କେନ୍ଦ୍ରର ଐତିହାସିକ ପଦକ୍ଷେପ: ଏନଡିଏରେ ମହିଳାଙ୍କୁ ମିଳିବ ଭର୍ତ୍ତି
ନୂଆଦିଲ୍ଲୀ : ଏବେ ମହିଳାଙ୍କୁ ମଧ୍ୟ ଜାତୀୟ ପ୍ରତିରକ୍ଷା ଏକାଡେମୀ ଏନଡିଏରେ ଦାଖଲ ମିଳିବ। କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ କହିଛନ୍ତି ଯେ ସେ ମହିଳାଙ୍କୁ ଏନଡିଏ ଜରିଆରେ ସେନାରେ ସ୍ଥାୟୀ କମିଶନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଉପରେ ଖୁସି ବ୍ୟକ୍ତ କରି କୋର୍ଟ ଏକ ଲିଖିତ ପ୍ରମାଣପତ୍ର ଦାଖଲ କରିବାକୁ କହିଛନ୍ତି।
ଏବେ ସୁଦ୍ଧା ଏନଡିଏ କବାଟ ମହିଳାଙ୍କ ପାଇଁ ବନ୍ଦ ଥିଲା। ସେଠାରେ କେବଳ ଯୁବକମାନଙ୍କୁ ଭର୍ତ୍ତି କରାଯାଉଥିଲା। ଏହାକୁ ଭେଦଭାବ ଦର୍ଶାଇ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ ହୋଇଥିଲା। ଅଗଷ୍ଟ ୧୮ ତାରିଖରେ କୋର୍ଟ ଆଦେଶ ଦେଇଥିଲେ ଯେ ଚଳିତ ବର୍ଷ ହେବାକୁଥିବା ଏନଡିଏର ପ୍ରବେଶ ପରୀକ୍ଷାରେ ମହିଳାଙ୍କୁ ମଧ୍ୟ ସାମିଲ ହେବାକୁ ଅନୁମତି ଦିଆଯାଉ। କୋର୍ଟ କହିଥିଲେ ଯେ ଭର୍ତ୍ତି ନେଇ ଅନ୍ତିମ ନିଷ୍ପତ୍ତି ପରେ ନିଆଯିବ।
ବୁଧବାର ଦିନ ମାମଲାର ଶୁଣାଣି ଆରମ୍ଭ ହେବାପରେ ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭାଟି କୋର୍ଟକୁ କହିଥିଲେ ଯେ, ‘ମୁଁ ଏକ ଭଲ ଖବର ଦେବାକୁ ଚାହୁଁଚି। ସରକାର ଗତକାଲି ନିଷ୍ପତ୍ତି ନେଇଛନ୍ତି ଯେ ମହିଳାଙ୍କୁ ଏନଡିଏ ଓ ନାଭାଲ ଏକାଡେମୀରେ ପ୍ରବେଶ ମିଳିବ। କିନ୍ତୁ ଆମେ ଅନୁରୋଧ କରିବାକୁ ଚାହୁଁଚୁ ଯେ ଚଳିତ ବର୍ଷ ପରୀକ୍ଷା ପାଇଁ ଯଥାସ୍ଥିତି ବଜାୟ ରହୁ। ଏହି ପରୀକ୍ଷା ଜୁନରେ ହେବାର ଥିଲା। କିନ୍ତୁ କରୋନା ମହାମାରୀକୁ ଦୃଷ୍ଟିରେ ରଖି ପରୀକ୍ଷା ସ୍ଥଗିତ କରାଯାଇଥିଲା। ଏଥର ପରୀକ୍ଷାରେ ଅନେକ ପରିବର୍ତ୍ତନ ସମ୍ଭାବନା ରହିଛି।’
୨ ବିଚାରପତିଙ୍କ ବେଞ୍ଚର ଅଧ୍ୟକ୍ଷତା କରୁଥିବା ଜଷ୍ଟିସ ସଞ୍ଜୟ କିଶନ କୌଲ ସରକାରଙ୍କ ଏହି ନିଷ୍ପତ୍ତିକୁ ପ୍ରଶଂସା କରି କହିଛନ୍ତି ଯେ, ‘ଆମେ ଖୁସି ଯେ ସେନା ନିଜେ ଏହି ଦିଗରେ ପଦକ୍ଷେପ ନେଇଛି। ସେନାକୁ ସମ୍ମାନ, କିନ୍ତୁ ଲିଙ୍ଗଗତ ସମାନତା ପାଇଁ ବହୁତ କିଛି କରିବା ଆବଶ୍ୟକ। ମହିଳାମାନେ ଯେଉଁ ଭୂମିକା ଗ୍ରହଣ କରୁଛନ୍ତି, ତାର ମହତ୍ତ୍ୱ ବୁଝିବା ଦରକାର। ଯଦି ଏହି ନିର୍ଣ୍ଣୟ ଆଗରୁ ନିଆଯାଇଥାନ୍ତା ତାହେଲେ ଆମକୁ କୌଣସି ଆଦେଶ ଦେବାକୁ ପଡ଼ିନଥାନ୍ତା।’ କୋର୍ଟ ଅତିରିକ୍ତ ସଲିସିଟର ଜେନେରାଲଙ୍କୁ କହିଛନ୍ତି ଯେ ସରକାର ଗ୍ରହଣ କରିଥିବା ନିଷ୍ପତ୍ତି ଉପରେ ଏକ ଲିଖିତ ପ୍ରମାଣପତ୍ର ଦାଖଲ କରନ୍ତୁ।
ଚଳିତ ବର୍ଷର ପରୀକ୍ଷାରେ କୌଣସି ପରିବର୍ତ୍ତନ ନକରିବାକୁ ବିଚାର ସଂକେତ ଦେଇ ଜଜ୍ କହିଛନ୍ତି, “ଆପଣ ସେପ୍ଟେମ୍ବର ୨୦ ସୁଦ୍ଧା ଏକ ଆଫିଡେଭିଟ୍ ଦାଖଲ କରନ୍ତୁ ଏବଂ ଆବେଦନରେ ଉଠାଯାଇଥିବା ପ୍ରସଙ୍ଗଗୁଡିକ ଉପରେ କଣ କରାଯାଉଛି ତାହା କୁହନ୍ତୁ। ଆମେ ଆସନ୍ତା ସେପ୍ଟେମ୍ବର ୨୨ ରେ ଶୁଣାଣି କରିବୁ। ସେତେବେଳେ ଆପଣଙ୍କ ଅନୁରୋଧ ଉପରେ ବିଚାର କରାଯିବ ବୋଲି ସେ କହିଛନ୍ତି।