ ରଥଯାତ୍ରାର ସମୟାନୁବର୍ତ୍ତିତାରେ ଏହା ସହାୟକ ହୋଇପାରିଛି । ପୁରୁଣା ପ୍ରଶାସକ ନିଜ ମୁଣ୍ଡକୁ କୌଣସି ଦାୟିତ୍ୱ ନନେଇ ଅନ୍ୟ ଉପରକୁ ଦାୟିତ୍ୱ ଠେଲିଦେବା ଯୋଗୁଁ ଶ୍ରୀମନ୍ଦିର ଭାବମୂର୍ତ୍ତି ଅଧିକରୁ ଅଧିକ କ୍ଷୁର୍ଣ୍ଣ ହେଉଥିବା ମୁଖ୍ୟମନ୍ତ୍ରୀ ଅନୁଭବ କରିବା ପରେ ତାଙ୍କୁ ଏହି ପଦବୀରୁ ହଟାଇ ଦେଇଥିଲେ । ନୂତନ ପ୍ରଶାସକ ନିଜ ମୁଣ୍ଡକୁ ଦାୟିତ୍ୱ ନେଇ ପ୍ରଥମେ ରଥଯାତ୍ରକୁ ଶୃଙ୍ଖଳିତ କରିଥିବାରୁ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରଶଂସାର ପାତ୍ର ହୋଇପାରିଛନ୍ତି । ତେଣୁ ହାତପାଦ ନଥିବା ଜଗନ୍ନାଥଙ୍କ ଇଚ୍ଛାରେ ସବୁକିଛି ଚାଲେ ବୋଲି ଧାର୍ମିକ ବିଚାରରେ ଯେଉଁ ଆଲୋଚନା ହୋଇଥାଏ ତାହା ଏବର୍ଷ ନିଷ୍ପଳ ହୋଇଛି । ମହାପ୍ରଭୂଙ୍କ ସଂପର୍କୀୟଙ୍କ ଇଚ୍ଛାରେ ସବୁକିଛି ଚାଲେ ବୋଲି ତାହା ଚଳିତ ରଥଯାତ୍ରାରେ ପ୍ରମାଣିତ ହୋଇଛି । ଆଗାମୀ ଦିନରେ ରତ୍ନ ଭଣ୍ଡାର ଚାବି ହଜିବା ଓ ସୁପ୍ରିମକୋର୍ଟରେ ସଂଶୋଧିତ ପିଟିସନ ଦାଖଲ କରିବାରେ ନୂଆ ପ୍ରଶାସକଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ଆଶା କରାଯାଉଛି । ଚଳିତ ବର୍ଷର ରଥଯାତ୍ରାର ସମୟ ନିର୍ଘଣ୍ଟ ଯେଉଁ ଉଦାହରଣ ସୃଷ୍ଟି କରିଛି ତାହା ଆଗାମୀ ବର୍ଷରେ ଜାରି ରହିଲେ ଶ୍ରଦ୍ଧାଳୁ ଉପକୃତ ହୋଇପାରିବେ ।