ଜମ୍ମୁ ଓ କଶ୍ମୀର: କିସ୍ତବାଡ଼ ଖାଇକୁ ଗାଡ଼ି ଗଡ଼ିଯିବାରୁ ୭ ମୃତ, ଜଣେ ଗୁରୁତର ଆହତ

May 24, 2023 - 07:38
 25
ଜମ୍ମୁ ଓ କଶ୍ମୀର: କିସ୍ତବାଡ଼ ଖାଇକୁ ଗାଡ଼ି ଗଡ଼ିଯିବାରୁ ୭ ମୃତ, ଜଣେ ଗୁରୁତର ଆହତ
ଶ୍ରୀନଗର: ଆଜି ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ କିସ୍ତବାଡ଼ ଅଞ୍ଚଳରେ ଗୋଟାଏ ଗାଡ଼ି ଗଭୀର ଖାଇ ଭିତରକୁ ଗଡ଼ିପଡ଼ିବାରୁ ଅନ୍ୟୂନ ୭ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଆଉ ଜଣେ ଗୁରୁତର ଆହତ ହୋଇଥିବା କଥା ପୁଲିସ କହିଛି। ସଂଗୃହୀତ ସୂଚନା ଅନୁସାରେ, ଦଙ୍ଗଦୁରୁ ଜଳଭଣ୍ଡାର ପ୍ରକଳ୍ପର ୧୦ଜଣ ଶ୍ରମଜୀବୀଙ୍କୁ ନେଇ ଯାଉଥିବା ବେଳେ ଉକ୍ତ ଗାଡ଼ିଟି ଦଙ୍ଗଦୁରୁ ଜଳଭଣ୍ଡାର କ୍ଷେତ୍ର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଉପତ୍ୟକା ଉପରେ ଗାଡ଼ିଟି ଭାରସାମ୍ୟ ରକ୍ଷା କରି ନ ପାରି ଗଡ଼ିଯାଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ଦୁର୍ଘଟଣା ସମ୍ବାଦକୁ ସୁନିଶ୍ଚିତ କରି କିସ୍ତବାଡ଼ ପୁଲିସ କହିଛି, ଗୋଟାଏ କ୍ରସର୍‌ ଗାଡ଼ି ଉପତ୍ୟକା ଉପରୁ ଗଡ଼ିପଡ଼ିଛି। ଆହତମାନଙ୍କୁ ଡାକ୍ତରଖାନକୁ ନିଆଯାଇଛି। କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ମଧ୍ୟ ଦୁର୍ଘଟଣା ସଂକ୍ରାନ୍ତରେ କିସ୍ତବାଡ଼ ଜିଲ୍ଲାପଳ ଡକ୍ଟର୍‌ ଦେବାଂଶ ଯାଦବଙ୍କ ସହିତ କଥାବାର୍ତ୍ତା କରି କହିଛନ୍ତି ଯେ, ସମସ୍ତ ସମ୍ଭାବ୍ୟ ସାହାଯ୍ୟ ଯୋଗାଇ ଦିଆଯାଉଛି। ଅଧିକ ସୂଚନା ଦେଇ ସେ କହିଛନ୍ତି, ୭ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ସାଙ୍ଘାତିକ ଆହତ ହୋଇଛନ୍ତି। ସ୍ବାସ୍ଥ୍ୟବସ୍ଥାର ଜଟିଳତା ଅନୁଯାୟୀ ଆହତ ଶ୍ରମଜୀବୀଙ୍କୁ କିସ୍ତବାଡ଼ ଜିଲ୍ଲା ହସ୍ପିଟାଲ୍‌ ଅଥବା ଦୋଦା ‘ଜିଏମ୍‌ସି’କୁ ସ୍ଥାନାନ୍ତର କରାଯିବ। ଆବଶ୍ୟକ ଅନୁସାରେ, ଯଥା ସମ୍ଭବ ସମସ୍ତ ସହାୟତା ଯୋଗାଇ ଦିଆଯିବ। ପୁଲିସ କହିବା ଅନୁସାରେ, ଘଟଣାଟି ବାସ୍ତବ ନିୟନ୍ତ୍ରଣ ରେଖାର କେରି ସେକ୍ଟର୍‌ରେ ଘଟିଛି ଏବଂ ଖବର ପାଇବା କ୍ଷଣି ସେମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଦୁର୍ଘଟଣାରେ ଆହତ ବ୍ୟକ୍ତିମାନଙ୍କୁ ପାଖରେ ଥିବା ଡାକ୍ତରଖାନାକୁ ନିଆଯାଇଛି।