ଜନତାଙ୍କ ସେବା ମୋର ମୂଳ ଲକ୍ଷ୍ୟ : ସମ୍ବିତ

Apr 6, 2019 - 05:30
 124
ପୁରୀ, ୫/୪(ସକାଳଖବର): ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିବା ଡା. ସମ୍ବିତ ପାତ୍ର ଶୁକ୍ରବାର ହୋଟେଲ ଅନନ୍ୟ ପ୍ରାଇଡଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକଙ୍କ ସହ ପରିଚିତ ହୋଇ କହିଛନ୍ତି ଜନତାଙ୍କ ସେବା କରିବା ମୋର ମୂଳ ଲକ୍ଷ୍ୟ । ଡା. ହିସାବରେ ମୁଁ ରୋଗୀଙ୍କ ସେବା କରୁଥିଲି । ଜଣେ ଓଡିଆ ହିସାବରେ ଦିଲ୍ଲୀରେ ପରିଚିତ ହେବାପରେ ମୋଦିଙ୍କ ସହ ସଂପର୍କ ହୋଇଥିଲା । ମୋଦି ଚାହିଁଲେ ମୁଁ ପୁରୀରୁ ପ୍ରାର୍ଥୀହୋଇ ଜଗନ୍ନାଥ ଧାମର ଟେକ ରଖିବି । ଲୋକମାନଙ୍କ ସହ ସୁଖଦୁଃଖରେ ଭାଗୀ ହେବା, ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀକୁ ଭାରତର ଏକ ପ୍ରମୁଖ ଲୋକସଭା ନିର୍ବାଚନ ମଣ୍ଡଳୀ ଭାବେ ପରିଣତ କରିବା ପାଇଁ ଲକ୍ଷ୍ୟ ରହିଛି । ଜଗନ୍ନାଥଙ୍କ ଆଶିର୍ବାଦ ଓ ଲୋକଙ୍କ ଭଲ ପାଇ ଜିତିବା ପରେ ମୁଁ ଲୋକମାନଙ୍କ ପାଇଁ କାମ କରିବି । ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥ ବିଶ୍ୱ ବିଦିତ । ଲକ୍ଷ ଲକ୍ଷ ଜନତାଙ୍କୁ ଦେଖାକରିବା ପାଇଁ ସ୍ୱୟଂ ପ୍ରଭୂ ରତ୍ନ ସିଂହାସନ ଛାଡି ବଡଦାଣ୍ଡରେ ରଥଯାତ୍ରାରେ ଉଭା ହୋଇଥାନ୍ତି । । ଲୋକଙ୍କ ସେବା ପାଇଁ ମୁଁ ଏବେ ଦିଲ୍ଲୀ ଛାଡି ପଲ୍ଲୀରେ ବୁଲୁଛି । ସାଧାରଣ ଜନତା ହିସାବରେ ଲୋକଙ୍କୁ ଭଲ ପାଇବା, ଲୋକଙ୍କ ହୃଦୟକୁ କିଣିବା ଓ ଲୋକଙ୍କ ସେବା କରିବା ପାଇଁ ମୋ ମନ ମଧ୍ୟରେ ବହୁ ଦିନ ଧରି ଆଗ୍ରହ ସୃଷ୍ଟି ହୋଇଥିଲା । ଯାହା ଫଳରେ ମୁଁ ଡାକ୍ତରୀ ପେଷା ଛାଡି ଏବେ ଲୋକଙ୍କ ସେବାପାଇଁ ସଂକଳ୍ପ ନେଇଛି । ସୁନାର ଚଷମା ଓ କଠୋଉ ପିନ୍ଧୁଥିବା ନେତାଙ୍କ ସହ ମୁଁ ସମକକ୍ଷ ହୋଇପାରିବି ନାହିଁ । ଲୋକଙ୍କ ହୃଦୟକୁ ଜିଣିବା ପାଇଁ ମତେ ପ୍ରଭୁ ଶ୍ରୀଜଗନ୍ନାଥ ପଠାଇଛନ୍ତି । ଲୋକମାନେ ମୋତେ ସଠିକ୍ ନ୍ୟାୟ ଦେବେ ବୋଲି ଆଶା କରୁଛି ।