ଜେଲ ଗଲେ ରଙ୍ଗିଲା ଟ୍ୟୁସନ ସାର୍

Dec 24, 2021 - 07:31
 96
ଜେଲ ଗଲେ ରଙ୍ଗିଲା ଟ୍ୟୁସନ ସାର୍
ଭୁବନେଶ୍ୱର,୨୪/୧୨: ରାଜଧାନୀରୁ ୨ ନାବାଳିକା ଛାତ୍ରୀଙ୍କୁ ଅପହରଣ ମାମଲାରେ ଗିରଫ ହେଲେ ରଙ୍ଗିଲା ଟ୍ୟୁସନ୍‌ ମାଷ୍ଟର ଗୋପାଳକୃଷ୍ଣ ବାଡ଼ତିଆ । ବଡ଼ଗଡ଼ ଥାନା ପୁଲିସ ଅପହରଣ ସହ ଦୁଷ୍କର୍ମ ମାମଲା ରୁଜୁକରି ଗୋପାଳଙ୍କୁ ଗିରଫ କରି ଗୁରୁବାର ପୋକ୍ସୋ କୋର୍ଟରେ ହାଜର କରିଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି । ଉଦ୍ଧାର ହୋଇଥିବା ୨ ନାବାଳିକା ଭଉଣୀଙ୍କୁ ପୁଲିସ ସିଡବ୍ଲ୍ୟୁସିରେ ହାଜର କରିବା ପରେ କଳିଙ୍ଗବିହାରରେ ଥିବା ଏକ ସେଲ୍‌ଟର ହୋମ୍‌ରେ ଛାଡ଼ିଛି । ପୁଲିସ ସୂଚନା ଅନୁଯାୟୀ, ଗଞ୍ଜାମର ଗୋପାଳକୃଷ୍ଣ ବାଡ଼ତିଆ ବିବାହିତ । ତାଙ୍କର ସ୍ତ୍ରୀ ଓ ଗୋଟିଏ ପିଲା ଅଛନ୍ତି । ସେ ବଡ଼ଗଡ଼ ଥାନା ଅଞ୍ଚଳରେ ୨ ଭଉଣୀଙ୍କୁ ଟ୍ୟୁସନ୍‌ କରୁଥିଲେ । ଜଣେ ୧୦ମ ଶ୍ରେଣୀରେ ପଢ଼ୁଥିବା ବେଳେ ଅନ୍ୟଜଣେ ଅଷ୍ଟମରେ । ଗୋପାଳ ୨ ଭଉଣୀଙ୍କ ଘରକୁ ଆସି ସେମାନଙ୍କୁ ଘଣ୍ଟାଏ ପଢାଇବା ବଦଳରେ ୨ରୁ ୩ ଘଣ୍ଟା ପର୍ଯ୍ୟନ୍ତ ପଢ଼ାଉଥିଲେ । ପାଠ ପଢ଼ା ଆଳରେ ଗୋପାଳ ୨ ଭଉଣୀଙ୍କୁ ନିଜ ପ୍ରେମ ଜାଲରେ ଫସାଇ ସାରିଥିଲେ । ତେବେ ପରିବାର ଲୋକଙ୍କ ସନ୍ଦେହ ହେବାରୁ ୧୫ ଦିନ ତଳେ ସେମାନେ ଗୋପାଳଙ୍କ ଟ୍ୟୁସନ୍‌ ବନ୍ଦ କରିଦେଇଥିଲେ । ଏଥିରେ ଉତକ୍ଷିପ୍ତ ଗୋପାଳ ପରିବାରକୁ ବରବାଦ କରିଦେବାକୁ ଧମକ ଦେଇଥିଲେ । ଗତ ରବିବାର ଗୋପାଳ ଏକ ଇଣ୍ଡିଗୋ ବିମାନର ଟିକେଟ୍‌ ଧରି ନାବାଳିକାଙ୍କ ଘରେ ପହଞ୍ଚିଥିଲେ । ନାବାଳିକାଙ୍କ ବାପା ଓ ମା’ଙ୍କ ପାଦ ଧୂଳି ନେଇ ଆଶୀର୍ବାଦ ନେଇଥିଲେ । ସେ ଦିଲ୍ଲୀରେ ଚାକିରି ପାଇଥିବା କହିଥିଲେ । ସନ୍ଧ୍ୟାରେ ଦିଲ୍ଲୀ ଯିବି ବୋଲି କହି କିଛି ସମୟ ତାଙ୍କ ଘରେ ବିତାଇବା ପରେ ପଳାଇଥିଲେ । ଗୋପାଳ ଯିବାର କିଛି ସମୟ ପରେ ନାବାଳିକା ୨ ଜଣ ଘରୁ କେଉଁଆଡ଼େ ପଳାଇଥିଲେ । ଘର ଲୋକେ ଖୋଜାଖୋଜି କରି ଖଟ ଉପରୁ ଏକ ହାତ ଲେଖା ପାଇଥିଲେ । ଯେଉଁଥିରେ ୨ ଭଉଣୀ ନିଜର କ୍ୟାରିଅର ପାଇଁ ଯାଉଛନ୍ତି ଓ ଖୁବ୍‌ ଶୀଘ୍ର ଫେରି ଆସିବେ ବୋଲି ଲେଖି ଯାଇଥିଲେ । ଏନେଇ ପରିବାର ଲୋକେ ମଙ୍ଗଳବାର ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ୨ ଭଉଣୀଙ୍କୁ ଗତକାଲି ସମ୍ବଲପୁର ଅଇଁଠାପଲ୍ଲୀରୁ ଉଦ୍ଧାର କରିବା ସହ ଗୋପାଳଙ୍କୁ ଗିରଫ କରିଥିଲା । ଗୋପାଳ ୨ ଭଉଣୀଙ୍କୁ ନେଇ ଗଲାବେଳେ ସାଙ୍ଗରେ ନେଇଥିବା ପୋଷା କୁକୁର ପାଇଁ ସହଜରେ ଧରାପଡ଼ିଯାଇଥିଲେ । ଅପହରଣ ପୂର୍ବରୁ ଗୋପାଳ ଅଇଁଠାପଲ୍ଲୀକୁ ଯାଇ ସେଠାରେ ଘର ଭଡ଼ା ଠିକ୍‌ କରି ଆସିଥିଲେ । ୨ ଭଉଣୀଙ୍କୁ ନେଇ ଭଡ଼ା ଘରେ ରଖିଥିଲେ । କମିଶନରେଟ୍‌ ପୁଲିସ ଠାରୁ ଖବରପାଇ ଅଇଁଠାପଲ୍ଲୀ ପୁଲିସ ଭଡ଼ାଘରେ ଚଢ଼ଉ କରି ୨ ଭଉଣୀଙ୍କୁ ଉଦ୍ଧାର କରିବା ସହ ଗୋପାଳଙ୍କୁ ଉଠାଇ ଆଣିଥିଲା । ୨ ଭଉଣୀଙ୍କୁ ଅପହରଣ କରି ନେବାର କାରଣ ପୁଲିସ ପଚାରିବାରୁ ଗୋପାଳ ବିଭିନ୍ନ ବାହାନା ଦେଖାଇଥିଲେ । ୨ ଭଉଣୀଙ୍କୁ ପରିବାର ଲୋକେ ନିର୍ଯାତନା ଦେଉ ଥିବାରୁ ସେମାନଙ୍କୁ ନେଇ ଆସିଥିଲେ । ପିକ୍‌ନିକ ଋତୁ ଚାଲିଥିବାରୁ ସେମାନଙ୍କୁ ବିଭିନ୍ନ ସ୍ଥାନ ବୁଲାବୁଲି କରି ସେମାନଙ୍କ ମନ ଖୁସି କରିବାକୁ ଏଭଳି ଉଦ୍ୟମ କରିଥିଲି ବୋଲି ସଫେଇ ଦେଇଥିଲେ ।