ଓମିକ୍ରନ: ବିଦେଶ ଫେରନ୍ତାଙ୍କ ସମ୍ପର୍କରେ ସୂଚନା ଦେବାକୁ ଆହ୍ବାନ

Dec 16, 2021 - 11:49
 74
ଓମିକ୍ରନ: ବିଦେଶ ଫେରନ୍ତାଙ୍କ ସମ୍ପର୍କରେ ସୂଚନା ଦେବାକୁ ଆହ୍ବାନ
ଭୁବନେଶ୍ବର: ଦେଶକୁ ଘନେଇଲାଣି ଓମିକ୍ରନ ବିପଦ । ଆଶ୍ବସ୍ତିକର ବିଷୟ ଯେ, ଓଡିଶାରେ ଏଯାଏଁ ଏହି ଭାଇରସ ଚିହ୍ନଟ ହୋଇନାହିଁ । ହେଲେ ପଡୋଶୀ ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ଓମିକ୍ରନର ପ୍ରବେଶ ପରେ ଏବେ ଛାନିଆ ହୋଇଛି ଓଡିଶା । ବେଳ ଥାଉ ଥାଉ ଏହାକୁ ରୋକିବା ଦିଗରେ ତତ୍ପରତା ଦେଖାଉଛନ୍ତି ରାଜ୍ୟ ସରକାର । ବିଶେଷକରି ବିଦେଶ ଫେରାନ୍ତାଙ୍କ ଉପରେ ସରକାରଙ୍କ ସ୍ବତନ୍ତ୍ର ନଜର ରହିଛି । ଓମିକ୍ରନ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ବାବଦରେ ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ କହିବା ଅନୁଯାୟୀ, ଓଡିଶା ସରକାର ବିଦେଶ ଫେରନ୍ତାଙ୍କ ଉପରେ ନଜର ରଖିଛନ୍ତି । ପଜିଟିଭ ଚିହ୍ନଟ ହେଉଥିବା ବ୍ୟକ୍ତିଙ୍କ ପାଇଁ ସରକାରୀ ହସ୍ପିଟାଲରେ ସ୍ବତନ୍ତ୍ର ବ୍ଲକର ବ୍ୟବସ୍ଥା କରାଯିବ । ସେମାନଙ୍କୁ ଅନ୍ୟ କୋଭିଡ ଆକ୍ରାନ୍ତଙ୍କ ଠାରୁ ଅଲଗା ରଖାଯିବ । ଆବଶ୍ୟକସ୍ଥଳେ ଦୁଇ ତିନି ଦିନ ମଧ୍ୟରେ ବି ହସ୍ପିଟାଲ କାର୍ୟ୍ୟକ୍ଷମ ହେବ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଜଣାଇଛନ୍ତି ।ଏଥିସହ ଯଦି କୌଣସି ବ୍ୟକ୍ତି ବାହାରୁ ଆସୁଛନ୍ତି ତେବେ ତାଙ୍କ ସମ୍ପର୍କରେ ସୂଚନା ଦେବାକୁ ଗାଁ ମୁଖିଆ ଏବଂ ସ୍ଥାନୀୟ ଜନପ୍ରତିନିଧିଙ୍କୁ ଆହ୍ବାନ କରିଛନ୍ତି । ଏତଦ୍ ବ୍ୟତୀତ ଏୟାର ସୁବିଧା ପୋର୍ଟାଲରେ ପଞ୍ଜୀକୃତ ବିଦେଶ ଫେରନ୍ତାଙ୍କୁ ଠାବ କରାଯାଉଛି ବୋଲି ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ଦେଶର ଗୋଟିଏ ପରେ ଗୋଟିଏ ରାଜ୍ୟରେ ଓମିକ୍ରନ ଭାଇରସ ଚିହ୍ନଟ ହେଉଛି । ଏବେସୁଦ୍ଧା ଦେଶରୁ ମୋଟ ୭୫ରୁ ଊର୍ଦ୍ଧ୍ବ ମାମଲା ପ୍ରକାଶ ପାଇଲାଣି । ପଡୋଶୀ ଆନ୍ଧ୍ର ଓ ପଶ୍ଚିମବଙ୍ଗରେ ଓମିକ୍ରନ ଚିହ୍ନଟ ପରେ ଓଡିଶାରେ ମଧ୍ୟ ଭୟର ବାତାବରଣ ସୃଷ୍ଟି ହୋଇଛି । ଓଡିଶାରୁ ହଜାର ହଜାର ଲୋକେ ଆନ୍ଧ୍ର ଓ କଲିକତା କାମ ସନ୍ଧାନରେ ଯାଉଥିବାରୁ ଏହା ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି । ଏହି ପରିପ୍ରେକ୍ଷୀରେ ବ୍ୟାପକ ସତର୍କତା ଜରୁରୀ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିବା ସହ ସମସ୍ତ କୋଭିଡ ପ୍ରୋଟକଲ ମାନିବାକୁ ଏବଂ ଆବଶ୍ୟକ ନଥିଲେ ଘରୁ ବାହାରିବାକୁ ପରାମର୍ଶ ଦେଇଛନ୍ତି ।