କେନ୍ଦ୍ର ସରକାରଙ୍କ ‘ ପାଳିତ ପଶୁ’ ପରି କାମ କରୁଛି ଯାଞ୍ଚ ଏଜେନ୍ସି: ଉଦ୍ଧବ ଠାକରେ

Nov 11, 2022 - 05:25
 66
କେନ୍ଦ୍ର ସରକାରଙ୍କ ‘ ପାଳିତ ପଶୁ’ ପରି କାମ କରୁଛି ଯାଞ୍ଚ ଏଜେନ୍ସି: ଉଦ୍ଧବ ଠାକରେ
ମୁମ୍ବାଇ: କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ‘କେନ୍ଦ୍ରର ପାଳିତ ପଶୁ’ ପରି କାମ କରୁଛି। ଏମିତି କଠୋର ଶବ୍ଦରେ କେନ୍ଦ୍ର ସରକାର ଏବଂ ଯାଞ୍ଚ ଏଜେନ୍ସିକୁ ଟାର୍ଗେଟ୍ କରିଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ସେ କହିଛନ୍ତି, ମନି ଲଣ୍ଡ୍ରିଂ ମାମଲାରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଜାମିନ ଦେବା ଅଦାଲତଙ୍କ ନିଷ୍ପତ୍ତି ଦେଶ ପାଇଁ ଏକ ମାର୍ଗଦର୍ଶକ ପରି ରହିଥିଲା। ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ନିଜର ବାସଭବନ ‘ମାତୋଶ୍ରୀ’ରେ ସାମ୍ବାଦିକଙ୍କୁ ସମ୍ବୋଧିତ କରି ଶିବସେନାର ଏକ ଗୋଷ୍ଠୀର ପ୍ରମୁଖ ଉଦ୍ଧବ ଠାକରେ କହିଛନ୍ତି ରାଉତଙ୍କୁ ମିଥ୍ୟା କେସ୍‌ରେ ଫଶା ଯାଇପାରେ। ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଉଦ୍ଧବ ଠାକରେଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିବା ପରେ କହିଛନ୍ତି ଯେ, ତାଙ୍କୁ ବିଶ୍ଵାସ ଥିଲା ଠାକରେ ଏବଂ ପାର୍ଟି ତାଙ୍କ ଅନୁପସ୍ଥିତିରେ ତାଙ୍କ ପରିବାର ସହିତ ରହିବେ। ସେ ପାର୍ଟି ପାଇଁ ଆହୁରି ୧୦ ଥର ଜେଲ୍ ଯିବାକୁ ପ୍ରସ୍ତୁତ। ଉଦ୍ଧବ ଠାକରେ କହିଛନ୍ତି, ଅଦାଲତଙ୍କ ଆଦେଶରେ ଏହା ସଂପୂର୍ଣ୍ଣ ସ୍ପଷ୍ଟ ଯେ କେନ୍ଦ୍ରୀୟ ଏଜେନ୍ସି କେନ୍ଦ୍ର ସରକାରଙ୍କ ପାଳିତ ପଶୁ ପରି କାମ କରୁଛି ଏବଂ ପୂରା ଦୁନିଆ ଏହାକୁ ଦେଖୁଛି। ଶିବସେନାର ନାମ ଏବଂ ନିର୍ବାଚନ ଚିହ୍ନ ଉପରେ ରୋକ୍ ଲଗାଇବା ଭାରତୀୟ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ବିଷୟରେ ପ୍ରଶ୍ନ ହେବାରୁ ରାଉତ କହିଛନ୍ତି, ସମ୍ବିଧାନ ଉପରେ କଟକଣା ଲଗାଇବାକୁ ଉଦ୍ୟମ କରାଯାଉଛି। ଆମ ପରି ଲୋକଙ୍କୁ ବେଆଇନ ଭାବେ ଗିରଫ କରାଯାଉଛି ଏବଂ ଏହା ସମ୍ବିଧାନ ଉପରେ ପ୍ରତିବନ୍ଧକ ଲଗାଇବା ସହ ସମାନ। ସେହିପରି ଉଦ୍ଧବ ଠାକରେ ଦାବି କରିଛନ୍ତି ଯେ, କେନ୍ଦ୍ରୀୟ ଏଜେନ୍ସିର ଦୁରପଯୋଗ କରାଯାଇ ଅନେକ ଦଳକୁ ବିଭାଜନ କରାଯାଉଛି ଏବଂ ବେଆଇନ ଭାବେ ଗିରଫଦାରୀ କରାଯାଉଛି। ରାଉତଙ୍କ ମାମଲା ହେଉଛି ସଦ୍ୟତମ ଉଦାହରଣ। କିଛି ନେତା ଏଜେନ୍ସିର ତଦନ୍ତ ଭୟରେ ଦଳ ଛାଡିଦେଲେ। ଯଦି କେହି ଭୁଲ୍ କରି ନାହାନ୍ତି ତେବେ ଡରିବାର କୌଣସି ଆବଶ୍ୟକତା ନାହିଁ ବୋଲି ଠାକରେ କହିଛନ୍ତି।