ତାମିଲନାଡ଼ୁରୁ ବ୍ରହ୍ମପୁର ଗହଣା ଚାଲାଣ: ୪କିଲୋ ସୁନା, ୨୩୫କିଲୋ ରୁପା ଜବତ

Dec 5, 2020 - 16:43
 98
ତାମିଲନାଡ଼ୁରୁ ବ୍ରହ୍ମପୁର ଗହଣା ଚାଲାଣ: ୪କିଲୋ ସୁନା, ୨୩୫କିଲୋ ରୁପା ଜବତ
ବ୍ରହ୍ମପୁର : ଟିକସ ଫାଙ୍କି ବ୍ରହ୍ମପୁରକୁ ସୁନା, ଗହଣା ଚାଲାଣ ରାକେଟ୍‌ ପର୍ଦ୍ଦାଫାସ୍‌ କରିଛି ପୁଲିିସ। ଗୋସାଇଁ ନୂଆଗାଁ ଥାନା ପୁଲିସ ଏହି ରାକେଟ୍‌କୁ ଠାବ କରି ୩ଜଣଙ୍କୁ ଅଟକ ରଖିଛି। ସେମାନଙ୍କ ନିକଟରୁ ୪କିଲୋ ସୁନା ଅଳଙ୍କାର ଓ ୨୩୫କିଲୋ ରୁପା ଅଳଙ୍କାର ଜବତ ହୋଇଛି। ଚାଲାଣରେ ବ୍ୟବହୃତ ଏକ ତାମିଲନାଡ଼ୁ ରେଜିଷ୍ଟ୍ରେସନ୍‌ କାର୍‌ ଜବତ କରାଯାଇଛି। ସୁନା, ଗହଣାର କୌଣସି କାଗଜପତ୍ର ଦେଖାଇ ପାରି ନଥିବାରୁ ତାହା ଟିକସ ଫାଙ୍କି ଚାଲାଣ କରାଯାଉଥିବା ପୁଲିସ ସନ୍ଦେହ କରୁଛି। ଏଣୁ ପୁଲିସ ଜିଏସ୍‌ଟି ବିଭାଗକୁ ଖବର କରିଥିବା ଜଣାପଡ଼ିଛି। ଗୋସାଇଁ ନୂଆଗାଁ ଥାନା ପୁଲିସ ଅନ୍ଧପସରା ରୋଡ଼ରେ ବ୍ଲକିଂ କରୁଥିବ। ସମୟରେ ହଳଦିଆପଦର ଓଭର୍‌ ବ୍ରିଜ୍‌ ଦେଇ ଏକ କାର୍‌ ବ୍ରହ୍ମପୁର ସହରକୁ ପ୍ରବେଶ କରିଥିଲା। ପୁଲିସ ଗାଡ଼ି ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ପରେ ଗାଡ଼ିରୁ ବିଭିନ୍ନ ବ୍ୟାଗ୍‌ରେ ଭର୍ତ୍ତି ଥିବା ସୁନା, ଗହଣା ମିଳିଥିଲା। କାର୍‌ରେ ବସିଥିବା ୩ଜଣ ଯୁବକ ଗହଣାର କୌଣସି କାଗଜପତ୍ର ଦେଖାଇ ପାରି ନଥିଲେ। ଫଳରେ ପୁଲିସକୁ ସନ୍ଦେହ ହୋଇଥିଲା। ପୁଲିସ ସେଗୁଡ଼ିକ ଜବତ କରିଥିଲା। ଯୁବକମାନେ ତାମିଲନାଡ଼ୁରୁ ଆସୁଥିବା ପ୍ରାଥମିକ ତଦନ୍ତରେ ଜଣାପଡ଼ିଛି। ତେବେ ଏମାନେ କେଉଁ ବ୍ୟବସାୟୀଙ୍କ ନିକଟକୁ ଏତେ ପରିମାଣ ଗହଣା ନେଇ ଯାଉଥିଲେ ତାହା ସ୍ପଷ୍ଟ ହୋଇ ନାହିଁ। ସେ ଦିଗରେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।