କବି ରମାକାନ୍ତ ରଥ ପାଇଲେ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର

Jul 26, 2018 - 19:33
 184
କବି ରମାକାନ୍ତ ରଥ ପାଇଲେ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର
ଭୁବନେଶ୍ୱର,୨୬/୦୭ (ସକାଳଖବର): ଓଡ଼ିଆ ସାହିତ୍ୟର ପ୍ରଣମ୍ୟ ବ୍ୟକ୍ତିତ୍ୱ ଭାଗବତକାର ଅତିବଡ଼ୀ ଜଗନ୍ନାଥ ଦାସଙ୍କ ମହାନ ଅବଦାନକୁ ସ୍ୱୀକାର କରି ତାଙ୍କ ପ୍ରତି ଓଡ଼ିଆ ଜାତିର କୃତଜ୍ଞତାକୁ ଜୀବନ୍ତ ରଖିବା ପାଇଁ ଅତିବଡ଼ୀ ଜଗନ୍ନାଥ ଦାସ ପ୍ରବର୍ତନ କରାଯାଇଛି । ଜଗନ୍ନାଥ ଦାସଙ୍କ ଭାଗବତ ପ୍ରତି ଓଡ଼ିଆଙ୍କ ଆଧ୍ୟାତ୍ମିକ ତଥା ସାଂସ୍କୃତିକ ପ୍ରାଣସ୍ପନ୍ଦନର ପ୍ରତୀକ ବୋଲି ଦର୍ଶାଇ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରତିଷ୍ଠିତ କବି ପଦ୍ମଭୂଷଣ ଡ. ରମାକାନ୍ତ ରଥଙ୍କୁ ୨୦୧୮ ନିମନ୍ତେ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପ୍ରଦାନ କରିଛନ୍ତି । ଡ. ରଥଙ୍କ ପରି ଦିଗ୍ଗଜ ସାହିତି୍ୟକଙ୍କୁ ଏହି ସମ୍ମାନ ପ୍ରଦାନ ରାଜ୍ୟର ସଚେତନ ଓ ମୁଗ୍ଧ ପାଠକପାଠିକାଙ୍କ ପୂଜ୍ୟପୂଜା ନିଦର୍ଶନ ପ୍ରକଟିତ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି । । ଏହି କାର୍ଯ୍ୟକ୍ରମରେ ସାରସ୍ୱତ ସାଧକ ଶ୍ରୀ ମାନଗୋବିନ୍ଦ ମହାସୂପକାର, ସତ୍ୟନାରାୟଣ ରଥ, ଶ୍ରୀ କୁମାର ଚକ୍ରବର୍ତୀ, ଶ୍ରୀ ସୀତାରାମ ବିର୍ତିଆ, ଶ୍ରୀମତୀ ପ୍ରତିମା ମିଶ୍ର, ଶ୍ରୀ ବଂଶୀଧର ସାହୁ, ଶ୍ରୀ ବିଜୟ ଚନ୍ଦ୍ର ଜେନା, ଶ୍ରୀ ଶଙ୍କର୍ଷଣ ମଙ୍ଗରାଜ, ଶ୍ରୀ ଲକ୍ଷ୍ମୀଧର ନାୟକଆଦିସ୍ୟ , ଡା. ଦୁର୍ଯ୍ୟୋଧନ ଦାସ, ଶ୍ରୀ କୁଞ୍ଜବିହାରୀ ପାଢ଼ୀ, ଡ. ପ୍ରଫୁଲ୍ଲ କୁମାର ଦାସ, ଡାକ୍ତର ସରୋଜିନୀ ଷଡ଼ଙ୍ଗୀ, ଶ୍ରୀ ଗିରି ଦଣ୍ଡସେନା ଓ ଡ. ବ୍ରଜମୋହନ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଡ.ରଥଙ୍କୁ ପୁରସ୍କାର ବାବଦରେ ଏକ ଲକ୍ଷ ଟଙ୍କା ସମେତ ଉପାୟନ ଓ ପ୍ରଶସ୍ତିପତ୍ର ପ୍ରଦାନ କରାଯାଇଥିବାବେଳେ ସମ୍ବର୍ଦ୍ଧିତ ପ୍ରତିଭାମାନଙ୍କୁ ପ୍ରତ୍ୟେକଙ୍କୁ ୨୫ ହଜାର ଟଙ୍କା, ଉପାୟନ ଓ ପ୍ରଶସ୍ତିପତ୍ର ପ୍ରଦାନ କରାଯାଇଥିଲା । ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ଓ ବିଭାଗୀୟ ନିଦେ୍ର୍ଧଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ବିଜୟ କୁମାର ନାୟକ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ତାଙ୍କ ବକ୍ତବ୍ୟ ରଖିବା ସହିତ କବି ଡ. ରଥଙ୍କ ମହତ୍ୱପୂର୍ଣ୍ଣ ସାରସ୍ୱତ ଅବଦାନ ପାଇଁ ଓଡ଼ିଅ ।ମାନେ କୃତଜ୍ଞ ରହିବେ ବୋଲି ଉଲ୍ଲେଖ କରିଥିଲେ ।