ଛାତ୍ରୀଛାତ୍ରଙ୍କ ସୁରକ୍ଷା ପ୍ରତି ଅଙ୍ଗୁଳି ନିଦେ୍ର୍ଧଶ

Feb 23, 2019 - 18:44
 127
ବାରିପଦା, ୨୨/୨(ସକାଳଖବର): ମୟୂରଭଞ୍ଜ ଜିଲ୍ଲାରେ ଆଶ୍ରମ ବିଦ୍ୟାଳୟର ନାବାଳିକା ଛାତ୍ରୀ ଗର୍ଭବତୀ ହେବା ଘଟଣାକୁ ନେଇ ପରିସ୍ଥିତି ଶାନ୍ତ ନହେଉଣୁ ଜିଲ୍ଲାର ଶାମାଖୁଂଟା ବ୍ଲକ କଳାପଥର ଗ୍ରାମପଂଚାୟତ ଅଧୀନରେ ଥିବା ଛାଡ଼କଟା ସେବା ଆଶ୍ରମ ବିଦ୍ୟାଳୟର ସୁପରିଚାଳନା ସହ ଅଧ୍ୟୟନରତ ଛାତ୍ରୀଛାତ୍ରମାନଙ୍କ ସୁରକ୍ଷା ଆଦିକୁ କେନ୍ଦ୍ର କରି ନୂଆ ବିବାଦ ମୁଣ୍ଡ ଟେକିବା ଆରମ୍ଭ କରିଛି । ଏଥିନିମନ୍ତେ ରାଜ୍ୟ ସରକାର ସହିତ ଜିଲ୍ଲାପ୍ରଶାସନ ଓ ବିଭାଗୀୟ ଅଧିକାରୀମାନଙ୍କ ଅପାରଗତା, ଦାୟିତ୍ୱ ହୀନତା ଓ ଉଦାସୀନତା ଆଦି ପ୍ରତି ଅଙ୍ଗୁଳି ଉଠାଇଛନ୍ତି ମୟୂରଭଞ୍ଜ ୪୯ ଜିଲ୍ଲାପରିଷଦ ଜୋନର ସଦସ୍ୟା ଗୀତା ହେମ୍ବ୍ରମ୍ । ଜିଲ୍ଲାପରିଷଦ ସଦସ୍ୟା ଶ୍ରୀମତୀ ହେମ୍ବ୍ରମ୍ଙ୍କ ଅଭିଯୋଗ ଆଧାରରେ, ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଶାମାଖୁଂଟା ବ୍ଲକ କଳାପଥରା ପଂଚାୟତର ଛାଡ଼କଟା ସେବାଶ୍ରମ ବିଦ୍ୟାଳୟ । ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି ଏବଂ ୩୫୦ରୁ ଅଧିକ ଛାତ୍ରୀଛାତ୍ର ଉକ୍ତ ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି । ପିଲାମାନଙ୍କୁ ପାଠପଢ଼ାଇବା ନିମନ୍ତେ ରହିଛନ୍ତି ମାତ୍ର ୩ ଜଣ ଶିକ୍ଷକ । ଛାତ୍ରୀନିବାସରେ ପ୍ରାୟ ଦେଢ଼ ଶହ ଛାତ୍ରୀ ରହୁଥିବା ବେଳେ ମେଟ୍ରନ ଓ ସୁପାରିଟେଣ୍ଡେଂଟଙ୍କୁ ନିଯୁକ୍ତି ମିଳିପାରି ନାହିଁ । ସେହିପରି ଛାତ୍ରଛାତ୍ରୀମାନଙ୍କ ପାଇଁ ବିଦ୍ୟାଳୟ ପରିସରରେ ଶୌଚାଳୟର ଅଭାବ ରହିଥିବା କାରଣରୁ ଶୌଚ ନିମନ୍ତେ ବିଦ୍ୟାଳୟ ବାହାର ଖୋଲାପଡ଼ିଆ ଆଦିକୁ ଯିବାକୁ ପଡ଼ୁଛି ଏବଂ ବିଦ୍ୟାଳୟ ପରିସରରେ ଗୋଟାଏ କୂପ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିବା କାରଣରୁ ଛାତ୍ରୀଛାତ୍ରମାନଙ୍କୁ ଗାଧୋଇବା ଆଦି ବିଭିନ୍ନ କାର୍ଯ୍ୟ ପାଇଁ ନିକଟରେ ଥିବା ଏକ ପ୍ରଦୋଷିତ ପୋଖରୀର ପାଣିକୁ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । ଛାତ୍ରଛାତ୍ରୀମାନଙ୍କ ଖାଦ୍ୟ ନିମନ୍ତେ ସାପ୍ତାହିକ ସୂଚୀ ରହିଥିଲେ ମଧ୍ୟ ସେହି ଅନୁସାରେ ଏବଂ ଠିକ୍ ଭାବେ ଖାଇବାକୁ ଖାଦ୍ୟ ଯୋଗାଇ ଦିଆଯାଉ ନାହିଁ । ଆଠଟି ଶ୍ରେଣୀକୁ ୩ ଶିକ୍ଷକ ରହିଥିବାରୁ ଶିକ୍ଷାଦାନ ବ୍ୟବସ୍ଥା ଠପ୍ ହୋଇଯାଇଛି । ଛାତ୍ରଛାତ୍ରୀମାନେ ବିଶୃଙ୍ଖଳିତ ଭାବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାହାରେ ବୁଲାବୁଲି କରୁଥିବା ବିଷୟ ଜଣାପଡ଼ିବା ପରେ ଏବିଷୟରେ ବିଦ୍ୟାଳୟର ଶିକ୍ଷକମାନଙ୍କ ଦୃଷ୍ଟିକୁ ଅଭିଭାବକମାନେ ଆଣିଥିଲେ ମଧ୍ୟ ଏତେ ସଂଖ୍ୟାର ଛାତ୍ରୀଛାତ୍ରମାନଙ୍କ ଦାୟିତ୍ୱ ଉଠାଇପାରିବେ ନାହିଁ ବୋଲି ରୋକ୍ଠୋକ୍ ଭାବେ ମନା କରିଦେଇଥିଲେ । ଘରେ ବାପା, ମାଆମାନେ ସେମାନଙ୍କ ପିଲାମାନଙ୍କୁ ବିଦ୍ୟାଳୟକୁ ପାଠ ପଢ଼ିବା ସହ କିଛି ଶିକ୍ଷା ଗ୍ରହଣ କରିବା ଓ ଶୃଙ୍ଖଳିତ, ସମୟାନୁବର୍ତି ଆଦି ହେବା ନିମନ୍ତେ ପଠାଇଥାନ୍ତି , ମାତ୍ର ପ୍ରତିବଦଳରେ ଛାତ୍ରଛାତ୍ରୀମାନେ ଦିନକୁ ଦିନ ଅଧିକ ବିଶୃଙ୍ଖଳିତ ହୋଇଯାଉଛନ୍ତି । ସ୍କୁଲକୁ ଆସି ବାଳୁଙ୍ଗା ହେବା ଅପେକ୍ଷା ଘରେ ମୁର୍ଖ ହୋଇ ପରିବାରର ସଦସ୍ୟମାନଙ୍କ କାର୍ଯ୍ୟରେ ସହାୟତା କରିବା ବହୁଗୁଣ ଭଲ । ପ୍ରଶାସନିକ ପଦାଧିକାତୀଙ୍କ ସହ ବିଭାଗୀୟ ପଦାଧିକାରୀ ଓ ଅଧିକାରୀମାନେ ବିଦ୍ୟାଳୟ ପରିଦର୍ଶନରେ ଯିବାର ନିୟମ ରହିଥିଲେ ମଧ୍ୟ କୌଣସି ସରକାରୀ କର୍ମଚାରୀଙ୍କ ଉକ୍ତ ବିଦ୍ୟାଳୟରେ ପାଦପଡ଼ିନଥାଏ । ଗତ ବୁଧବାର ଛାତ୍ରଛାତ୍ରୀମାନଙ୍କ ଅଭିଭାବକ ଓ ପରିଚାଳନା କମିଟିର ସଦସ୍ୟ/ସଦସ୍ୟାମାନେ ବିଭିନ୍ନ ଅଭିଯୋଗ ଧରି ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଂଚି ପୂର୍ବାହ୍ନ ୧୧ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ମଧ୍ୟ ମଙ୍ଗଳ ଅଧିକାରୀଙ୍କ ସାକ୍ଷାତ ନପାଇ ଫେରିଯିବାକୁ ବାଧ୍ୟ ହୋଇଥିଲେ ।