ଆସିଲା ଅକ୍ଟୋବର ଗାଇଡଲାଇନ୍, କଟକ-ଭୁବନେଶ୍ୱରରେ ରାତି ୮ଟାରୁ କର୍ଫ୍ୟୁ

Sep 30, 2021 - 13:26
 63
ଆସିଲା ଅକ୍ଟୋବର ଗାଇଡଲାଇନ୍, କଟକ-ଭୁବନେଶ୍ୱରରେ ରାତି ୮ଟାରୁ କର୍ଫ୍ୟୁ
ଭୁବନେଶ୍ୱର : ଆସିଲା ଅକ୍ଟୋବର ମାସ ପାଇଁ ରାଜ୍ୟ ସରକାରଙ୍କ ଗାଇଡଲାଇନ୍। ପାର୍ବଣ୍ୟ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ଗାଇଡଲାଇନ୍ ଜାରି କରିଛନ୍ତି। ଏହି ନିର୍ଦ୍ଦେଶାବଳୀ ଅକ୍ଟୋବର ୧ରୁ ନଭେମ୍ବର ୧ ତାରିଖ ଯାଏ ବଳବତ୍ତର ରହିବ। ଏ ନେଇ ଏସଆରସି ପ୍ରଦୀପ ଜେନା ରାଜ୍ୟବାସୀଙ୍କୁ ସୂଚନା ଦେଇଛନ୍ତି। ଏସଆରସି କହିଛନ୍ତି ଯେ ଆଗକୁ ପୂଜା ପର୍ବପାବଣ୍ୟ ଆସୁଛି। ତେଣୁ ଏଥିପାଇଁ ସତର୍କ ରହିବା ନିହାତି ଦରକାର। ବିଶେଷକରି ଭିଡ଼ ନକରିବା ଏବଂ ଭିଡ଼ ଭିତରକୁ ନଯିବା ପାଇଁ ସେ କହିଛନ୍ତି। ସେପ୍ଟେମ୍ବର ମାସରେ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଗାଇଡଲାଇନରେ ବିଶେଷ ପରିବର୍ତ୍ତନ ହୋଇନାହିଁ। କେବଳ କଟକ ଓ ଭୁବନେଶ୍ୱର ସହର ପାଇଁ କଟକଣା ସାମାନ୍ୟ କଡ଼ାକଡ଼ି କରାଯାଇଛି। କଟକ ଓ ଭୁବନେଶ୍ୱର ଅକ୍ଟୋବର ୧୧ ତାରିଖରୁ ୨୦ ଯାଏ ରାତି ୮ଟାରୁ ସକାଳ ୫ଟା ଯାଏ କର୍ଫ୍ୟୁ ରହିବ। ଅର୍ଥାତ୍ ଏହି ଦୁଇଟି ଜିଲ୍ଲାର ସହରାଞ୍ଚଳରେ ରାତି ୮ଟାରୁ ଦୋକାନ ବଜାର ବନ୍ଦ ରହିବା ନେଇ ସୂଚନା ଦେଇଛନ୍ତି ଏସଆରସି। ସେହିପରି ସମସ୍ତ ପୌରାଞ୍ଚଳରେ ରାତ୍ରକାଳୀନ କର୍ଫ୍ୟୁ ବଳବତ୍ତର ରହିବ। ପୌରାଞ୍ଚଳରେ ଅକ୍ଟୋବର ମାସ ତମାମ ରାତି ୧୦ରୁ ସକାଳ ୫ଟା ଯାଏ ନାଇଟ୍ କର୍ଫ୍ୟୁ ରହିବ। ପୂଜା ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଏହି ଗାଇଡଲାଇନ୍ ଜାରି କରାଯାଇଛି।