ଝାମୁମୋର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ
ବାରିପଦା,୧୪/୦୮ (ସକାଳଖବର): ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦା ବ୍ଲକରେ ଏକ ବୃହତ୍ତ କାଗଜକଳ ପ୍ରତିଷ୍ଠା ଦାବି ନେଇ ଝାମୁମୋ ଆଜି ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲା । ଏହି ପରିପ୍ରେକ୍ଷୀରେ ଝାମୁମୋର ଶୁଳିଆପଦା ବ୍ଲକ ସଭାପତି ରାମେଶ୍ୱର କିସ୍କୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବିକ୍ଷୋଭ ଓ ପ୍ରତିବାଦ ସଭାରେ ଦଳର ରାଜ୍ୟ ସଭାପତି ମହେଶ ହେମ୍ବ୍ର, ରାଜ୍ୟ ସାଧାରଣ ସମ୍ପାଦକ କଳିଙ୍ଗକେଶରୀ ଜେନା, ଜିଲ୍ଲା ସଭାପତି ‘ାଗୁ ହାଁସଦାଃ, ଜିଲା ସାଧାରଣ ସମ୍ପାଦକ ଗୋବିନ୍ଦ ସୋରେନ, ଜିଲ୍ଲା ସମ୍ପାଦକ ନିମାଇଁ ତ୍ରିପାଠୀ ଓ ପ୍ରଭୂଦାନ ମାର୍ଣ୍ଡି, ଜିଲ୍ଲା ଉପସଭାପତି ଦିଲ୍ଲୀପ ଦାସ, ଜିଲ୍ଲା ଯୁବ ସଭାପତି ପିଣ୍ଟୁ ମାଇତି, ଏସକେ ରାଜା ଖାନ୍, ଜ୍ୟୋତି ରଞ୍ଜନ ପୃଷ୍ଟି, ରାକେଶ ବେହେରା, ମାନସ ବେହେରା, ଆଇନଜୀବୀ ସତ୍ୟବାନ ପାଲ ଓ ବାଜୁନ ହାଁସଦାଃ ପ୍ରମୁଖ ନେତା ଓ କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଭାବେ ଟାର୍ଗେଟ କରିଥିଲେ । ଏଥି ସହିତ ବିଜେଡ଼ି ସରକାରରେ ମୟୂରଭଞ୍ଜ ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିବା ଦଳର ୯ ଜଣ ବିଧାୟକ ସହିତ ସାଂସଦମାନଙ୍କ ଅପାରଗତାକୁ ତୀବ୍ର ସମାଲୋଚନା କରିଥିଲେ । ରାଜ୍ୟରେ ବିଜେଡ଼ି ଶାସର ମୟୂରଭଞ୍ଜ ଜିଲ୍ଲାକୁ କ୍ରମାଗତ ଭାବେ ଅବହେଳା ପ୍ରଦର୍ଶନ କରିଚାଲିଛି । ବିକାଶର ନାରା ବଜାଇ ଚାଲିଥିବା ବେଳେ ଜିଲ୍ଲା ଦିନକୁ ଦିନ ବିନାଶ ଆଡ଼କୁ ଠେଲି ହେବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ନବୀନ ଜିଲ୍ଲାବାସୀଙ୍କୁ ପ୍ରତାରିତ କରିଚାଲିଛନ୍ତି । ତେଣୁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ସଦାସର୍ବଦା ଗରୀବ ଜନସାଧାରଣ ଓ ଆଦାବାସୀ ଭାଇ, ଭଉଣୀମାନଙ୍କ ସ୍ୱାର୍ଥ ରକ୍ଷା ନିମନ୍ତେ କାର୍ଯ୍ୟ କରିଆସୁଥିବାରୁ ପ୍ରତିବାଦ କରିବା ସାଙ୍ଗକୁ ନିଜର ହକ୍ ଆଦାୟ ପାଇଁ ଆଜି ରାଜ ରାସ୍ତାକୁ ଓହ୍ଲେଇ ଆସିବାକୁ ବାଧ୍ୟ ହୋଇଛି । ଝାମୁମୋର ଦାବି ପୂରଣ କରା ନ ଗଲେ ଆଗାମୀ ଦିନରେ ଏହି ଆନେ୍ଦାଳନକୁ ଅଧିକ ତୀବ୍ର କରାଯିବ । ଜିଲ୍ଲାର ସମସ୍ତ ବିଧାୟକ ସହିତ ଦଳର ସମସ୍ତ ନେତାମାନଙ୍କୁ ମୟୂରଭଞ୍ଜ ମାଟିରେ ରାସ୍ତାଘାଟରେ ବିରୋଧ କରାଯିବ ବୋଲି ଚେତାବନୀ ଦେଇଥିଲେ ।