ଆୟୁଷ୍ମାନ ଭାରତ ଯୋଜନାର ଲାଭରୁ ଓଡିଶାବାସୀ କାହିଁକି ବଂଚିତ ହେବେ - ପ୍ରଧାନମନ୍ତ୍ରୀ
ତାଳଚେର, ୨୨/୯ (ସକାଳଖବର): ତାଳଚେର ଠାରେ ସାର କାରଖାନାର ପୁନରୁଦ୍ଧାର ପାଇଁ ଶିଳାନ୍ୟାସ କାର୍ଯ୍ୟକ୍ରମ ପରେ ଆୟୋଜିତ ବିଶାଳ ଜନସଭାରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆୟୁଷ୍ମାନ ଭାରତ ଯୋଜନାରେ ଓଡିଶା ସାମିଲ ନ ହେବା ଓ ସ୍ୱଚ୍ଛ ଭାରତ ଯୋଜନାରେ ଓଡିଶାରେ ମନ୍ଥର ଗତିରେ କାମକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେହିପରି ରାଜ୍ୟରେ ସ୍ୱାସ୍ଥ୍ୟ ସମ୍ପର୍କିତ ଖରାପ ସ୍ଥିତି ସମ୍ପର୍କରେ ସୂଚନା ଦେଇ ନବୀନ ପଟ୍ଟନାୟକ ସରକାରଙ୍କୁ କାଗଠଗଡାରେ ଠିଆ କରାଇଛନ୍ତି ।
ଜୟ ଜଗନ୍ନାଥ ଓ ମା ହିଙ୍ଗୁଳାଙ୍କ ନାମ ନେଇ ନିଜର ଭାଷଣ ଆରମ୍ଭ କରିଥିବା ପ୍ରଧାନମନ୍ତ୍ରୀ ତାଙ୍କ ଉଦବୋଧନରେ କହିଛନ୍ତି ଯେ ଭାରତ ସରକାର ଗରୀବ ଲୋକ ମାନଙ୍କ ପାଇଁ ସବୁଠାରୁ ବଡ ସ୍ୱାସ୍ଥ୍ୟ ବୀମା ଯୋଜନା ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ ହେଉଛି ଯେଉଁଥିରେ ୧୦ କୋଟି ପରିବାର ଅର୍ଥାତ ୫୦ କୋଟି ଲୋକ ଲାଭବାନ ହେବେ । ସେମାନଙ୍କୁ ପାଂଚ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମାର ଲାଭ ମିଳିବ । ତେବେ ଓଡିଶାର ଜନ ସାଧାରଣଙ୍କୁ ଏହାର ଲାଭ କାହିଁକି ମିଳିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନକରିଛନ୍ତି ।
ନିଜର ଉଦବୋଧନ ବେଳେ ପ୍ରଧାନମନ୍ତ୍ରୀ ସମବେତ ଜନସାଧାରଣଙ୍କୁ ପ୍ରଶ୍ନ କରିଥିଲେ ଯେ ଓଡିଶାର ଲୋକ ମାନଙ୍କୁ ଆୟୁଷ୍ମାନ ଭାରତ ଯୋଜନାର ଲାଭ ମିଳିବା ଉଚିତ ନା ଉଚିତ ନୁହେଁ । ଶ୍ରୀ ମୋଦି କହିଛନ୍ତି ଯେ ଏହି ଯୋଜନାରେ ଜଣେ ଓଡିଶା ଛାଡି ଦିଲ୍ଲୀକୁ ଗଲେ ମଧ୍ୟ ଏହାର ଲାଭ ମିଳିବ । ସେ କହିଛନ୍ତି ଯେ ନବୀନ ପଟ୍ଟନାୟକ ଯଦି ଓଡିଶାକୁ ଏହି ଯୋଜନାରେ ସାମିଲ ନ କରନ୍ତି ତେବେ ସେ ଏହି ସେବା ଓଡିଶାର ଲୋକ ମାନଙ୍କୁ ଦେଇ ପାରିବେ ନାହିଁ ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ ଆୟୁଷ୍ମାନ ଭାରତ ଯୋଜନାରେ ଓଡିଶାକୁ ସାମିଲ ନ କରିବାର ନିଷ୍ପତି ଉପରେ ପୁନର୍ବିଚାର କରନ୍ତୁ ବୋଲି ଶ୍ରୀ ମୋଦି କହିଛନ୍ତି ।
ସେ କହିଛନ୍ତି ଯେ ଓଡିଶାର ସ୍ୱାସ୍ଥ୍ୟ ସ୍ଥିତି ସମ୍ପର୍କରେ କିଛି କହିବାର ଆବଶ୍ୟକତା ନାହିଁ । ସମସ୍ତ ଜିନିଷ ଲୋକ ମାନଙ୍କ ଆଗରେ ଖୋଲା ବହି ଭଳି ଅଛି । ରାଜ୍ୟରେ ପାଂଚଟି ନୂଆ ମେଡିକାଲ କଲେଜ ଖୋଲା ଯାଇଛି । ରାଷ୍ଟ୍ରାୟତ ଉଦ୍ୟୋଗ ମାନଙ୍କ ଦ୍ୱାରା ସୁନ୍ଦରଗଡ ଓ ତାଳଚେରରେ ଦୁଇଟି ମେଡିକାଲ କଲେଜ ନିର୍ମାଣକାମ ହେଉଛି । କଟକ, ବୁର୍ଲା ଓ ବ୍ରହ୍ମପୁର ମେଡିକାଲ କଲେଜର ଆଧୁନିକୀକରଣ ପାଇଁ ଅର୍ଥ ଖର୍ଚ କରା ଯାଉଛି । ରାଉରକେଲା ସ୍ଥିତ ହସପିଟାଲର ଉନ୍ନତିକରଣ କାର୍ଯ୍ୟ କରା ଯାଉଛି ।
ଏହାପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ବିଶାଳ ଜନସଭାରେ ଯୋଗଦେଇ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିବା ସହ ତାଳଚେର ମାଟିକୁ ବୀରଭୂମି ଭାବେ ବର୍ଣ୍ଣନା କରିଥିଲେ । ସେ କହିଥିଲେ ଯେ ତାଳଚେର ସାର କାରଖାନା ନୂଆ ଓଡ଼ିଶା ନିର୍ମାଣର ନୂଆ ଜୀବନଗାଥା ହେବ । ଏହି ମାଟିରେ ଶ୍ରୀ ପବିତ୍ର ମୋହନ ପ୍ରଧାନ, ଶ୍ରୀ ସାରଙ୍ଗଧର ଦାସ, ବୈଷ୍ଣବ ପଟନାୟକ, ବାଜି ରାଉତ, ରାଜା ସୋମନାଥ ସିଂହଙ୍କ ଭଳି ବୀର ପୁତ୍ରମାନେ ଜନ୍ମ ନେଇ ସମାଜ ସଂସ୍କାର ଦିଗରେ କାର୍ଯ୍ୟ କରିବା ସହ ଇଂରେଜମାନଙ୍କ ବିରୁଦ୍ଧରେ ଲଢେଇ କରିଥିଲେ । ଏଣୁ ତାଳଚେର ସବୁବେଳେ ରାଷ୍ଟ୍ର ନିର୍ମାଣର ଅଂଶ ହୋଇରହିଛି । ଏବେ ପ୍ରସ୍ତାବିତ ସାର କାରଖାନା ପୂର୍ବ ଭାରତର ବିକାଶକୁ ନୂତନ ଦିଗଦର୍ଶନ ଦେବ ।