କୌଣସି ବି ପ୍ରଶ୍ନପତ୍ର ଲିକ୍ ହୋଇନି:ଗଣଶିକ୍ଷା ମନ୍ତ୍ରୀ

Mar 20, 2023 - 14:35
 23
କୌଣସି ବି ପ୍ରଶ୍ନପତ୍ର ଲିକ୍ ହୋଇନି:ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର: କୌଣସି ବି ପ୍ରଶ୍ନପତ୍ର ଲିକ୍ ହୋଇନି । ପୂର୍ବରୁ ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ ଏହା ମୁଦ୍ରଣ ଜନିତ ତ୍ରୁଟି । ଛାତ୍ରଛାତ୍ରୀ କି ଅଭିଭାବକ ବ୍ୟସ୍ତ ହେବା ଦରକାର ନାହିଁ । ମାର୍କିଂ ସମୟରେ ପିଲାମାନଙ୍କ ସ୍ୱାର୍ଥକୁ ଦେଖାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଜି ଯେଉଁ ସକାଳ ୭ଟା ୨୦ରେ ପୁରୀ ଜିଲ୍ଲାରେ ପ୍ରଶ୍ନପତ୍ର ଲିକ୍ କଥା ବିରୋଧୀ କହୁଛନ୍ତି, ସେ ତଥ୍ୟ ଆମ ପାଖରେ ନାହିଁ । ଏ ନେଇ ବୋର୍ଡ ସଭାପତି, ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀ, ପୁରୀ ଜିଲ୍ଲାପାଳଙ୍କ ସହ ମନ୍ତ୍ରୀ କଥା ହୋଇଛନ୍ତି, କିଛି ପ୍ରଶ୍ନପତ୍ର ଲିକ୍ ହୋଇନି ବୋଲି ସମୀର ରଞ୍ଜନ ଦାଶ ପ୍ରତିକ୍ରିୟା ରଖିଛନ୍ତି । ତାଙ୍କ କହିବା ମୁତାବକ, ପ୍ରଶ୍ନ କାଳରେ କିଛି ପ୍ରଶ୍ନକୁ ବିରୋଧୀ ସାମ୍ନା ନ କରିବାକୁ ଏପରି କରିଛନ୍ତି, ଯାହା ତାଙ୍କ ଆବଶ୍ୟକତା ଥିବ । ପ୍ରଶ୍ନପତ୍ର ଲିକ୍ ନେଇ ସାମାନ୍ୟତମ ସତ୍ୟତା ନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ କହିବା କଥା, ସକାଳ ୭ଟା ୨୦ରେ ପୁରୀ ଜିଲ୍ଲାରେ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ ହୋଇଛି । ପିଲାଙ୍କ ଭବିଷ୍ୟତ ସହିତ ଖେଳ ଖେଳୁଛନ୍ତି ସରକାର । ବାରମ୍ବାର ପରୀକ୍ଷା ପ୍ରଶ୍ନପତ୍ର ଲିକ ହେଉଥିବାରୁ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ।