ଗ୍ରାମ୍ୟ ଜଙ୍ଗଲ କିସମ ପରିବର୍ତ୍ତନ ନେଇ ସ୍ଥିତାବସ୍ଥା ଜାରି
କଟକ,୨୧ ।୫(ସକାଳଖବର): ଯାଜପୁର ଜିଲା ଦର୍ପଣ ତହସିଲ ଅଧିନସ୍ଥ କୋହ୍ଲାସାହିରେ ଥିବା ଗ୍ରାମ୍ୟ ଜଙ୍ଗଲର କିସମ ପରିବର୍ତ୍ତନ କରି ମୋରମ ଖାଦାନ ପାଇଁ ଅନୁମତି ଦିଆଯିବା ପ୍ରସଙ୍ଗରେ ହାଇକୋର୍ଟରେ ଦାୟର ମାମଲା ଉପରେ ମୁଖ୍ୟ ବିଚାରପତି ବିନୀତ ଶରଣ ଓ ଡକ୍ଟର ଜଷ୍ଟିସ ବି ଆର ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି ଉକ୍ତ ଜାଗା ଉପରେ ସ୍ଥିତାବସ୍ଥା ଜାରି କରିବା ସହ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରି ଜବାବ ଦାଖଲ ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପ୍ରବୋଧ ଚନ୍ଦ୍ର ନାୟକ ମାମଲା ପରିଚାଳନା କରୁଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ଯାଜପୁର ଜିଲା ଦର୍ପଣ ତହସିଲ ଅଧିନସ୍ଥ କୋହ୍ଲାସାହିରେ ୬୮ଏକର ଗ୍ରାମ୍ୟ ଜଙ୍ଗଲ ରହିଛି । ଏହି ଜଙ୍ଗଲରେ ଗୋ ଚରାଚର କରୁଥିବାବେଳେ ସ୍ଥାନୀୟ ତହସିଲଦାର ପଞ୍ଚାୟତବାସୀଙ୍କ ଅଗୋଚରରେ ଓ ସର୍ବସାଧାରଣରେ ନୋଟିସ ନଦେଇ ୬୮ ଏକର ଗ୍ରାମ୍ୟ ଜଙ୍ଗଲ ମଧ୍ୟରୁ ୧୦ଏକର ସ୍ଥାନରେ ସୈରାତ ସୃଷ୍ଟି ପାଇଁ ପଦକ୍ଷେପ ନେଇଥିଲେ । ତେବେ ତହସିଲଦାର ଏ ନେଇ ଜିଲାପାଳଙ୍କୁ ଏହି ଜମିର କିସମ ପରିବର୍ତ୍ତନ ସହ ମୋରମ ଖାଦାନ ପାଇଁ ଅନୁମତି ମାଗିବା ପରେ ଜିଲାପାଳ ତହସିଲଦାରଙ୍କ ଚିଠିକୁ ଗ୍ରହଣ କରିନେଇ ଖାଦାନ କରିବା ପାଇଁ ଅନୁମତି ଦେଇଥିଲେ । ତେବେ ତହସିଲଦାରଙ୍କ ଏପରି ବେଆଇନ କାର୍ଯ୍ୟକଳାପକୁ ନେଇ ସ୍ଥାନୀୟ ପୂର୍ବତନ ସରପଞ୍ଚ ନରୋତ୍ତମ ଶତପଥୀ, ପୂର୍ବତନ ଶିକ୍ଷକ ନକୁଳ ଚନ୍ଦ୍ର ପାତ୍ର ପ୍ରମୁଖ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ(ଆରଡିସି), ଜିଲାପାଳଙ୍କୁ ପଦକ୍ଷେପ ନେବା ପାଇଁ ସ୍ମାରକପତ୍ର ପ୍ରଦାନ କରିଥିବାବେଳେ କୌଣସି ସୁଫଳ ମିଳିନଥିଲା । ଫଳରେ ଆବେଦନକାରୀମାନେ ହାଇକୋର୍ଟରେ ହୋଇ ଏକ ମାମଲା ରୁଜୁ କରିବା ସହ ଉକ୍ତ ଜାଗାରେ ଗ୍ରାମର ୫ଶହରୁ ଊଦ୍ଧ୍ୱର୍ ଗୋରୁ ଚରାଚର କରୁଥିବାବେଳେ ମୋରମ ଖାଦାନ ସୃଷ୍ଟି ହେଲେ ପ୍ରଦୂଷଣ ସୃଷ୍ଟି ହେବା ସହ ରାସ୍ତାଘାଟ ଅବସ୍ଥା ସାଂଘାତିକ ହୋଇଯିବ । ଲୋକମାନେ ଅକଥନୀୟ ଦୁର୍ଦ୍ଧଶାର ସମ୍ମୁଖିନ ହେବେ ବୋଲି ଦର୍ଶାଇ ଏହି ମାମଲାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ସଚିବ, ଆରଡିସି, ଜିଲାପାଳ, ତହସିଲଦାରଙ୍କୁ ପକ୍ଷଭୁକ୍ତ କରି ଜିଲାପାଳଙ୍କ ଆଦେଶ ବାତିଲ କରିବା ପାଇଁ ପ୍ରାର୍ଥନା କରିଥିଲେ ।