ନିର୍ବାଚନରେ କଂଗ୍ରେସ ବିରୋଧୀ ମେଣ୍ଟ ଓ ବାମପନ୍ଥୀଙ୍କୁ ସମର୍ଥନ ଦେବ
ଭୁବନେଶ୍ୱର, ୧୩/୨(ସକାଳଖବର): ଆସନ୍ତା ନିର୍ବାଚନରେ ବାମପନ୍ଥୀ ଦଳ କଂଗ୍ରେସ ସହିତ ମେଂଟରେ ଲଢ଼ିବ ନାହିଁ କି ଫ୍ରଂଟରେ ରହିବ ନାହିଁ । କିନ୍ତୁ ସମର୍ଥନ ଦେବ । ବିଜେପି-ବିଜେଡ଼ି କୁ ହରାଇବା ପାଇଁ ବାମପନ୍ଥୀ ଦଳର ମୂଳ ଲକ୍ଷ୍ୟ ହୋଇଥିବାରୁ କଂଗ୍ରେସକୁ ସମର୍ଥନ ଦିଆଯାଉଛି ବୋଲି ସିପିଆଇର ରାଜ୍ୟ ସମ୍ପାଦକ ଅଳିକିଶୋର ପଟ୍ଟନାୟକ ପ୍ରକାଶ କରିଛନ୍ତି । ଲୋକସଭା ଆସନରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ଦଳର ପୂର୍ବତନ ରାଜ୍ୟ ସମ୍ପାଦକ ଜନାର୍ଦ୍ଧନ ପତିଙ୍କୁ ଚୂଡ଼ାନ୍ତ କରାଯାଇଛି । ତାଙ୍କ ବିରୁଦ୍ଧରେ କଂଗ୍ରେସ ପ୍ରାର୍ଥୀ ନ ଦେଇ ସମର୍ଥନ କରିବ । ସେହିପରି ବିଧାନସଭା ଆସନ, ବଣେଇ, ନୀଳଗିରି, ରେମୁଣା, ରଣପୁର, ବ୍ରହ୍ମଗିରି, ପାଲଲହଡ଼ା, ଦିଗପହଣ୍ଡି ଓ ମୋରଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀ ଦିଆଯିବାକୁ ଆପାତତ ସ୍ଥିର ହୋଇଛି । ଚୂଡ଼ାନ୍ତ କରିବା ବେଳେ ଏହା କମିଯାଇପାରେ ।
ଏକ ପ୍ରଶ୍ନର ଉତର ଦେଇ ସେ କହିଥିଲେ ଯେ, ଆସନ୍ତା ୩ ଓ ୪ ତାରିଖ ଦୁଇଦିନ ଧରି ଦିଲ୍ଲୀରେ ସେଂଟ୍ରାଲ କମିଟିର ବୈଠକ ବସି କେତୋଟି ଆସନରେ ଲଢ଼ିବେ ଓ ଦଳୀୟ ପ୍ରାର୍ଥୀ ଚୟନ କରାଯିବ । ପ୍ରାର୍ଥୀ ଚୟନ କରିବା ବେଳେ ଯୁବକ ଓ ମହିଳାଙ୍କୁ ଆଗ୍ରାଧିକାର ଦିଆଯିବ । ସିପିଆଇର ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ କହିଛନ୍ତି ଯେ, ତାଙ୍କ ଦଳ ୧୨ଟି ଆସନରୁ ପ୍ରତିଦ୍ୱନ୍ଦିତା କରିବ । ସେଗୁଡ଼ିକ ହେଲା ଛତ୍ରପୁର, ବୌଦ୍ଧ, ବାଲିକୁଦା, ଏରସମା, ବ୍ରଜରାଜନଗର, ସୁନ୍ଦରଗଡ଼, ଚିତ୍ରକୋଣ୍ଡା, ଜୁନାଗଡ଼, ବେଗୁନିଆ, ଭଟ୍ଟଲି, ସିମୁଳିଆ । ରଜ୍ୟ କାର୍ଯ୍ୟକାରୀଣି ବୈଠକ ଏବଂ ପରିଷଦ ବୈଠକ ୧୬ ତାରିଖ ଦିନ ଅନୁଷ୍ଠିତ ହେବ । ସେହିଦିନ ଦଳୀୟ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରାଯିବ ବୋଲି ଶ୍ରୀ କାନୁନଗୋ କହିଥିଲେ ।
ସୂଚନାଯୋଗ୍ୟ ଯେ, ସିପିଆଇର ଆସ୍କା ଲୋକସଭା ଆସନରେ ପ୍ରାର୍ଥୀ ଦେବ କିନ୍ତୁ କିଏ ପ୍ରାର୍ଥୀ ହେବ ସେଥିନେଇ ଚୂଡ଼ାନ୍ତ ହୋଇନାହିଁ । ସେହିପରି ଜେଏମଏମ ମୟୁରଭଂଜ ପ୍ରାର୍ଥୀ ଦେବାପାଇଁ ସ୍ଥିର କରିଛି ।