ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ବିଚାରାଧୀନ ଅନ୍ତେବାସୀ କଏଦୀଙ୍କ ମୃତ୍ୟୁ

Feb 17, 2023 - 06:47
 40
ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ବିଚାରାଧୀନ ଅନ୍ତେବାସୀ କଏଦୀଙ୍କ ମୃତ୍ୟୁ
ଜୟପୁର: ଗତ ୨୦୧୮ମସିହାରେ ଡିସେମ୍ବରରେ ଜୟପୁର ସଦରଥାନା ସିଆଡିମାଳରେ ହୋଇଥିବା ଏକ ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଜୟପୁର ଉପଖଣ୍ଡ କାରାଗାରରେ ରହି ଆସୁଥିବା ବିଚାରାଧୀନ ଅନ୍ତେବାସୀ କଏଦୀଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ମୃତକ ହେଲେ ସଦର ଥାନା ଅଞ୍ଚଳ ଗାଗାନାପୁର ଫାଣ୍ଡିର ସିଆଡିମାଳ ଗାଁର କମଲୋଚନ ଦଣ୍ଡସେନା(୩୦)। ସେ ଆଜି ଭୋର ୫ଟା ବେଳେ ଅଚାନକ ଭାବେ ଅସୁସ୍ଥ ଅନୁଭବ କରିବା ସହ ଛାତି ଜଳୁଥିବା ଜେଲର ୱାର୍ଡରଙ୍କୁ କହିଥିଲେ। ସେ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଥିବା ଡାକ୍ତର କମଲୋଚନଙ୍କର ବାଟରେ ହିଁ ମୃତ୍ୟୁ ହୋଇଥିବା କହିଥିଲେ। ତାଙ୍କୁ ଶବଗାରରେ ରଖାଯିବା ସହ ପରିବାରବର୍ଗଙ୍କୁ ସୂଚନା ଦିଆଯାଇଥିଲା। ଜୟପୁର ଟାଉନଥାନା ପୁଲିସ ଏ ନେଇ ଅପମୃତ୍ୟୁ ମାମଲା ରୁଜୁ କରିଛି। ମିଳିଥିବା ସୂଚନା ମୁତାବକ, ଗତ ୨୦୧୮ମସିହା ଡିସେମ୍ବରରେ ଜୟପୁର ସଦରଥାନା ଅର୍ନ୍ତଗତ ସିଆଡିମାଳ ଗାଁରେ ଜୈନେକା ବିବାହିତା ମହିଳା ଓ ତାଙ୍କ ସ୍ବାମୀଙ୍କୁ ମୃତ କମଲୋଚନ ଓ ଅନ୍ୟ ଜଣେ ଅଭିଯୁକ୍ତ ରମେଶ ଦଣ୍ଡସେନା ପ୍ରଚୁର ପରିମାଣର ମଦ ପିଆଇଥିଲେ। ପତି ନିଶାସକ୍ତ ଅବସ୍ଥ‌ାରେ ପଡ଼ିଥିବା ବେଳେ ନିଶାସକ୍ତ ମହିଳାଙ୍କୁ ଉଭୟ ଅଭିଯୁକ୍ତ ଗଣଦୁଷ୍କର୍ମ କରି ପ୍ରବଳ ମାଡ଼ ମାରିଥିଲେ। ଏଥିରେ ମହିଳା ଜଣକ ଗୁରୁତର ହୋଇ ପଡ଼ିବା ସହ କୋରାପୁଟ ସହିଦଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।