କ୍ୟାବିନେଟ୍‌ରେ ୧୮ ପ୍ରସ୍ତାବକୁ ମୋହର: ଆରମ୍ଭ ହେବ ‘ମୋ-ଘର’, ଜୁନ୍‌ ୧୬ରୁ ଆବେଦନ ଆରମ୍ଭ ହେବ

May 30, 2023 - 05:49
 18
କ୍ୟାବିନେଟ୍‌ରେ ୧୮ ପ୍ରସ୍ତାବକୁ ମୋହର: ଆରମ୍ଭ ହେବ ‘ମୋ-ଘର’, ଜୁନ୍‌ ୧୬ରୁ ଆବେଦନ ଆରମ୍ଭ ହେବ
ଭୁବନେଶ୍ବର : ରାଜ୍ୟରେ ବଳକା ରହିଥିବା କଚ୍ଚା ଘରକୁ ପକ୍କା ଘରରେ ପରିଣତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ‘ମୋ-ଘର’ ଯୋଜନାର ଶୁଭାରମ୍ଭ କରିଛନ୍ତି। ସୋମବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ଯୋଜନା ସମେତ ୧୮ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫ମ ପାଳି ସରକାରର ୪ର୍ଥ ବର୍ଷ ପୂର୍ତ୍ତି ଉପଲକ୍ଷେ ବସିଥିବା କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ସଚିବ ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି। ରାଜ୍ୟ ସରକାର ‘ଆବାସ୍‌’ ଯୋଜନା ନାଁ ନନେଇ କହିଛନ୍ତି ଯେ ବର୍ତ୍ତମାନର ଗୃହ ନିର୍ମାଣ ଯୋଜନାରେ ଥିବା କଠୋର ଚୟନ ମାନଦଣ୍ଡ ଦ୍ବାରା ବାଦ୍‌ ପଡ଼ିଥିବା ପରିବାର କିମ୍ବା ସ୍ବଳ୍ପ ଗୃହ ମଞ୍ଜୁର ଲକ୍ଷ୍ୟ ଧାର୍ଯ୍ୟ କାରଣରୁ ବଞ୍ଚିତ ଥିବା ପରିବାର ଏହି ଯୋଜନାରେ ଉପକୃତ ହେବେ। ସେହିପରି ପୂର୍ବରୁ ସ୍ବଳ୍ପ ଗୃହ ନିର୍ମାଣ ସହାୟତା ପାଇଥିବା ପରିବାର ଏହି ଯୋଜନା ମାଧ୍ୟମରେ ନିଜ ଗୃହର ଉନ୍ନତୀକରଣ ଅଥବା ସମ୍ପ୍ରସାରଣ କରିପାରିବେ। ଜୁନ୍‌ ୧୬ରୁ ଏନେଇ rhodisha.gov.in/moghara ୱେବସାଇଟ୍‌ରେ ହିତାଧିକାରୀ ଆବେଦନ କରି‌ପାରିବେ। ଆବେଦନ ପୂର୍ବରୁ ମୋବାଇଲ୍ ନମ୍ବର ଦେଇ ନାମ ପଞ୍ଜୀକରଣ କରିବାକୁ ହେବ। ଏହି ଯୋଜନା ଅନୁଯାୟୀ, ଯଦି ପରିବାର କଚ୍ଚା ଘରେ କିମ୍ବା ଗୋଟିଏ କୋଠରୀ ଥିବା କଙ୍କ୍ରିଟ ଛାତ ଘରେ ବାସ କରୁଥିବେ, ପୂର୍ବରୁ ସରକାରଙ୍କ ଠାରୁ କୌଣସି ଗୃହ ନିର୍ମାଣ ଯୋଜନାରେ ସହାୟତା ପାଇନଥିବେ କିମ୍ବା ୭୦ହଜାର ଟଙ୍କାରୁ କମ୍‌ ସହାୟତା ପାଇଥିବେ, ପରିବାରର ମାସିକ ଆୟ ୨୫ହଜାର ଟଙ୍କାରୁ କମ୍‌ ଥିବ, ପରିବାରର ବ୍ୟକ୍ତିଗତ ବ୍ୟବହାର ପାଇଁ ଅଣବ୍ୟବସାୟିକ ମୋଟରଚାଳିତ ୪ଚକିଆ ଯାନ ନଥିବ, କୌଣସି ସଦସ୍ୟ ସରକାରୀ କିମ୍ବା ସରକାରୀ ଉଦ୍ୟୋଗରେ ନିୟମିତ କର୍ମଚାରୀ କିମ୍ବା ପେନସନଭୋଗୀ ହୋଇନଥିବେ, ୫ଏକର ଜଳସେଚିତ କିମ୍ବା ୧୫ଏକର ଅଣଜଳସେଚିତ ଜମିରୁ କମ୍‌ ଥିବ ତେବେ ଏହି ଯୋଜନାରେ ଋଣ ଓ ସବ୍‌ସିଡି ପାଇବାକୁ ଯୋଗ୍ୟ ବିବେଚିତ ହେବେ। ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ଏହି ସବ୍‌ସିଡି ଦେବେ। ଏଥିପାଇଁ ଦୁଇ ବର୍ଷରେ ପ୍ରାୟ ୪ଲକ୍ଷ ହିତାଧିକାରୀଙ୍କ ପାଇଁ ୨୧୫୦କୋଟି ଟଙ୍କାର ଆର୍ଥିକ ବ୍ୟୟ ଆକଳନ କରାଯାଇଛି। ସେହିପରି ରାଜ୍ୟ ସରକାର ୪ଟି ସ୍ତରରେ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବେ। ଏଥିରେ ସାଧାରଣ ବର୍ଗ ଓ ଅନୁସୂଚିତ ଜାତି/ଜନଜାତି/ଭିନ୍ନକ୍ଷମ ମୁଖ୍ୟ ପରିବାର ପାଇଁ ଭିନ୍ନଭିନ୍ନ ସବ୍‌ସିଡି ମିଳିବ। ୧ଲକ୍ଷ ଟଙ୍କା ଋଣ ନେଲେ ସାଧାରଣ ବର୍ଗଙ୍କୁ ୩୦ହଜାର, ଅନୁସୂଚିତ ଜାତି/ଜନଜାତି/ଭିନ୍ନକ୍ଷମ ମୁଖ୍ୟ ପରିବାରକୁ ୪୦ହଜାର ଟଙ୍କା, ୧.୫ଲକ୍ଷ ଟଙ୍କା ଋଣ ନେଲେ ଯଥାକ୍ରମେ ୪୫ହଜାର ଓ ୫୫ହଜାର, ୨ଲକ୍ଷ ଓ ୩ଲକ୍ଷ ଟଙ୍କା ଋଣ ନେଲେ ଯଥାକ୍ରମେ ୬୦ହଜାର ଓ ୭୦ହଜାର ଟଙ୍କା ସବ୍‌ସିଡି ଆକାରରେ ମିଳିବ। ଘର ନିର୍ମା‌ଣ ସମୟରେ ଦୁଇରୁ ତିନିଟି ପର୍ଯ୍ୟାୟରେ ଏହି ଅର୍ଥ ପ୍ରଦାନ କରାଯିବ। ହିତାଧିକାରୀଙ୍କୁ ପ୍ରଥମ ବର୍ଷର ରିହାତି ଅବଧିକୁ ବାଦ୍‌ ଦେଇ ପରବର୍ତ୍ତୀ ୧୦ବର୍ଷରେ ଋଣ ପରିଶୋଧ କରିବାକୁ ହେବ। ମାସିକ କିସ୍ତି (ଇଏମ୍‌ଆଇ) ମାଧ୍ୟମରେ ହିତାଧିକାରୀ ଋଣ ସୁଝିବେ, ୧୦ବର୍ଷରୁ କମ୍‌ ସମୟରେ ବି ଋଣ ସୁଝିପାରିବେ। ବ୍ୟାଙ୍କ କର୍ତ୍ତୃପକ୍ଷ ଋଣ ମଞ୍ଜୁର ପାଇଁ କୌଣସି ପ୍ରୋସେସିଂ ଫି’ ନେବେନି। ଏହାସହ ହିତାଧିକାରୀଙ୍କ ଆର୍ଥିକ ବୋଝକୁ ଆହୁରି ହ୍ରାସ କରିବା ପାଇଁ ରାଜ୍ୟ ସରକାର ବନ୍ଧକ ସମୟରେ ଆବଶ୍ୟକ ପଞ୍ଜୀକରଣ ଶୁଳ୍କ ଓ ଷ୍ଟାମ୍ପ ଡ୍ୟୁଟି ଛାଡ଼ କରିଛନ୍ତି। ସବ୍‌ ରେଜିଷ୍ଟ୍ରି କାର୍ଯ୍ୟାଳୟରୁ ଆବଶ୍ୟକୀୟ ଦସ୍ତାବିଜ୍‌ର ପ୍ରମାଣୀକୃତ ନକଲ, ଇସି ଇତ୍ୟାଦି ପାଇଁ ଆବଶ୍ୟକୀୟ ଦେୟ ମଧ୍ୟ ଛାଡ଼ କରାଯାଇଛି। ଋଣ ଆବେଦନ ନିମନ୍ତେ ଆଇନ ପରାମର୍ଶଦାତାଙ୍କ ଦେୟ ବାବଦକୁ ରାଜ୍ୟ ସରକାର ସର୍ବାଧିକ ହଜାରେ ଟଙ୍କା ପ୍ରଦାନ କରିବେ। ଏହି ଯୋଜନା ପୂର୍ବରୁ ପାଇନଥିବା ଯୋଗ୍ୟ ହିତାଧିକାରୀଙ୍କ ଶୌଚାଳୟ ନିର୍ମାଣ, ବିଦ୍ୟୁତ ଯୋଗାଣ ଓ ପାନୀୟ ଜଳ ଯୋଗାଣ ଇତ୍ୟାଦି ଅନ୍ୟ ଯୋଜନାରେ ମଧ୍ୟ ଯୋଗାଇ ଦିଆଯିବ। ହିତାଧିକାରୀ ଆବେଦନ କରିବା ସମୟରେ ପାସପୋର୍ଟ ଫଟୋ, ଆଧାର କାର୍ଡ, (ଭୋଟର ଆଇଡି, ପାନ କାର୍ଡ, ଜବ୍ କାର୍ଡ, ଡ୍ରାଇଭି ଂ ଲାଇସେନ୍ସ)ରୁ ଗୋଟିଏ, ଜମି ରେକର୍ଡ, ଜାତି ପ୍ରମାଣପତ୍ର, ଭିନ୍ନକ୍ଷମ ପ୍ରମାଣପତ୍ର, ଆୟ ପ୍ରମାଣପତ୍ର ଇତ୍ୟାଦି ଦେବାକୁ ହେବ ବୋଲି କୁହାଯାଇଛି।