ଏସସିବି: ମେଡିସିନ ବିଭାଗ ଛାତରୁ ଅତଡା ଖସୁଛି

Jun 25, 2018 - 19:27
 166
ଏସସିବି: ମେଡିସିନ ବିଭାଗ ଛାତରୁ ଅତଡା ଖସୁଛି
କଟକ, ୨୫ା୬/(ସକାଳଖବର): ବିଭିନ୍ନ ରୋଗଗ୍ରସ୍ତ ହୋଇ ଲୋକମାନେ ଆସୁଛନ୍ତି ଚିକିତ୍ସାଳୟକୁ । କିନ୍ତୁ ଯଦି ହସ୍ପିଟାଲ ବିପଦସଙ୍କୁଳ ହୋଇପଡିବ, ତେବେ ସ୍ଥିତି କ’ଣ ହେବ । ଏହିପରି ପରିସ୍ଥିତି ଦେଖିବାକୁ ମିଳିଛି ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ(ବଡ ମେଡିକାଲ)ର ପୁରୁଣା ମେଡିସିନ ବିଭାଗରେ । ବିଭାଗର ଛାତରୁ ଅତଡା ଖସୁଛି । ଫଳରେ ଚିକିତ୍ସାରତ ରୋଗୀ ଓ ସମ୍ପର୍କୀୟଙ୍କ ମଧ୍ୟରେ ଛାନିଆ ଦେଖାଦେଇଛି । ଆଜି ଅପରାହ୍ନରେ ବିଭାଗର ୧୬୦ ନମ୍ବର ବେଡ ନିକଟରେ ଅତଡା ଖସିଥିଲା । ଫଳରେ ବେଡ ନିକଟରେ ଥିବା ରୋଗୀ ଓ ସମ୍ପର୍କୀୟମାନେ ଭୟଭୀତ ହୋଇପଡିଥିଲେ । ତେବେ ସୌଭାଗ୍ୟବଶତଃ ୧୬୦ ନମ୍ବର ବେଡରେ ଚିକିତ୍ସିତ ମହିଳା ରୋଗୀଜଣକ ଶୌଚ କରିବାକୁ ଯାଇଥିଲେ । ଫଳରେ ସେ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ଏଠାରେ ସୂଚନାଥାଉକି, ପୁରୁଣା ମେଡିସିନ ୱାର୍ଡର ୩ମହଲା କୋଠାଟିକୁ ପୂର୍ତ୍ତ ବିଭାଗ ତରଫରୁ ବିପଦସଙ୍କୁଳ ଘୋଷଣା କରାଯାଇଛି । କିନ୍ତୁ ତାହାକୁ ଅଣଦେଖା କରି ରୋଗୀଙ୍କ ସଖ୍ୟା ବଢୁଥିବା ଚିକିତ୍ସା କରାଯାଉଛି । ବିଭିନ୍ନ ସମୟରେ ପଲସ୍ତରା କରାଯାଇ କାମ ଚଳାଯାଉଥିବାରୁ କୌଣସି ଅଘଟଣ ପାଇଁ ମେଡିକାଲ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ସାଧାରଣରେ କୁହାଯାଇଛି ।