ଜନଜାତି କଳା ଓ ସଂସ୍କୃତି ଆମର ଗୌରବ :ମୁଖ୍ୟମନ୍ତ୍ରୀ

Feb 26, 2019 - 18:52
 193
ଭୁବନେଶ୍ୱର, ୨୬/୨(ସକାଳଖବର): ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସଚିବାଳୟ ଠାରେ ଭିଡିଓ କନଫରେନ୍ସିଂ ଜରିଆରେ ୯ଟି ଜନଜାତି ବହୁଳ ଜିଲ୍ଲାର ସ୍ୱତନ୍ତ୍ର ବିକାଶ ପରିଷଦ ଅଂଚଳରେ ୩ ହଜାର ପବିତ୍ର ପୂଜାସ୍ଥଳୀ ଓ ୪୦୦ ଜନଜାତି ସଂସ୍କୃତି କ୍ଲବ୍ ଉଦାଟନ କରିଛନ୍ତି । ଏହି ଅବସରରେ ୯ଟି ପରିଷଦର ଜନଜାତି ବର୍ଗର କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜନଜାତି କଳା ଓ ସଂସ୍କୃତି ଆମର ଗୌରବ ଏବଂ ଏହାର ସୁରକ୍ଷା ଓ ବିକାଶ ଦାୟିତ୍ୱ ଆମ ସମସ୍ତଙ୍କର । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୯ଟି ଜିଲ୍ଲାରେ ଗଠିତ ସ୍ୱତନ୍ତ୍ର ବିକାଶ ପରିଷଦ ଗୁଡିକ କଳା ଓ ସଂସ୍କୃତିର ସୁରକ୍ଷା ଦିଗରେ ବହୁତ ଭଲ କାମ କରୁଛନ୍ତି । ଜନଜାତି ସଂସ୍କୃତିକୁ ସ୍ୱତନ୍ତ୍ର ପରିଚୟ ବଜାୟ ରଖିବା ଓ ଜନଜାତି ଐତିହ୍ୟର ସୁରକ୍ଷା ପାଇଁ ଗତ ୧୦ ମାସ ମଧ୍ୟରେ ବହୁତ ଭଲ କାମ ହୋଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ କୁସି ବ୍ୟକ୍ତ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୫ ହଜାର ଜନଜାତି କଳାକାରଙ୍କୁ ଆରଟିସାନ୍ କାର୍ଡ ଦିଆଯାଇଛି । ସୂଚନାଯୋଗ୍ୟ ଯେ ୨୦୧୮ ମାର୍ଚ୍ଚ ମାସରେ ୯ଟି ଜନଜାତି ବହୁଳ ଜିଲ୍ଲାରେ ୯ଟି ସ୍ୱତନ୍ତ୍ର ବିକାଶ ପରିଷଦ ଗଠିତ ହୋଇଥିଲା । ଜନଜାତିଙ୍କ ମାନଙ୍କ ଭାଷା , ସଂସ୍କୃତି ଆଦିର ସୁରକ୍ଷା ଓ ପ୍ରଚାର ପ୍ରସାର ପାଇଁ ଏହି ପରିଷଦ ଗୁଡିକ କାମ କରୁଛନ୍ତି । ଏଥିରେ ସମସ୍ତ ୬୨ ବର୍ଗର ଜନଜାତି ଓ ପିଭିଟିଜି ମାନେ ପ୍ରତ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି । ପବିତ୍ର ପୂଜାସ୍ଥଳୀର ବିକାଶ ଓ ସଂସ୍କୃତି କ୍ଲବ୍ ର ଗଠନ ସହିତ ବାଦ୍ୟଯନ୍ତ୍ର ଯୋଗାଣ , ନୃତ୍ୟ ଆଭୂଷଣ ପ୍ରଦାନ , କାରିଗର ପରିଚୟପତ୍ର ପ୍ରଦାନ , କ୍ରୀଡା ଉପକରଣ ଯୋଗାଣ , ସାଂସ୍କୃତିକ ଓ କ୍ରୀଡା ଉତ୍ସବ, ଜନଜାତି ସଂଶାଧନ କେନ୍ଦ୍ର ସ୍ଥାପନ , ସଂଗ୍ରହାଳୟ ପ୍ରତିଷ୍ଠା ଆଦି ଅନେକ କାର୍ଯ୍ୟ ଏହି ପରିଷଦ ମାନଙ୍କ ଜରିଆରେ କରାଯାଉଛି ।