ଦୁଇଟି ଆସନରୁ ନିର୍ବାଚନ ଲଢିବେ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂହ ଚନ୍ନି, ପରାଜୟ ଭୟ ନା ଆଉ କିଛି କାରଣ?

Jan 30, 2022 - 14:02
 68
ଦୁଇଟି ଆସନରୁ ନିର୍ବାଚନ ଲଢିବେ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂହ ଚନ୍ନି, ପରାଜୟ ଭୟ ନା ଆଉ କିଛି କାରଣ?
ଅମୃତସର ୩୦/୦୧: ପଞ୍ଜାବରେ ନିର୍ବାଚନୀ ମାହୋଲ ଏବେ ସରଗରମ । କ୍ଷମତାରେ ଥିବା କଂଗ୍ରେସ ପୁଣିଥରେ ଶାସନ ଗାଦିକୁ ଫେରିବା ନେଇ ଦାବି କରୁଥିବା ବେଳେ ଆପ୍‌ ଏବଂ ଅକାଳୀ ଦଳ ମଧ୍ୟ ଜୋରଦାର ଟକ୍କର ଦେଉଛନ୍ତି । ତେବେ ଚଳିତ ନିର୍ବାଚନରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବେ ସେ ନେଇ କୌଣସି ଘୋଷଣା କରିନାହିଁ । ଏହାରି ମଧ୍ୟରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନିଙ୍କୁ ୨ଟି ଆସନରୁ ପ୍ରାର୍ଥୀ କରିବାକୁ ଘୋଷଣା କରିଛି ଦଳ । ସିଏମ୍‌ ଚନ୍ନି ଚମକୌର ସାହିବ ଏବଂ ଭଦୌର ବିଧାନସଭା ଆସନରୁ ପ୍ରତିଦ୍ବନ୍ଦିତା କରିବେ । ଏ ନେଇ ରବିବାର ପଞ୍ଜାବ ପକ୍ଷରୁ ପ୍ରାର୍ଥୀ ତାଲିକା ଜାରି କରାଯାଇଛି । ଯେଉଁଥିରେ ଚନ୍ନି ଦୁଇଟି ଆସନରୁ ନିର୍ବାଚନ ଲଢୁଥିବା ଜଣାପଡିଛି । ରବିବାର ୮ ଜଣିଆ ପ୍ରାର୍ଥୀ ତାଲିକା ଜାରିକରାଯାଇଥିବା ବେଳେ ଅଟାରୀରୁ ତରାସେମ୍‌ ସିଂହ, ଖେମ କରନ୍‌ରୁ ସୁଖପାଲ, ନଓ୍ବାସହରରୁ ସତବୀର ସିଂହ, ଲୁଧିୟାନା ସାଉଥ୍‌ରୁ ଇଶ୍ବରଜୋତ୍‌ ସିଂହ ଚିମା, ଜଲାଲାବାଦ୍‌ରୁ ମୋହନ ସିଂହ, ବରନାଲାରୁ ମନୀଷ ବଂଶଲ ଏବଂ ପଟିୟାଲାରୁ ବିଷ୍ଣୁ ପ୍ରସାଦ ଶର୍ମାଙ୍କୁ ଟିକେଟ୍‌ ଦେଇଛି କଂଗ୍ରେସ । ଆମ୍‌ ଆଦୀ ପାର୍ଟି ପ୍ରମୁଖ ଅରବିନ୍ଦ କେଜରିଓ୍ବାଲ ମଧ୍ୟ ନିର୍ବାଚନ ପ୍ରଚାର ଜୋରଦାର ଜାରି ରଖିଛନ୍ତି । ଅମୃତସରରେ ପ୍ରେସ କନଫରେନ୍ସ କରି ବିରୋଧୀଙ୍କ ଉପରେ ବର୍ଷିଛନ୍ତି କେଜରିଓ୍ବାଲ । ତାଙ୍କ ସହିତ ବଗବନ୍ତ ମାନ୍‌ ମଧ୍ୟ ନଜର ଆସିଛନ୍ତି । ସରକାରକୁ ଆସିଲେ ପଞ୍ଜାବର ସମସ୍ତ ସରକାରୀ ଅଫିସରୁ ନେତାଙ୍କ ଫଟୋ ହଟାଇ ଭଗତ ସିଂହ ଏବଂ ବାବା ସାହେବ ଆମ୍ବେଦକରଙ୍କ ଫଟୋ ଲଗାଇବାକୁ ଘୋଷଣା କରିଛନ୍ତି ।