ଏଏସବିଏମ ହେବ ବିଶ୍ୱବିଦ୍ୟାଳୟ
ଭୁବନେଶ୍ୱର, ୧/୮(ସକାଳଖବର): ଆଇନ ପ୍ରଣୟନ ପାଇଁ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏଏସବିଏମ ବିଶ୍ୱବିଦ୍ୟାଳୟ ଓଡ଼ିଶା ବିଧେୟକ-୨୦୧୯ ଉପସ୍ଥାପନ କରିଛନ୍ତି । ଏହି ବିଲରେ ଦର୍ଶାଯାଇଛି ଯେ, ଅର୍ଥନୈତିକ ପ୍ରଗତି ନିମନ୍ତେ ମାନବ ସମ୍ବଳର ବିକାଶ ଅତ୍ୟାବଶ୍ୟକ ଅଟେ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମାନବ ସମ୍ବଳ ବିକାଶ ନୀତିର ଏକ ଅଂଶ ସ୍ୱରୂପ ସମାଜର ଅବହେଳିତ ବର୍ଗର ଲୋକମାନଙ୍କ ପାଇଁ ବିଶ୍ୱସ୍ତରୀୟ ସୁଯୋଗ କରି ରାଜ୍ୟକୁ ଉଚ୍ଚ ଶିକ୍ଷା କ୍ଷେତ୍ରରେ ବିଶ୍ୱ ମାନ ଚିତ୍ରରେ ସ୍ଥାନିତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ତା ସହିତ ଆନ୍ତର୍ଜାତୀୟ ମାନର ଉଚ୍ଚ ଶିକ୍ଷାକୁ ପ୍ରୋତ୍ସାହିତ କରିବା ସକାଶେ ରାଜ୍ରକୁ ଏକ ହବରେ ପରିଣତ କରିବା ସରକାରଙ୍କର ଲକ୍ଷ୍ୟ ।
ସଂପ୍ରତି ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର ତହସିଲରେ ଥିବା ଚନ୍ଦକା ଥାନା ଅନ୍ତର୍ଗତ ଅନ୍ଧାରୁଆରେ ଥିବା ଏସିଆନ୍ ସ୍କୁଲ ଅଫ୍ ବିଜିନେସ୍ ମ୍ୟାନେଜମେଂଟ ଅନୁଷ୍ଠାନକୁ ଏକ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ନିମନ୍ତେ ଏଏସବିଏମ୍ ନ୍ୟାସ (ଭାରତୀୟ ନ୍ୟାସ ଅଧିନିୟମ, ୧୮୮୨ ଅନୁଯାୟୀ ପଞ୍ଜିକୃତ) ତରଫରୁ ଏକ ପ୍ରସ୍ତାବ ଆସିଥିଲା । ଉକ୍ତ ବିଶ୍ୱ ବିଦ୍ୟାଳୟ ସ୍ଥାପନ ହେଲେ ଏସିଆନ୍ ସ୍କୁଲ ଅଫ୍ ବିଜିନେସ୍ ମ୍ୟାନେଜମେଂଟର ସମସ୍ତ ଆସ୍ତି ଓ ଦାୟିତ୍ୱଗୁଡ଼ିକ ଏଏସ୍ବିଏମ୍ ବିଶ୍ୱ ବିଦ୍ୟାଳୟକୁ ଅନ୍ତରଣ ହୋଇଯିବ ।
ବିଶ୍ୱ ବିଦ୍ୟାଳୟଟି ଏକକ ବିଶ୍ୱ ବିଦ୍ୟାଳୟ ହେବ ଓ ତାହା ନିଜସ୍ୱ ଅର୍ଥ ବ୍ୟବସ୍ଥାରେ ପରିଚାଳିତ ହେବ । ଏହା ସମାଜର ସମସ୍ତ ଶ୍ରେଣୀ, ଜାତି, ବର୍ଣ୍ଣ, ଧର୍ମ, ଭାଷାଭାଷୀ ଓ ଲିଙ୍ଗର ଲୋକମାନଙ୍କ ପାଇଁ ଉନ୍ମୁକ୍ତ ରହିବ । ବିଶ୍ୱ ବିଦ୍ୟାଳୟରେ ନାମ ଲେଖାଇବା ଉଦେ୍ଧଶ୍ୟରେ ଓଡ଼ିଶାର ଛାତ୍ରଛାତ୍ରୀମାନେ ନାମ ଲେଖା ପରୀକ୍ଷା ଓ ସାକ୍ଷାତକାର ପରୀକ୍ଷାରେ ନୁ୍ୟତତମ ମାନ ପୂରଣ କରୁଥିଲେ, ସେମାନଙ୍କ ପାଇଁ ଶତକଡ଼ା ପଚାଶ ଭାଗ ଆସନ ସଂରକ୍ଷଣ ପାଇଁ ବ୍ୟବସ୍ଥା ରହିବ ।
ଏଏସବିଏମ୍ ବିଶ୍ୱ ବିଦ୍ୟାଳୟ ସ୍ଥାପନ କରାଗଲେ, ତହିଁରେ ବହୁବିଧ ଶିକ୍ଷା ପାଠ୍ୟକ୍ରମ ପ୍ରଦାନ ନିମନ୍ତେ ବିଭିନ୍ନ ବିଦ୍ୟାଳୟମାନ ଖୋଲିବାର ପରିସର ବୃଦ୍ଧି ପାଇବ, ଏହି ବିଶ୍ୱବିଦ୍ୟାଳୟଟି ଉଚ୍ଚ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ରାଜ୍ୟ, ଦେଶ ତଥା ବିଦେଶର ଅନ୍ୟ ବିଶ୍ୱ ବିଦ୍ୟାଳୟ ଗୁଡ଼ିକ ସହିତ ସହଯୋଗରେ ମିଳିତ କାର୍ଯ୍ୟକ୍ରମ ଗ୍ରହଣ କରିବା ପାଇଁ ଦ୍ୱାର ଉନ୍ମୁକ୍ତ କରିବ ବୋଲି ଏଥିରେ ଉଲ୍ଲେଖ ରହିଛି ।