ଏସ୍ସିବି: ୩୦ଶଯ୍ୟାବିଶିଷ୍ଟ କେନ୍ଦ୍ରୀୟ ଆଇସିୟୁ କାର୍ଯ୍ୟକ୍ଷମ ବିଳମ୍ବ
କଟକ, ୧୧ା୬/(ସକାଳଖବର): ବଡ ମେଡିକାଲ ସର୍ଜରୀ ୱାର୍ଡରେ ପୂର୍ବରୁ ୧୦ଟି ଶଯ୍ୟା ବିଶିଷ୍ଟ ସେଣ୍ଟ୍ରାଲ ଆଇସିୟୁ କାର୍ଯ୍ୟ କରୁଥିବାବେଳେ ଏହା ସ୍ଥାନାନ୍ତର ହୋଇ କାଜୁଆଲିଟି ବିଲଡିଂରେ ୩୦ଟି ଶଯ୍ୟା ବ୍ୟବସ୍ଥା କରାଯାଇଥିଲା । ଏନେଇ ବିଧିବଦ୍ଧଭାବେ ଗତବର୍ଷ ମେ ୧୭ ତାରିଖରେ କାଜୁଆଲିଟି କୋଠାର ପଞ୍ଚମ ମହଲାରେ କେନ୍ଦ୍ରୀୟ ଆଇସିୟୁ ଉଦଘାଟିତ ହୋଇଥିଲା । ଏହାଦ୍ୱାରା ରୋଗୀ ସେବାରେ ଉନ୍ନତି ଘଟିବ ବୋଲି ସେତେବେଳେ ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ । କିନ୍ତୁ ବର୍ଷେ ପରେ ମଧ୍ୟ ସେଣ୍ଟ୍ରାଲ ଆଇସିୟୁ ପୂର୍ଣ୍ଣକାଳୀନ କାର୍ଯ୍ୟକ୍ଷମ ହୋଇପାରିନାହିଁ । ଡାକ୍ତର, ସେବିକା ଓ କର୍ମଚାରୀ ସହ ମନିଟର ଆଦି ଆନୁସଙ୍ଗିକ ବ୍ୟବସ୍ଥାର ଅଭାବଯୋଗୁ ତାହା କାର୍ଯ୍ୟକ୍ଷମ ହୋଇପାରୁନଥିବା ସୂଚନା ମିଳିଛି । ବଡ ମେଡିକାଲର ବିଭିନ୍ନ ବିଭାଗରେ ଗୁରୁତର ରୋଗୀଙ୍କ ଚିକିତ୍ସା ନିମନ୍ତେ ଆଇସିୟୁ ବ୍ୟବସ୍ଥା ରହିଛି । ଏନେଇ ରୋଗୀଙ୍କ ଠାରୁ ୟୁଜର୍ସ ଫି ଆଦାୟ କରାଯାଉଛି । ଆଇସିୟୁ ଅଭାବଯୋଗୁ ରାଜ୍ୟ ସରକାର ସେଣ୍ଟ୍ରାଲ ଆଇସିୟୁର ଶଯ୍ୟା ବୃଦ୍ଧି କରାଯାଇ ୩୦ଟି କରାଯାଇଥିଲା । କିନ୍ତୁ ସେହି ଅନୁସାରେ ଡାକ୍ତର, ସେବିକା ନିଯୁକ୍ତି କରାଯାଇନଥିଲା । ଏଥିସହ ଆନୁସଙ୍ଗିକ ବ୍ୟବସ୍ଥା ମଧ୍ୟ ଯୋଗାଇ ଦିଆଯାଇନାହିଁ । ଫଳରେ ଏବେ ମାତ୍ର ୧୨ଟି ଶଯ୍ୟାରେ ସେଣ୍ଟ୍ରାଲ ଆଇସିୟୁ ଚାଲିଛି । ଏହି ଆଇସିୟୁରେ ୩ଜଣ ସିନିୟର ରେସିଡେଣ୍ଟ, ୧୪ଜଣ ସେବିକା ଓ ୪ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ଡାକ୍ତର ଅଭାବ ଯୋଗୁ ଦିନରେ ଜଣେ ଓ ରାତିରେ ୨ଜଣ ସିନିୟର ରେସିଡେଣ୍ଟ କାମଚଳାଭାବେ କାର୍ଯ୍ୟ କରୁଛନ୍ତି । ମେଡିକାଲ କାଉନସିଲ ଅଫ ଇଣ୍ଡିଆ(ଏମସିଆଇ) ନିୟମ ଅନୁସାରେ ୩୦ଶଯ୍ୟା ବିଶିଷ୍ଟ ଆଇସିୟୁପାଇଁ ଜଣେ ପ୍ରଫେସର, ୨ଜଣ ସହକାରୀ ପ୍ରଫେସର ଓ ଜଣେ ସହଯୋଗୀ ପ୍ରଫେସରଙ୍କ ସମେତ ୬ଜଣ ସିନିୟର ରେସିଡେଣ୍ଟ ଡାକ୍ତର ରହିବେ । ଏଥିସହିତ ୨୪ଘଣ୍ଟିଆ ସେବାପାଇଁ ସେବିକା ନିୟେଜିତ ହେବେ । କିନ୍ତୁ ଏହି ନିଯୁକ୍ତି ହେବାନେଇ ଉଦଘାଟନର ବର୍ଷେପରେ ମଧ୍ୟ ସରକାରଙ୍କ ତପôରତା ପ୍ରକାଶ ପାଇପାରିନାହିଁ । ଏପରିକି ଡାକ୍ତରଙ୍କ ନିଯୁକ୍ତି ଦୂରେ ଥାଉ, ମନିଟର ମଧ୍ୟ କ୍ରୟ କରାଯାଇନଥିବା ସୂଚନା ମିଳିଛି । ଏନେଇ ନିଶ୍ଚେତନ ବିଭାଗର ମୁଖ୍ୟ ପ୍ରଫେସର ବି.କେ ପ୍ରଧାନ କହିଛନ୍ତି, ମନିଟର ତଥା ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଖୁବଶୀଘ୍ର ହେବ । ଏଥିସହ ଡାକ୍ତର ଓ କର୍ମଚାରୀ ନିଯୁକ୍ତି କରାଯିବାନେଇ ସ୍ୱାସ୍ଥ୍ୟ ବିଭାଗ ତରଫରୁ କୁହାଯାଇଛି । ଏବେ ୧୨ଟି ଶଯ୍ୟା ରହିଛି । ଡାକ୍ତର ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ହେବାପରେ ୩୦ଶଯ୍ୟା ବିଶିଷ୍ଟ ସେଣ୍ଟ୍ରାଲ ଆଇସିୟୁ ପୂର୍ଣ୍ଣକାଳୀନ କାର୍ଯ୍ୟକ୍ଷମ ହେବ । ସୂଚନାଯୋଗ୍ୟ, ସମ୍ପ୍ରତି ବଡ ମେଡିକାଲର ଭେଷଜ ବିଭାଗରେ ୧୩, ସେଣ୍ଟ୍ରାଲ ଆଇସିୟୁରେ ୧୨, ହୃଦବକ୍ଷଶଲ୍ୟରେ ୪, ହୃଦରୋଗରେ ୧୦, ସ୍ନାୟୁଶଲ୍ୟରେ ୪, ଟ୍ରମାରେ ୨୦, ଶିଶୁରୋଗ ବିଭାଗରେରେ ୬, ଏସଏନସିୟୁରେ ୨୪ଟି ଆଇସିୟୁ ଶଯ୍ୟା ରହିଛି